ଅଣାୟତ୍ତ ହେଉଛି ତେଲ ଦର : ପେଟ୍ରୋଲ ୭୭ ଟଙ୍କା ୫୫ , ଡିଜେଲ୍‌ ୭୫ ଟଙ୍କା ୫୫

ଚିନ୍ତା ବଢ଼ାଉଛି ଡଲାର-ଟଙ୍କା ମୂଲ୍ୟ

ନୂଆଦିଲ୍ଲୀ/ଭୁବନେଶ୍ୱର : ଦେଶର ଅର୍ଥନୀତି ଏବେ ସଙ୍କଟରେ ପଡ଼ି ଯାଇଛି। ଗୋଟିଏ ପଟେ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ଦିନକୁ ଦିନ ତଳକୁ ଖସିଚାଲିଛି। ଅନ୍ୟପଟେ ପେଟ୍ରୋଲ ଓ ଡିଜେଲ ଦର ପ୍ରତିଦିନ ହୁ ହୁ ହୋଇ ବୃଦ୍ଧି ପାଉଛି। ଏହି ଦୁଇଟି ସମସ୍ୟା ମୋଦୀ ସରକାରଙ୍କ ଆଖିରୁ ନିଦ ହଜାଇ ଦେବାକୁ ବସିଲାଣି।

ଆନ୍ତର୍ଜାତିକ ବଜାରରେ ଅଶୋଧିତ ତେଲ ଦର (ବ୍ୟାରେଲ ପିଛା ୭୫ ଡଲାର) ବୃଦ୍ଧି ପାଇବାରେ ଲାଗିଛି। ଦେଶରେ ମଧ୍ୟ ପେଟ୍ରୋଲ ଏବଂ ଡିଜେଲ ଦର ରେକର୍ଡ ପରିମାଣରେ ବୃଦ୍ଧି ପାଉଛି। ଭୁବନେଶ୍ୱରରେ ରେକର୍ଡ ପରେ ରେକର୍ଡ କରି ଚାଲିଛି ତେଲ ଦର। ଡିଜେଲ ଦର ଲିଟର ପିଛା ୭୫ ଟଙ୍କା ୫୫ ପଇସା ଏବଂ ପେଟ୍ରୋଲ ଦର ୭୭ ଟଙ୍କା ୫୫ ପଇସାରେ ପହଞ୍ଚି ସାରିଲାଣି। ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଦାମ୍‌ କେବେହେଲେ ଏହି ସ୍ତରରେ ପହଂଚିନଥିଲା। ସେହିଭଳି ପ୍ରିମିୟମ ପେଟ୍ରୋଲ ଦାମ ମଧ୍ୟ ୮୦ ଟଙ୍କା ୪୭ ପଇସାରେ ପହଂଚିଛି। ସୂଚନାଯୋଗ୍ୟ. ଗତ ମଇ ୨୯ ତାରିଖରେ ଭୁବନେଶ୍ୱରରେ ପେଟ୍ରୋଲ ଓ ଡିଜେଲ ଦାମ ରେକର୍ଡ ସୃଷ୍ଟି କରିଥିଲା। ସେତେବେଳେ ପେଟ୍ରୋଲ ୭୭.୨୩ ଏବଂ ଡିଜେଲ ଦାମ ଥିଲା ୭୪ ଟଙ୍କା ୩୦। ଏହାପରେ ତେଲ ଦାମରେ ହ୍ରାସ ଘଟିଥିଲା।

ଦେଶର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ତେଲ ଦର ରେକର୍ଡ କରୁଛି। ଦିଲ୍ଲୀରେ ପେଟ୍ରୋଲ ଦାମ ଆଜି ୭୮ ଟଙ୍କା ୫୨ ପଇସା ହୋଇଥିବା ବେଳେ ଡିଜେଲ ଲିଟର ରହିଛି ୭୦ ଟଙ୍କା ୨୧ ପଇସା। ମୁମ୍ବାଇରେ ପେଟ୍ରାଲ ସର୍ବାଧିକ ମୂଲ୍ୟରେ ବିକ୍ରି ହେଉଛି। ଏଠାରେ ପେଟ୍ରୋଲ ଦାମ ୮୫ ଟଙ୍କା ୯୩ ପଇସା ଥିବା ବେଳେ ଡିଜେଲ ଦାମ ରହିଛି ୭୪ ଟଙ୍କା ୫୪ ପଇସା। କଲିକତାରେ ପେଟ୍ରୋଲ ଦାମ୍‌ ୮୧ ଟଙ୍କା ୪୪ ପଇସା ଏବଂ ଡିଜେଲ ଦାମ୍‌ ୭୩ ଟଙ୍କା ୬ ପଇସାରେ ବିକ୍ରି ହେଉଛି।

