ତାମିଲନାଡ଼ୁରେ ‘ଗଜ’ର ତାଣ୍ଡବ, ୨୩ ମୃତ, ୮୧ ହଜାର ସ୍ଥାନାନ୍ତର

ଚେନ୍ନାଇ: ଭୀଷଣ ସାମୁଦ୍ରିକ ବାତ୍ୟା ‘ଗଜ’ ଗୁରୁବାର ରାତିରେ ତାମିଲନାଡ଼ୁର ତଟବର୍ତ୍ତୀ ଅଂଚଳରେ ଭୟଙ୍କର କ୍ଷୟକ୍ଷତି ଘଟାଇଛି। ନାଗପଟ୍ଟନମ ଏବଂ ବେଦରିନ୍ନିୟମ ଅଂଚଳରେ ଏହା ସ୍ଥଳ ଭାଗ ଛୁଇଁବା ବେଳେ ପ୍ରବନର ବେଗ ଘଣ୍ଟା ପ୍ରତି ୧୨୦ କିମି ରହିଥିଲା। ବାତ୍ୟା ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି। ମୁଖ୍ୟମନ୍ତ୍ରୀ ପଲାନିସ୍ବାମୀ କହିଛନ୍ତି ଯେ ବାତ୍ୟା ଯୋଗୁଁ ୨୩ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୮୧ ହଜାର ଲୋକଙ୍କୁ ରିଲିଫ୍‌ ଶିବିରରେ ରଖାଯାଇଛି । ୪୭୧ଟି ଶିବିରରେ ଏହି ଲୋକଙ୍କୁ ରଖାଯାଇଥିବା ବେଳେ ଆଜି ସନ୍ଧ୍ୟାରେ ବାତ୍ୟାର ପ୍ରକୋପ କମିଯାଇଥିବା ରିପୋର୍ଟ ମିଳିଛି। ଝଡ଼ ତୋଫାନ ଯୋଗୁଁ ମତ୍ସ୍ୟଜୀବୀଙ୍କ ୧୦ଟି ଗାଁ ଛାରଖାର ହୋଇଯାଇଛି। ପ୍ରଭାବିତ ଅଂଚଳରେ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ନିୟୋଜିତ ଅଛନ୍ତି। ଗତକାଲିଠାରୁ ତଟବର୍ତ୍ତୀ ଜିଲ୍ଲାଗୁଡ଼ିକର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ଘୋଷଣା କରାଯାଇଛି। ବାତ୍ୟାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦେବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ବାତ୍ୟା ଯୋଗୁଁ ୪ଟି ଜିଲ୍ଲା ବିଶେଷ କ୍ଷତିଗ୍ରସ୍ତ ହୋଇଥିବା ବେଳେ ୫ ଲକ୍ଷରୁ ଊର୍ଦ୍ଧ୍ବ ଲୋକ ପ୍ରଭାବିତ ହୋଇଛନ୍ତି। ଉଦ୍ଧାର କାର୍ଯ୍ୟରେ ୩୦ ହଜାର ସଦସ୍ୟ ମୁତୟନ ଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର