ସୁପ୍ରିମ୍‌କୋର୍ଟଙ୍କ ଐତିହାସିକ ରାୟ : ସମଲିