ଭାରତକୁ ଆଉ ୩୬ଟି ରାଫେଲ ବିମାନ ବିକିବାକୁ ଫ୍ରାନ୍ସ ପ୍ରସ୍ତାବ ଦେଇପାରେ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଫ୍ରାନ୍ସ ଗସ୍ତରେ ଯାଇଛନ୍ତି । ଏହି ଅବସରରେ ଫ୍ରାନ୍ସ ଭାରତକୁ ଆଉ ୨ ସ୍କ୍ଵାର୍ଡନ ବା ୩୬ଟି ରାଫେଲ ବିମାନ ବିକ୍ରି କରିବାକୁ ପ୍ରସ୍ତାବ ଦେବାର ସମ୍ଭାବନା ରହିଛି । ଏହି ୩୬ଟି ରାଫେଲ ବିମାନଗୁଡ଼ିକ ଅପେକ୍ଷାକୃତ ରିହାତି ଦରରେ ପ୍ରଦାନ କରିବାକୁ ଫ୍ରାନ୍ସ ଅଫର ଦେଇପାରେ ।

ଗତ ୨୦୧୬ରେ ଫ୍ରାନ୍ସଠାରୁ ଭାରତ ୨ ସ୍କ୍ଵାର୍ଡନ ବା ୩୬ଟି ରାଫେଲ ବିମାନ ଖରିଦ କରିବାକୁ ସରକାରୀ ସ୍ତରରେ ଚୁକ୍ତି କରିଥିଲା । ପ୍ରାୟ ୭.୮୭ ବିଲିୟନ ୟୁରୋ ମୂଲ୍ୟରେ ଏହି ଡିଲ୍‌ କରାଯାଇଥିଲା । ଏସବୁ ବିମାନରେ ଭାରତୀୟ ପରିବେଶ ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି କେତେକ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । କିନ୍ତୁ ଏଥର ସମାନ ବୈଶିଷ୍ଟ୍ୟ ଥିବା ୩୬ଟି ରାଫେଲ ବିମାନ ମାତ୍ର ୬ ବିଲିୟନ ୟୁରୋ ବିନିମୟରେ ପ୍ରଦାନ କରିବାକୁ ଫ୍ରାନ୍ସ ଭାରତକୁ ପ୍ରସ୍ତାବ ଦେବାକୁ ବିଚାର କରୁଛି । ଭାରତୀୟ ବାୟୁସେନା ମଧ୍ୟ ଆଉ ୩୬ଟି ରାଫେଲ ବିମାନ ଅଧିଗ୍ରହଣ କରିବାକୁ ଆଗ୍ରହୀ ଥିବା ଜଣାଯାଇଛି । କାରଣ ଭାରତୀୟ ବାୟୁସେନାରେ ଥିବା ଲଢୁଆ ବିମାନଗୁଡ଼ିକ ପୁରୁଣା ହୋଇଯାଇଥିବାରୁ ସେଗୁଡ଼ିକ ବଦଳରେ ନୂଆଅତ୍ୟାଧୁନିକ ବିମାନ ସାମିଲ କରିବାର ଆବଶ୍ୟକତା ରହିଛି । ଭାରତୀୟ ବାୟୁସେନାର ମୋଟ ସ୍କ୍ଵର୍ଡନ (୧୮ଟି ବିମାନ) କ୍ଷମତା ୪୨ ଥିବାବେଳେ ଏବେ ମାତ୍ର ୩୦ରୁ କମ ସ୍କ୍ଵାର୍ଡନରେ କାମଚଳାଯାଉଛି ।

ସମ୍ବନ୍ଧିତ ଖବର