ଇନ୍ଦିରାଙ୍କୁ ପ୍ରଶଂସା କଲେ ଗଡ଼କରି

ସଂରକ୍ଷଣ ବିନା ଶକ୍ତି ଦେଖାଇଥିଲେ

ନାଗପୁର: ବିଭିନ୍ନ ପ୍ରସଙ୍ଗରେ ବିଜେପିକୁ ପରୋକ୍ଷରେ ସମାଲୋଚନା କରି ଅଡୁଆରେ ପଡ଼ିଥିବା ଦଳର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରି ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ପ୍ରଶଂସା କରିଛନ୍ତି। ଇନ୍ଦିରାଙ୍କ ବଳିଷ୍ଠ ନେତୃତ୍ବକୁ ସେ ଉଚ୍ଚ ପ୍ରଶଂସା କରିବା ସହ ସଂରକ୍ଷଣ ବିନା ସେ ତାଙ୍କ ଶକ୍ତି ପ୍ରଦର୍ଶନ କରିଥିଲେ ବୋଲି ଗଡ଼କରି କହିଛନ୍ତି। ନାଗପୁରରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ଗଡ଼କରି କହିଛନ୍ତି, କଂଗ୍ରେସର ଅନ୍ୟ ସମସ୍ତ ପୁରୁଷ ନେତାମାନଙ୍କ ତୁଳନାରେ ଇନ୍ଦିରା ବେଶ୍‌ ଶକ୍ତିଶାଳୀ ଥିଲେ। ତାଙ୍କୁ କୌଣସି ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ପଡ଼ିନଥିଲା। ତଥାପି ସେ ଦେଶର ବିକାଶ କରିପାରିଥିଲେ। ତେବେ ମୁଁ ମହିଳାଙ୍କ ସଂରକ୍ଷଣକୁ ବିରୋଧ କରୁନାହିଁ, କିନ୍ତୁ ଜାତିକୁ ଆଧାର କରି ଦିଆଯାଉଥିବା ସଂରକ୍ଷଣକୁ ମୁଁ ନାପସନ୍ଦ କରୁଛି। ଅନ୍ୟପକ୍ଷରେ କେନ୍ଦ୍ରମନ୍ତ୍ରୀ ସୁଷମା ସ୍ବରାଜ, ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଏବଂ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ସଂରକ୍ଷଣକୁ ନେଇ ଆଦୌ ରାଜନୀତି କରିନଥିଲେ। ତଥାପି ସେମାନେ ସଫଳ ରାଜନେତା ହୋଇଥିବା ଗଡ଼କରି କହିଛନ୍ତି। ଉଲ୍ଲେଖଯୋଗ୍ୟ, ଦେଶରେ ଜରୁରୀ ପରିସ୍ଥିତି ଲାଗୁ କରିଥିବା ଇନ୍ଦିରା ଗାନ୍ଧୀଙ୍କର ବିଜେପି ଏକ ଦୃଢ଼ ସମାଲୋଚକ ରହିଆସିଥିବା ବେଳେ ଗଡ଼କରି ତାଙ୍କୁ ଉଚ୍ଚ ପ୍ରଶଂସା କରିବା ପରେ ଏହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।

ସମ୍ବନ୍ଧିତ ଖବର