ବିଗତ ୫୫ ମାସ ମଧ୍ୟରେ ସର୍ବାଧିକ ସ୍ତରରେ ପହଞ୍ଚିଲା ପେଟ୍ରୋଲ ଓ ଡିଜେଲର ଦର

ନୂଆଦିଲ୍ଲୀ: ଦେଶର ପେଟ୍ରୋଲ ଓ ଡିଜେଲ ଦରରେ ଆଜି ଘଟିଥିବା ବୃଦ୍ଧି ପରେ ପେଟ୍ରୋଲ ଓ ଡିଜେଲର ଦର ବିଗତ ୫୫ ମାସ ମଧ୍ୟରେ ସର୍ବାଧିକ ସ୍ତରରେ ପହଞ୍ଚିଛି। ପେଟ୍ରୋଲ ଓ ଡିଜେଲ ଦରରେ ବୃଦ୍ଧି ପରେ ସୃଷ୍ଟି ହୋଇଥିବା ଜନ ଅସନ୍ତୋଷକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏବେ ପେଟ୍ରୋଲ ଓ ଡିଜେଲ ଉପରେ ନେଉଥିବା ଏକ୍ସାଇଜ୍‌ ଡ୍ୟୁଟିକୁ କମାଇ ଗ୍ରାହକମାନଙ୍କୁ କିଛିଟା ଆଶ୍ୱସ୍ତି ଦେବା ପାଇଁ ଚିନ୍ତା କରୁଥିବା ବିଶ୍ଵସ୍ତ ସୂତ୍ରରୁ ଜାଣିବା ପାଇଁ ମିଳିଛି।

ଉଲ୍ଲେଖଯୋଗ୍ୟ, କେନ୍ଦ୍ର ସରକାର ଏବେ ଏକ୍ସାଇଜ୍‌ ଡ୍ୟୁଟି ଆକାରରେ ଗ୍ରାହକମାନଙ୍କ ଠାରୁ ପ୍ରତି ଏକ ଲିଟର ପେଟ୍ରୋଲରେ ୧୯ ଟଙ୍କା ୪୮ ପଇସା ପ୍ରତି ଏକ ଲିଟର ଡିଜେଲରେ ୧୫ ଟଙ୍କା ୩୩ ପଇସା ନେଉଛନ୍ତି। ଏହାବାଦ୍‌ ପୁଣି ବିଭିନ୍ନ ରାଜ୍ୟ ସରକାର ଭିନ୍ନ ଭିନ୍ନ ଦରରେ ପେଟ୍ରୋଲ ଓ ଡିଜେଲ ଉପରେ ଭାଟ ନେଉଛନ୍ତି। ଦିଲ୍ଲୀ ରାଜ୍ୟ ସରକାର ଭାଟ ଆକାରରେ ପ୍ରତି ଏକ ଲିଟର ପେଟ୍ରୋଲରେ ୧୫ ଟଙ୍କା ୮୪ ପଇସା ନେଉଥିବା ବେଳେ ଡିଜେଲରେ ନେଉଛନ୍ତି ୯ ଟଙ୍କା ୬୮ ପଇସା।

ବିଗତ ୫୫ ମାସ ମଧ୍ୟରେ ଆଜି ଦେଶର ପେଟ୍ରୋଲ ଓ ଡିଜେଲ ଦରରେ ସର୍ବକାଳୀନ ବୃଦ୍ଧି ଘଟି ଦେଶର ରାଜଧାନୀ ନୂଆଦିଲ୍ଲୀରେ ଆଜି ଲିଟର ପ୍ରତି ପେଟ୍ରୋଲର ଦର ୭୪ ଟଙ୍କା ୫୦ ପଇସାରେ ପହଞ୍ଚିଥିବା ବେଳେ ଡିଜେଲର ଲିଟର ପ୍ରତି ଦର ପହଞ୍ଚିଛି ୬୫ ଟଙ୍କା ୭୫ ପଇସାରେ। ସମଗ୍ର ଦକ୍ଷିଣ ଏସୀୟ ରାଷ୍ଟ୍ରମାନଙ୍କ ମଧ୍ୟରେ ଭାରତରେ ପେଟ୍ରୋଲ ଓ ଡିଜେଲର ଦର ସର୍ବାଧିକ ଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର