ଭାରତୀୟ ବାୟୁସେନା ଅନ୍‌ଲାଇନ୍‌ ପରୀକ୍ଷାକୁ ହ୍ୟାକ୍‌ କରି ପରୀକ୍ଷାର୍ଥୀଙ୍କ ପାଇଁ ଉତ୍ତର ଲେଖିଲେ ଧୋକାବାଜ୍‌

ଚଣ୍ଡିଗଡ଼: ଗୁରୁବାର ଦିନ ରୋହତକ ଠାରେ ନନ୍‌-କମିସନ୍‌ଡ୍‌ ଅଫିସର୍‌ ଚୟନ ପାଇଁ ଚାଲିଥିବା ଅନ୍‌ଲାଇନ୍‌ ପରୀକ୍ଷାକୁ ଧୋକାବାଜ୍‌ମାନେ ହ୍ୟାକ୍‌ କରି ନେଇଥିବା ଜାଣି ହତଚକିତ ହୋଇଯାଇଥିଲେ ଭାରତୀୟ ବାୟୁସେନାର ଅଧିକାରୀମାନେ। ପରୀକ୍ଷାରେ ବ୍ୟବହୃତ କମ୍ପ୍ୟୁଟର୍‌ ସବୁକୁ ଧୋକାବାଜ୍‌ମାନେ ରିମୋଟ୍‌ ଦ୍ୱାରା ଅକ୍ତିଆର କରି ଗୋଟାଏ ସମାନ୍ତରଳ ନେଟ୍‌ଓ୍ଵାର୍କ ଖୋଲିଥିଲେ। ଅଭିଜ୍ଞମାନଙ୍କ ପରାମର୍ଶକ୍ରମେ ସେମାନେ ପ୍ରଶ୍ନାବଳୀର ଉତ୍ତର ଦେଉଥିବା ବେଳେ ପରୀକ୍ଷାର୍ଥୀମାନେ ନିଜ ନିଜର କମ୍ପ୍ୟୁଟର୍‌ ସମାନାରେ ଖାଲିଟାରେ ବସିଥିଲେ।

ଗରୁବାର ସନ୍ଧ୍ୟାରେ ଭାରତୀୟ ବାୟୁସେନା ରୋହତକ ସିଟି ପୁଲିସରେ ଏତଲା ଦାଏର କରିଛି। ପୁଲିସର ପ୍ରାଥମିକ ତଦନ୍ତ ଅନୁସାରେ, ୧୭୫ ଜଣ ପ୍ରାର୍ଥୀ ପରୀକ୍ଷା ଦେଉଥିବା ବେଳେ ଅନ୍ୟୂନ ୫ଟି କମ୍ପ୍ୟୁଟର୍‌ ରିମୋଟ୍‌ ବଳରେ ଚଳା ଯାଉଥିଲା। ସେଣ୍ଟର୍‌ ଫର୍‌ ଡେଭେଲପ୍‌ମେଣ୍ଟ୍‌ ଅଫ୍‌ ଆଡ୍‌ଭାନ୍‌ସ୍‌ଡ୍‌ କମ୍ପ୍ୟୁଟିଙ୍ଗ୍‌ ଆଉଟ୍‌ ସୋର୍ସିଙ୍ଗ୍‌ କରିଥିବା ଏକ ସଂସ୍ଥା ଏହି ପରୀକ୍ଷା ପରିଚାଳନା କରୁଥିଲା।

ପରୀକ୍ଷା କେନ୍ଦ୍ର ପରିଦର୍ଶନ କରୁଥିବା ସମୟରେ ବାୟୁସେନା ଭିଜିଲାନ୍‌ସ୍‌ ଉଇଙ୍ଗ୍‌ ଦେଖିଲେ, କେତେକ ପରୀକ୍ଷାର୍ଥୀ କିଛି ନ କରି, ଅର୍ଥାତ୍‌ କି’ ବୋର୍ଡ ନ ଛୁଇଁ ବସିଛନ୍ତି କିନ୍ତୁ ତାଙ୍କ କମ୍ପ୍ୟୁଟର୍‌ରେ ମନକୁ ମନ ଉତ୍ତର ଲେଖିହୋଇ ଯାଉଛି। ସେତେବେଳ ଯାଇ ପରୀକ୍ଷା ହ୍ୟାକ୍‌ କରାଯାଇଥିବା କଥା ଜଣାପଡ଼ିଲା।

ଅଧିକାରୀମାନେ କୋଠା ଯାଞ୍ଚ କରି ଦେଖିଲେ ଯେ ଗୋଟାଏ ସିଏଟି ସିକ୍ସ୍‍ ଫାଇବର କେବଲ୍‌ ପରୀକ୍ଷା କେନ୍ଦ୍ରରୁ ପାଖରେ ଥିବା ଏକ ଘରୋଇ ଡାକ୍ତରଖାନାର ପ୍ରଥମ ତାଲାକୁ ଟଣାଯାଇଛି। ଡାକ୍ତରଖାନା ଭିତରେ ସେମାନେ ଦେଖିଲେ, ସିଏଟି ସିକ୍ସ କେବଲ୍‌ରେ ସଂଯୁକ୍ତ କରାଯାଇଥିବା ଲ୍ୟାପ୍‌ଟପ୍‌ଗୁଡ଼ିକୁ ୫ ଜଣ ଲୋକ ଚଳାଉଛନ୍ତି। ସେ ପାଞ୍ଚଜଣ ପରୀକ୍ଷା ପ୍ରଶ୍ନଗୁଡ଼ିକୁ ଆକ୍‌ସେସ୍‌ କରି ଜଣେ ବିଶେଷଜ୍ଞଙ୍କ ପାଖକୁ ପଠାଉଛନ୍ତି, ଏବଂ ସେ ଉତ୍ତର ଲେଖି ପଠାଉଛନ୍ତି।

ଆଉଟ୍‌ସୋର୍ସ ଏଜେନ୍‌ସିଙ୍କ ଇନ୍‌ଭିଜିଲେଟର୍‌ଙ୍କ ସମେତ ଏ ପର୍ଯ୍ୟନ୍ତ ଦୁଇ ଜଣଙ୍କୁ ଗିରଫ କରାଯାଇଛି।

ଏହା କେତେଜଣ ପରୀକ୍ଷାର୍ଥୀଙ୍କୁ ସହାୟତା କରୁଥିଲା ତାହା ସ୍ପଷ୍ଟ ହୋଇ ନାହିଁ। ଗିରଫ ହୋଇଥିବା ବ୍ୟକ୍ତିଜଣକ ପୁଲିସକୁ କହିଛି କି, ପ୍ରତି ପରୀକ୍ଷାର୍ଥୀଙ୍କ ଠାରୁ ସେମାନେ ୩. ୫ ଲକ୍ଷ ଟଙ୍କାରୁ ୬ ଲକ୍ଷ ଟଙ୍କା ଯାଏଁ ନେଇଛନ୍ତି। କେବଳ ବିଶ୍ୱସ୍ତ ପ୍ରାର୍ଥୀଙ୍କ ଲାଗି ସେମାନେ ଏମିତି ସେବା ଯୋଗାଇ ଦେଉଥିଲେ। ସମଗ୍ର ହ୍ୟାଙ୍କିଙ୍ଗ୍‌ ନେଟ୍‌ଓ୍ଵାର୍କ ପ୍ରସ୍ତୁତ କରିଥିବା ଆଦିତ୍ୟ ନାମକ ବ୍ୟକ୍ତିଟି ଫେରାର ହୋଇ ଯାଇଛି। ଗୁଡ଼ଗାଓଁରେ ମଧ୍ୟ ତାଙ୍କର ଏକ କମ୍ପ୍ୟୁଟର୍‌ ଫାର୍ମ ରହିଛି।

ସମ୍ବନ୍ଧିତ ଖବର