ସ୍ମୃତି ସ୍ଥଳରେ ପଞ୍ଚଭୂତରେ ଲୀନ ହେଲା ଭାରତରତ୍ନ ଅଟଳ ବିହାରୀଙ୍କ ପାର୍ଥିବ ଶରୀର: ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସଂପନ୍ନ

ନୂଆଦିଲ୍ଲୀ: ପଞ୍ଚଭୂତରେ ଲୀନ ହେଲା ମହାନ ଜନନାୟକ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ପାର୍ଥିବ ଶରୀର। ନୂଆଦିଲ୍ଲୀର ସ୍ମୃତିସ୍ଥଳରେ ଅପରାହ୍ଣ ୪.୫୦ ମିନିଟରେ ବାଜପେୟୀଙ୍କ ପାଳିତା କନ୍ୟା ନମିତା କୌଲ ଭଟ୍ଟାଚାର୍ଯ୍ୟ ମୁଖାଗ୍ନି ଦେବା ପରେ ଦାହସଂସ୍କାର ଆରମ୍ଭ ହୋଇଥିଲା। ସଂପୂର୍ଣ୍ଣ ହିନ୍ଦୁ ରୀତିନୀତରେ ସମାପିତ ହୋଇଛିା ବାଜପେୟୀଙ୍କ ଅନ୍ତିମ ସଂସ୍କାର।

ଏଥିପୂର୍ବରୁ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ଅପରାହ୍ଣ ୪ଟା ସମୟରେ ବାଜପେୟୀଙ୍କ ମର ଶରୀର ତାଙ୍କ ବାସଭବନରୁ ଆସି ସ୍ମୃତିସ୍ଥଳରେ ପହଞ୍ଚବା ପରେ ସ୍ଥଳସେନା,ବାୟୁସେନା ଓ ନୌସେନା ମୁଖ୍ୟ ଶେଷ ସମ୍ମାନ ଜଣାଇଥିଲେ। ଏହାପରେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ, ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉପ-ବାଚସ୍ପତି ଭେଙ୍କେୟା ନାଇଡୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପରେ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ସ୍ମୃତିସ୍ଥଳରେ ପହଞ୍ଚ ଥିଲେ। ତାଙ୍କ ଉପସ୍ଥିତିରେ ସେନା ପକ୍ଷରୁ ତୋପ ସଲାମୀ ଦିଆଯାଇଥିଲା। ପରେ ଭୁଟାନ୍‌ର ରାଜା, ଆଫ୍‌ଗାନିସ୍ତାନ୍‌ ପୂର୍ବତନ ରାଷ୍ଟ୍ରପତି ହମିତ୍‌ କାରଜାଇ, ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ, ଅମିତ ଶାହ, ପୂର୍ବତନ ପ୍ରଧାନମନ୍ତ୍ରୀ ଡ଼ ମନମୋହନ ସିଂହ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

ଏହାପରେ ହିନ୍ଦୁଧର୍ମର ପରମ୍ପରା ଅନୁସାରେ ଅଟଳବିହାରୀଙ୍କ ମରଶରୀରକୁ ଅର୍ଥି ଉପରକୁ ଅଣାଯାଇଥିଲା। ଶେଷରେ ସେନା ପକ୍ଷରୁ ସମ୍ମାନ ପ୍ରଦର୍ଶନ ପରେ ତାଙ୍କର ସଂପର୍କୀୟମାନେ କାନ୍ଧରେ ବୋହି ଶରୀରକୁ ଜୁଇ ଉପରେ ରଖିଥିଲେ। ଏହାପରେ ବାଜପେୟୀ ପରିବାରର ପରମ୍ପରା ଅନୁସାରେ ଅନ୍ତିମ କର୍ମ ସମାପିତ ହୋଇଥିଲା।

ସମ୍ବନ୍ଧିତ ଖବର