ଫ୍ରାନ୍ସ ସୁପର ମାର୍କେଟରେ ଆଇଏସ୍‌ ଆକ୍ରମଣ ୩ ମୃତ, ୨୦ ବନ୍ଧକ ମୁକ୍ତ

ପ୍ୟାରିସ୍‌: ଫ୍ରାନ୍ସର ଦକ୍ଷିଣ-ପଶ୍ଚିମାଞ୍ଚଳର ଟ୍ରେବ୍ସ ସହର ସ୍ଥିତ ଏକ ସୁପରମାର୍କେଟରେ ଆଜି ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି। ଆତଙ୍କବାଦୀମାନେ ୨୦ରୁ ଅଧିକ ଲୋକଙ୍କୁ ମୁଣ୍ଡ ଜାମିନ ରଖି ୨୦୧୫ ମସିହା ପ୍ୟାରିସ୍‌ ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ସଲାହ ଅବ୍‌ଦେସଲାମ୍‌କୁ ମୁକ୍ତ କରିବା ପାଇଁ ଦାବି କରିଥିଲେ। ସେପଟେ ଆତଙ୍କବାଦୀମାନେ ଜଣେ ପୁଲିସ୍‌ କର୍ମୀଙ୍କ ସମେତ ୨ ଜଣଙ୍କୁ ହତ୍ୟା କରିିଥିବା ବେଳେ ମୁଣ୍ଡ ଜାମିନ ରଖିଥିବା ବନ୍ଧୁକଧାରୀକୁ ପୁଲିସ ମଧ୍ୟ ଗୁଳି କରି ନିପାତ କରିଥିବା ଖବର ମିଳିଛି। ଏହି ଆକ୍ରମଣ ପଛରେ ଆଇଏସ୍‌ଆଇଏସ୍‌ର ସଂପୃକ୍ତି ଥିବା ସନ୍ଦେହ କରାଯାଉଥିବା ବେଳେ ଘଟଣାସ୍ଥଳରେ ଫ୍ରାନ୍ସ ସେନାର ଆତଙ୍କବାଦ ନିରୋଧୀ ଦଳ ପହଞ୍ଚି ସମସ୍ତ ବନ୍ଧକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି। ସେହିପରି ଅନ୍ୟ ଏକ ଘଟଣାରେ ଟ୍ରେବ୍ସ ନିକଟ କାରକାସୋନ୍‌ ସହରରେ ମଧ୍ୟ ଆତଙ୍କବାଦୀ ଆକ୍ରମଣରେ ଜଣେ ମୃତ ହୋଇଥିବା ବେଳେ ୮ଜଣ ଆହତ ହୋଇଥିବା ଜାଣିବାକୁ ମିଳିଛି। ମିଳିଥିବା ଖବର ମୁତାବକ, ଟ୍ରେବ୍ସ ସହର ସ୍ଥିତ ଏହି ସୁପର ମାର୍କେଟରେ ପ୍ରବଳ ଭିଡ଼ ଲାଗି ରହିଥିବା ବେଳେ ହଠାତ୍‌ ଗୁଳିଫୁଟିବା ଶବ୍ଦ ଶୁଭିଥିଲା। ଲୋକେ ଭୟଭୀତ ହୋଇ ମାର୍କେଟର ଏକ ସପିଂ ମଲ୍‌କୁ ପଶିଯିବା ପରେ ଆତଙ୍କବାଦୀ ଜଣକ ମୁଖ୍ୟ ଦରଜାକୁ ବନ୍ଦ କରିଦେଇଥିଲା। ସେମାନଙ୍କ ବନ୍ଧୁ ଅବ୍‌ଦେସଲାମ୍‌କୁ ନଛାଡ଼ିିଲେ ସମସ୍ତଙ୍କୁ ମାରି ଦିଆଯିବ ବୋଲି ମଧ୍ୟ ସେ ବାରମ୍ବାର ଧମକ ଦେବା ସହ ଫାଙ୍କା ଗୁଳି ଫୁଟାଇ ଚାଲିଥିଲା। ତେବେ ବନ୍ଧକ ଥିବା ସମସ୍ତ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାକୁ ଫ୍ରାନ୍ସ ସ୍ୱରାଷ୍ଟ୍ର ମନ୍ତ୍ରାଳୟ ସମସ୍ତ ପ୍ରକାର ପଦକ୍ଷେପ ନେଇଥିଲା। ପରେ ଫ୍ରାନ୍ସ ସେନାର ଆତଙ୍କବାଦ ନିରୋଧୀ ଦଳ ପହଞ୍ଚି ଆତଙ୍କବାଦୀକୁ କାବୁ କରିବା ସହ ବନ୍ଧକମାନଙ୍କୁ ମୁକୁଳାଇଥିଲେ।

ସମ୍ବନ୍ଧିତ ଖବର