ଇରାନ ବିରୋଧରେ ଆମେରିକାର କଟକଣା ଏବଂ ସାଉଦି ଆରବ ଦ୍ୱାରା ତେଲ ଉତ୍ପାଦନରେ କାଟ୍‌ ଯୋଗୁଁ ଅଶୋଧିତ ତେଲ ବୃଦ୍ଧି ପାଇବାରେ ଲାଗିଛି। ଆଗକୁ ଏହି ପରିସ୍ଥିତି ଆହୁରି ଭୟଙ୍କର ହେବ ବୋଲି କୁହାଯାଉଛି। କାରଣ ନଭେମ୍ବର ପହିଲାରୁ ଆମେରିକାର କଟକଣା ଲାଗୁ ହୋଇଯିବ।

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦରରେ ଦେଖାଦେଇଥିବା ମାତ୍ରାଧିକ ବୃଦ୍ଧି ପାଇଁ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଆମେରିକା ଉପରେ ଦୋଷ ଲଦିଛନ୍ତି। ଆମେରିକା ତା ଦେଶକୁ ସୁହାଇବା ଭଳି ଅଲଗା ନୀତି ଗ୍ରହଣ କରୁଥିବାରୁ ଡଲାର ତୁଳନାରେ ଅନ୍ୟ ଦେଶର ମୁଦ୍ରା ବିଶ୍ୱବ୍ୟାପୀ ଦୁର୍ବଳ ହେଉଛି। ଏହାର ପ୍ରଭାବରେ ତେଲ ଦର ବୃଦ୍ଧି ଘଟୁଛି। ଉଭୟ ଟଙ୍କା ମୂଲ୍ୟ ଦୁର୍ବଳ ହେବା ଏବଂ ତେଲ ଦର ବୃଦ୍ଧି ଭାରତୀୟ ଅର୍ଥନୀତିକୁ କ୍ଷତି ପହଞ୍ଚାଉଛି। ତେବେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପ୍ରସଙ୍ଗରେ ସରକାର ଚିନ୍ତିତ ଅଛନ୍ତି ଏବଂ ଏହାକୁ ନିୟନ୍ତ୍ରଣ କରିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନେଉଛନ୍ତି ବୋଲି ଧର୍ମେନ୍ଦ୍ର ଆଜି ଭୁବନେଶ୍ୱରଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ କହିଛନ୍ତି।

ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ଆଜି ୭୧ ଟଙ୍କା ଛୁଇଁଛି। ମାସ ଶେଷରେ ଆମଦାନିକାରୀଙ୍କ ମଧ୍ୟରେ ଡଲାର ଚାହିଦା ମାତ୍ରାଧିକ ବୃଦ୍ଧି ପାଇବାରୁ ଟଙ୍କା ଅତ୍ୟନ୍ତ ଦୁର୍ବଳ ହୋଇପଡ଼ିଛି। ଗତକାଲି ୧ ଡଲାରର ମୂଲ୍ୟ ୭୦ ଟଙ୍କା ୭୪ ପଇସାରେ ବନ୍ଦ ହୋଇଥିବା ବେଳେ ଆଜି ଏଥିରେ ୨୬ ପଇସା ହ୍ରାସ ପାଇଛି। ଫଳରେ ଟଙ୍କା ସର୍ବକାଳୀନ ନିମ୍ନସ୍ତରକୁ ଖସିଆସି ୭୧ ଟଙ୍କା ଛୁଇଁଛି।

ସମ୍ବନ୍ଧିତ ଖବର