ଭୀମା କୋରେଗାଓଁ ହିଂସା ମାମଲା: ଗୌତମ ନବଲଖା ଗୃହବନ୍ଦୀରୁ ମୁକ୍ତ

ନୂଆଦିଲ୍ଲୀ : ଭୀମା କୋରେଗାଓଁ  ହିଂସା ମାମଲାରେ ମାଓବାଦୀ ଲିଙ୍କ୍‌ ନେଇ ଗତ ଅଗଷ୍ଟ ୨୮ ତାରିଖରେ ଗିରଫ ହୋଇଥିବା ୫ ଜଣ ସାମାଜିକ କର୍ମୀଙ୍କୁ ଗୃହବନ୍ଦୀ ରଖାଯାଇଥିଲା। କିନ୍ତୁ ଦିଲ୍ଲୀ ହାଇକୋର୍ଟ ଆଜି ସାମାଜିକ କର୍ମୀ ଗୌତମ ନବଲଖାଙ୍କୁ ମୁକ୍ତ କରିଛନ୍ତି। ଦିଲ୍ଲୀ ହାଇକୋର୍ଟ କହିଛନ୍ତି ତାଙ୍କୁ ଅଟକ ରଖିବା ୨୪ ଘଣ୍ଟା ଅତିକ୍ରମ କରି ସାରିଛି। ତେଣୁ ଗୃହବନ୍ଦୀ ରଖିବା ଅ‌େଯୗକ୍ତିକ। କୋର୍ଟ ମଧ୍ୟ ନବଲଖାଙ୍କ ରିମାଣ୍ଡ୍‌କୁ ରଦ୍ଦ କରି ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ସୁପ୍ରିମକୋର୍ଟ ଗତ ସପ୍ତାହରେ ୫ ଜଣ ସାମାଜିକ କର୍ମୀଙ୍କ ଗୃହବନ୍ଦୀ ସମୟ ୪ ସପ୍ତାହକୁ ବୃଦ୍ଧି କରିବା ସହ ସେମାନଙ୍କୁ ଏହି ସମୟ ମଧ୍ୟରେ ମୁକ୍ତ ହେବାପାଇଁ  ସଠିକ୍‌ ଉପ‌ାୟରେ ନ୍ୟାୟିକ ସହାୟତା ନେଇପାରିବେ ବୋଲି କହିଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ନବଲଖା ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିବାପରେ ଦିଲ୍ଲୀ ହାଇକୋର୍ଟ ତାଙ୍କ ଆବେଦନ ଉପରେ ଶୁଣାଣି କରି ଆଜି ତାଙ୍କୁ ଗୃହବନ୍ଦୀରୁ ମୁକ୍ତ କରିଛନ୍ତି। ଅନ୍ୟପକ୍ଷେ ମହାରାଷ୍ଟ୍ର ସରକାରଙ୍କ ଓକିଲ ନବଲଖାଙ୍କ ଗୃହବନ୍ଦୀ ସମୟକୁ ଆଉ ୨ ଦିନ ବୃଦ୍ଧି କରିବାପାଇଁ କହିଥିଲେ ମଧ୍ୟ ‌ଦିଲ୍ଲୀ ହାଇକୋର୍ଟ ଏହାକୁ ପ୍ରତ୍ୟାଖ୍ୟାନ କରି ଦେଇଥିଲେ। ଉଲ୍ଲେଖଯୋଗ୍ୟ ଗତ ଅଗଷ୍ଟ ମାସ ୨୮ ତାରିଖରେ ଗୌତମ ନବଲଖାଙ୍କ ସମେତ ୫ ଜଣ ସାମିଜକ କର୍ମୀ  ଭେର୍ନନ୍‌ ଗନସାଲଭେସ୍‌, ସୁଧା ଭରଦ୍ବାଜ, ଅରୁଣ ଫେରେଇରା, ପି ବରବରା ରାଓଙ୍କୁ ଭୀମା କୋରେଗାଓଁ ହିଂସା ମାମଲାରେ ମାଓବାଦୀ ଲିଙ୍କ୍‌  ନେଇ ମହାରାଷ୍ଟ୍ର ପୁଲିସ ଗିରଫ କରିଥିଲା।

ସମ୍ବନ୍ଧିତ ଖବର