୨୦୨୨ରେ ଭାରତରେ ଜି-୨୦

ଜି-୨୦ ସମ୍ମିଳନୀରେ ଦେଲା ୯ ସୂତ୍ରୀ ପରାମର୍ଶ

ବ୍ୟୁନସ୍‌ ଆୟର୍ସ: ପଳାତକ ଆର୍ଥିକ ଅପରାଧୀମାନଙ୍କୁ ଗିରଫ କରି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠା‌ନ ନେବା ପାଇଁ ଭାରତ ପକ୍ଷରୁ ଜି-୨୦ ରାଷ୍ଟ୍ରଗୁଡ଼ିକୁ ଆହ୍ବାନ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ରାଷ୍ଟ୍ରଗୁଡ଼ିକୁ ୯ ସୂତ୍ରୀ ବିଶିଷ୍ଟ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମୋଦୀ କହିଛନ୍ତି, ପଳାତକ ଆର୍ଥିକ ଅପରାଧୀମାନଙ୍କୁ ସାବାଡ୍‌ କରିବା ପାଇଁ ଜି-୨୦ ରାଷ୍ଟ୍ରଗୁଡ଼ିକ ସକ୍ରିୟ ଭାବେ ପରସ୍ପରକୁ ସହଯୋଗ କରିବା ଉଚିତ। ଏଭଳି ଅପରାଧରେ ଜଡ଼ିତ ଲୋକଙ୍କ ବି‌ରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଯଥା ବ୍ୟାଙ୍କ ଆକାଉଣ୍ଟ ଜବତ, ତୁରନ୍ତ ପ୍ରତ୍ୟର୍ପଣ ଆଦି କ୍ଷେତ୍ରରେ ସହଯୋଗ ଲୋଡ଼ା। ସେହିଭଳି ଏହି ଅପରାଧୀଙ୍କୁ ସହଜରେ କୌଣସି ରାଷ୍ଟ୍ର ଯେମିତି ପ୍ରବେଶ ଅନୁମତି ନଦିଅନ୍ତି, ସେ ଦିଗରେ ଧ୍ୟାନ ଦିଆଯିବା ଆବଶ୍ୟକ। ଏ ଦିଗରେ ଜାତିସଂଘ ଦ୍ବାରା ପ୍ରଚଳନ ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରାଯିବା ଉଚିତ। ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଆର୍ଥିକ ତଥ୍ୟ ବିନିମୟ ଲାଗି ଏଫ୍‌ଏଟିଏଫ୍‌ (ଫାଇନାନ୍ସିଆଲ୍‌ ଆକ୍ସନ୍‌ ଟାସ୍କଫୋର୍ସ)କୁ କାର୍ଯ୍ୟକାରୀ କରିବା ସହ ଏଥିପାଇଁ ଗୋଟିଏ ପ୍ରକାର ନିୟମ ଲାଗୁ ହେବା ନେଇ ମୋଦୀ ଗୁରୁତ୍ବାରୋପ କରିଛନ୍ତି। ପଳାତକ ଆର୍ଥିକ ଅପରାଧୀଙ୍କୁ ପ୍ରଶ୍ରୟ ଦେବା ପୂର୍ବରୁ ସେମାନଙ୍କ ଉପରେ ଥିବା ଟିକସ ଓ ବିଭିନ୍ନ ଋଣର ସମୀକ୍ଷା କରାଯିବା ଉପରେ ମଧ୍ୟ ପଦକ୍ଷେପ ନିଆଯିବା ଆବଶ୍ୟକ ବୋଲି ସେ କହିଛନ୍ତି। ତେବେ ଭାରତର ଏହି ପରାମର୍ଶକୁ ଜି-୨୦ ସମ୍ମିଳନୀରେ ପ୍ରଶଂସା କରାଯାଇଛି।

ପୁଣି ଗୋଟିଏ ମଞ୍ଚରେ ଭାରତ-ରୁଷ୍‌-ଚୀନ୍‌
ବ୍ୟୁନସ୍‌ ଆୟର୍ସ: ଦୀର୍ଘ ୧୨ ବର୍ଷ ପରେ ଭାରତ, ଚୀନ୍‌ ଓ ରୁଷ୍‌କୁ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିଛି। ତିନିରାଷ୍ଟ୍ରର ଶୀର୍ଷ ‌ନେତା ଏକାଠି ବସି ବିଭିନ୍ନ ପ୍ରସଙ୍ଗ‌ରେ ଖୋଲାଖୋଲି ଆଲୋଚନା କରିବା ସହିତ ବିଶ୍ବ ସମୁଦାୟର ଭବିଷ୍ୟତ ପାଇଁ ସୁଚିନ୍ତିତ ପରାମର୍ଶ ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍ ଏବଂ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ଏକ ତ୍ରିପାକ୍ଷିକ ବୈଠକରେ କିଛି ଘଣ୍ଟା ଆଲୋଚନା କରିଥିଲେ। ବହୁପାକ୍ଷିକ ବାଣିଜ୍ୟ ପ୍ରଣାଳୀ, ଅନ୍ତର୍ଜାତୀୟ ସମୃଦ୍ଧି ପାଇଁ ମୁକ୍ତ ବାଣିଜ୍ୟ ସଂକ୍ରାନ୍ତ ଅର୍ଥବ୍ୟବସ୍ଥାକୁ ସେମାନେ ପ୍ରଶଂସା କରିବା ସହିତ ଭବିଷ୍ୟତରେ ଏହା ଆହୁରି ପ୍ରଶସ୍ତ ହେବା ଆବଶ୍ୟକ ବୋଲି ମତ ଦେଇଥିଲେ। ଆର୍ଜେଣ୍ଟିନାର ବ୍ୟୁନସ୍‌ ଆୟର୍ସରେ ଜି-୨୦ ସମ୍ମିଳନୀ ଅବସରରେ ଭାରତ ଏହି ତ୍ରିପାକ୍ଷିକ ବୈଠକରେ ଯୋଗଦେଇଥିଲା। ଏ ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) ପକ୍ଷରୁ ଟ୍ବିଟ୍‌ ମଧ୍ୟ କରାଯାଇଛି। ବିକାଶ ପାଇଁ ମହତ୍ତ୍ବପୂର୍ଣ୍ଣ ସହଯୋଗୀ ରାଷ୍ଟ୍ରଙ୍କ ସହିତ ସମ୍ପର୍କ ଆହୁରି ସୁଦୃଢ଼ ହୋଇଛି। ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌, ରାଷ୍ଟ୍ରପତି ଜିନ୍‌ପିଙ୍ଗ୍‌ ଏବଂ ପ୍ରଧାନମନ୍ତ୍ରୀ ମୋଦୀ ବ୍ୟୁନସ୍‌ ଆୟର୍ସରେ ଆର୍‌ଆଇସି (ରୁଷ୍‌, ଭାରତ, ଚୀନ୍‌) ତ୍ରିପାକ୍ଷିକ ବୈଠକରେ ଅଂଶଗ୍ରହଣ କରିଥିଲେ। ବିଦେଶ ମନ୍ତ୍ରାଳୟ ମଧ୍ୟ ଟ୍ବିଟ୍‌ କରି କହିଛି ଯେ ୧୨ ବର୍ଷ ବ୍ୟବଧାନରେ ଆର୍‌ଆଇସିର ଦ୍ବିତୀୟ ବୈଠକ ଅନୁଷ୍ଠିତ ହୋଇଛି। ୩ ରାଷ୍ଟ୍ର ମଧ୍ୟରେ ସମ୍ପର୍କକୁ ଏହା ମଜବୁତ କରିବ। ରୁଷ୍‌ ଓ ଚୀନ୍‌ ସହିତ ତ୍ରିପାକ୍ଷିକ ବୈଠକ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସହିତ ଅନ୍ୟ ଏକ ବୈଠକରେ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର