ତେଲ ଦରବୃଦ୍ଧିକୁ ବିରୋଧ ୧୦ରେ କଂଗ୍ରେସର ଭାରତ ବନ୍ଦ

ନୂଆଦିଲ୍ଲୀ : ତେଲ ଦରବୃଦ୍ଧିକୁ ବିରୋଧ କରି କଂଗ୍ରେସ ପକ୍ଷରୁ ଆସନ୍ତା ୧୦ ତାରିଖରେ ଭାରତ ବନ୍ଦ ଡାକରା ଦିଆଯାଇଛି। ବିଭିନ୍ନ ସ୍ଥାନରେ ବିରୋଧ ଓ ପ୍ରତିବାଦ ପ୍ରଦର୍ଶନ କରାଯିବ। କଂଗ୍ରେସ ନେତାମାନେ ଅନ୍ୟ ଦଳ ଏବଂ ବିଭିନ୍ନ ସଂଗଠନଗୁଡ଼ିକୁ ମଧ୍ୟ ଏହି ଭାରତ ବନ୍ଦରେ ସାମିଲ ହେବା ପାଇଁ ଆହ୍ଵାନ ଦେଇଛନ୍ତି।

କଂଗ୍ରେସ ନେତା ରଣଦୀପ ସୁର୍ଜେଓ୍ଵାଲା ଆଜି କହିଛନ୍ତି, ଦେଶରେ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ୍‌ ଦର ଅହେତୁକ ଭାବେ ବୃଦ୍ଧି ପାଇଛି। ଫଳରେ ଲୋକମାନେ ନାହିଁ ନଥିବା ସମସ୍ୟାର ଶିକାର ହେଉଛନ୍ତି। ଦିନକୁ ଦିନ ଏହି ସମସ୍ୟା ଉତ୍କଟ ହେବାରେ ଲାଗିଛି। ଏହାକୁ ଆଖିରେ ରଖି କଂଗ୍ରେସ ପକ୍ଷରୁ ସେପ୍ଟେମ୍ବର ୧୦ ତାରିଖ(ସୋମବାର)ରେ ଭାରତ ବନ୍ଦ ଡାକରା ଦିଆଯାଇଛି। ତୈଳ ଦରବୃଦ୍ଧିକୁ ପ୍ରୋତ୍ସାହିତ କରାଯାଇ ୧୧ ଲକ୍ଷ କୋଟି ଟଙ୍କା ଲୁଟ୍‌ କରାଯାଇଛି। ଏ ବାବଦରେ ଲୋକଙ୍କୁ ଜଣାଇବାର ସମୟ ଆସିଛି। ଭାରତ ବନ୍ଦ ବେଳେ ଏହା ଉପରେ ବିଶେଷ ଧ୍ୟାନ ଦିଆଯିବ। ସରକାର ତୁରନ୍ତ ପେଟ୍ରୋଲ୍‌ ଓ ଡିଜେଲ୍‌ ଉପରୁ ଉତ୍ପାଦ ଟିକସ କମାଇ ଦରବୃଦ୍ଧିରେ ବ୍ରେକ୍‌ ଲଗାଇବା ଆବଶ୍ୟକ ଏବଂ ଭାରତ ବନ୍ଦ ବେଳେ ଏହି ଦାବି ଉପସ୍ଥାପନ କରାଯିବ ବୋଲି ସାମ୍ବାଦିକଙ୍କୁ ସୁର୍ଜେଓ୍ଵାଲା କହିଛନ୍ତି।

ଏହାବ୍ୟତୀତ ପେଟ୍ରୋଲ୍‌ ଓ ଡିଜେଲ୍‌କୁ ଦ୍ରବ୍ୟ ଓ ସେବା କର (ଜିଏସ୍‌ଟି)ର କ୍ଷେତ୍ରାଧିକାରକୁ ଆଣିବା ପାଇଁ ମଧ୍ୟ କଂଗ୍ରେସ ପକ୍ଷରୁ ଦାବି କରାଯିବ। ଜିଏସ୍‌ଟିକୁ ପେଟ୍ରୋଲ୍‌ ଓ ଡିଜେଲ୍‌ ଆସିବା ଦ୍ୱାରା ସାଧାରଣ ଜନତା ତେଲ ଦରବୃଦ୍ଧି ତାତିରୁ ତ୍ରାହି ପାଇପାରିବ ବୋଲି ସୁର୍ଜେଓ୍ଵାଲା ଦର୍ଶାଇଛନ୍ତି। ଜନସାଧାରଣଙ୍କ ହିତ ପାଇଁ ହେବାକୁ ଥିବା ଭାରତ ବନ୍ଦରେ ଅନ୍ୟ ରାଜନୈତିକ ଦଳ, ସାମାଜିକ ସଂଗଠନ, ସ୍ୱେଚ୍ଛାସେବୀ ଅନୁଷ୍ଠାନ ସାମିଲ ହେବା ନିମନ୍ତେ ସେ ଆହ୍ଵାନ କରିଛନ୍ତି। ଉଲ୍ଲେଖଯୋଗ୍ୟ, ପେଟ୍ରୋଲ୍‌ ମୂଲ୍ୟ ଲିଟର ପିଛା ୭୮ ଟଙ୍କା ୪୧ ପଇସା ହୋଇଥିବା ବେଳେ ଡିଜେଲ ଦର ୭୬ ଟଙ୍କା ୮୦ ପଇସାରେ ପହଞ୍ଚିଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମାତ୍ରାଧିକ ଟିକସ ଲାଗୁ କରୁଥିବାରୁ ତେଲ ଦର ବଢ଼ିବାରେ ଲାଗିଛି।

ସମ୍ବନ୍ଧିତ ଖବର