ଦିଦିଙ୍କ ରାଗ ! ପାଦରେ ଚାଲିବାକୁ ପଡ଼ିବାରୁ କର୍ଣ୍ଣାଟକ ଡିଜିପିଙ୍କ ଉପରେ ବର୍ଷିଲେ ମମତା, ଗୌଡ଼ା ବାପ-ପୁଅ ଚୁପ୍!

ବେଙ୍ଗାଲୁରୁ: କର୍ଣ୍ଣାଟକର ନବନିଯୁକ୍ତ ମୁଖ୍ୟମନ୍ତ୍ରୀ ଏଚ୍‌ ଡି କୁମାରସ୍ୱାମୀଙ୍କ ଶପଥ ଗ୍ରହଣ ଉପଲକ୍ଷେ ଗତ ବୁଧବାର ରାଜଧାନୀ ବେଙ୍ଗାଲୁରୁ ସ୍ଥିତ ବିଧାନ ସୌଧ ପରିସରରେ ଆୟୋଜିତ ଉତ୍ସବକୁ ନମନ୍ତ୍ରିତ ହୋଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବେଙ୍ଗାଲୁରୁ ଯାଇଥିବା ବେଳେ ସେଠାରେ ଅବ୍ୟବସ୍ଥାର ଶିକାର ହୋଇଥିବା ଜଣାପଡ଼ିଛି। ଉତ୍ସବ ସ୍ଥଳରେ ଟ୍ରାଫିକ୍‌ ନିୟନ୍ତ୍ରଣରେ ପୁଲିସ୍‌ ପ୍ରଶାସନ ସଂପୂର୍ଣ୍ଣ ବିଫଳ ହୋଇଥିଲା। ଫଳରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସର ସୁପ୍ରିମୋ ମମତା ବାନାର୍ଜୀଙ୍କ ଗାଡ଼ିଟି ଟ୍ରାଫିକ୍‌ ଜାମ୍‌ରେ ଫଶିଯିବା ସହ ବିଧାନ ସୌଧ ପର୍ଯନ୍ତ ଯାଇପାରି ନଥିଲା।


ଫଳରେ ମମତା ବାଧ୍ୟହୋଇ ତାଙ୍କ ଗାଡ଼ିରୁ ଓହ୍ଲାଇ ଖଣ୍ଡେବାଟ ପାଦରେ ଚାଲି ଚାଲି ଯାଇ ପହଞ୍ଚିଥିଲେ ବିଧାନ ସୌଧ ମଧ୍ୟରେ ଆୟୋଜିତ ଉତ୍ସବ ସ୍ଥଳରେ। ଏଥିରେ ତାଙ୍କର କିଛିଟା ବିଳମ୍ବ ମଧ୍ୟ ଘଟିଗଲା। ତେବେ, ଏହି ଘଟଣାରେ ଅତ୍ୟନ୍ତ କ୍ରୋଧିତ ହୋଇପଡ଼ିଲେ ମମତା। ପାଦରେ ଚାଲି ଚାଲି ଉତ୍ସବସ୍ଥଳୀକୁ ଯାଉଥିବା ବେଳେ ତାଙ୍କ ଆଖିରେ ଯିଏ ବି ବରିଷ୍ଠ ପୁଲିସ୍‌ ଅଧିକାରୀ ପଡ଼ୁଥିଲେ ସେମାନଙ୍କୁ ଏହି ଅବ୍ୟବସ୍ଥା ପାଇଁ ପାଖକୁ  ଗାଳି ଦେଇଥିଲେ ମମତା। ହେଲେ, ଏତିକିରେ ମମତାଙ୍କ ମନ ଶାନ୍ତ ହୋଇ ନଥିଲା। ଉତ୍ସବ ସ୍ଥଳରେ ପହଞ୍ଚିବା ସିଧା ଯାଇ ପହଞ୍ଛିଥିଲେ ମଞ୍ଚ ଉପରେ। ମଞ୍ଚ ଉପରେ ଶପଥ ନେବାକୁ ପ୍ରସ୍ତୁତ ହେଉଥିବା ଏଚ୍‌ ଡି କୁମାରସ୍ୱାମୀ ଏବଂ ତାଙ୍କ ପିତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ ଡି ଦେବେଗୌଡ଼ାଙ୍କ ସମୁଖରେ ମଞ୍ଚ ନିକଟକୁ ଡକାଇଥିଲେ କର୍ଣ୍ଣାଟକର ପୁଲିସ୍‌ ମହାନିର୍ଦ୍ଦେଶକ ନୀଳମଣି ରାଜୁଙ୍କ ଉପରେ ଭୀଷଣ ଭାବେ ବର୍ଷିଥିଲେ। କ୍ରୋଧିତ ମମତାଙ୍କ ଏ ଉଗ୍ର ରୂପ ଦେଖି ଉଭୟ ଏଚ୍‌ ଡି କୁମାରସ୍ୱାମୀ ଓ ଏଚ୍‌ ଡି ଦେବେଗୌଡ଼ା ତଟସ୍ଥ ହୋଇଯିବା ସହ ଯୋଡ଼ହସ୍ତ ମୁଦ୍ରାରେ କେବଳ ନିଜର ଅସହାୟତା ପ୍ରକାଶ କରି ଠିଆ ହୋଇ ରହିଥିଲେ। ଏହି ଘଟଣାର ଏକ ଭିଡିଓ ଆଜି ଗଣମାଧ୍ୟମରେ ପ୍ରସାରିତ ହେବା ପରେ ଏହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର