ଜେଲ୍‌ ଭିତରେ ରହି କଏଦୀ କଲେ ଫେସ୍‌ବୁକ୍‌ ଲାଇଭ!

ଅମ୍ରିତସର: ପଞ୍ଜାବର ଫାରିଡକୋଟ ସେଣ୍ଟ୍ରାଲ ଜେଲ୍‌ ଭିତରେ ଏକ ଚାଞ୍ଚଲ୍ୟକାରୀ ଘଟଣା ଘଟିଯାଇଛି। ଜେଲ୍‌ ମଧ୍ୟରେ ଥିବା ଗ୍ୟାଙ୍କ୍‌ଷ୍ଟାର୍‌ ଟର୍ଣ୍ଣଡ୍‌ ସମାଜସେବୀ ଲାଖା ସିଦ୍ଧନା ମୋବାଇଲ୍‌ ସାହାଯ୍ୟେରେ ଫେସ୍‌ବୁକ୍‌ ଲାଇଭ୍‌ କରିଥିବା ଘଟଣା ଚର୍ଚ୍ଚା ପାଲଟିଛି। ଶୁକ୍ରବାର ସଂଧ୍ୟାରେ ସେ ଏହି ଭିଡିଓ କରିଥିଲେ ବୋଲି ଜାଣିବାକୁ ମିଳିଛି। ତେବେ ଜେଲ୍‌ ମଧ୍ୟରୁ ଲାଖା ୯ ମିନିଟ୍‌ର ଉକ୍ତ ଭିଡିଓରେ ଗାଡ଼ି ଚଳାଇବା କୌଶଳ ଉପରେ ପରାମର୍ଶ ଦେଇଛନ୍ତି। ପଞ୍ଜାବରେ ଲାଗି ରହିଥିବା କୁହୁଡ଼ି ଯୋଗୁ ବହୁ ଦୁର୍ଘଟଣା ଘଟିବା ହେତୁ ସେ ଦୁର୍ଘଟଣା ଦୂରେଇ ଦେବା ପାଇଁ ପରାମର୍ଶ ଦେଇଛନ୍ତି। ମାତ୍ର ଏବେ ପ୍ରଶ୍ନ ହେଉଛି ଜେଲ୍‌ ମଧ୍ୟରେ ରହି ସେ ମୋବାଇଲ୍‌ ଫୋନ୍‌ ବ୍ୟବହାର କଲେ କେମିତି?

ଉଲ୍ଲେଖଯୋଗ୍ୟ, ଅକ୍ଟୋବର ୩୧ ତାରିଖରେ ଲାଖା ପୁଲିସ୍‌ ହାତରେ ଗିରଫ ହୋଇଥିଲେ। ଗତ ଶୁକ୍ରବାର ସଂଖ୍ୟାରେ ସେ ଫେସ୍‌ବୁକ୍‌ରେ ଲାଇଭ୍‌ ଆସିଥିଲେ। ଲାଖାଙ୍କ ପାଖରେ ଏକ ମୋବାଇଲ୍‌ ଫୋନ ରହିଛି ବୋଲି ଜାଣିବା ପରେ ଫାରିଡକୋଟ ପୁଲିସର ସିନିୟର୍‌ ସୁପରିଟେଣ୍ଡେଣ୍ଟ୍‌ ନାନନ ସିଂହ ପୁଲିସ୍‌ ଅଧିକାରୀଙ୍କୁ ଜେଲ୍‌ ଭିତରେ ଖୋଜଖାଜ କରିବା ପାଇଁ କହିଥିଲେ ବୋଲି ଗଣମାଧ୍ୟମରେ ଜଣାଇଛନ୍ତି। ପୁଲିସ୍‌ ତଲାସି କରିବାରୁ ଜେଲ୍‌ ଭିତରୁ ଲାଖାଙ୍କ ଫୋନ୍‌ ସମେତ ଆଉ ଏକ ଫୋନ ମଧ୍ୟ ମିଳିଛି।

ଏଠାରେ ଜଣାଇ ଦେଉଛୁ କି ଏପରି ଘଟଣା ନୂଆ ନୁହେଁ, ପୂର୍ବରୁ ଏମିତି ଅନେକ ଘଟଣା ଦେଖିବାକୁ ମିଳିଛି। କଏଦୀମାନେ ଜେଲ୍‌ ଭିତରେ ରହି ସୋସିଆଲ ମିଡିଆରେ ଫଟୋ ଅପ୍‌ଲୋଡ କରିବାରୁ ନେଇ ପ୍ରତିଦ୍ୱନ୍ଦ୍ୱୀମାନଙ୍କୁ ଧମକ ଦେଉଥିବା ଆଦି ଅନେକ ଖବର ନିକଟରେ ଦେଖିବାକୁ ମିଳିସାରିଛି।

ସମ୍ବନ୍ଧିତ ଖବର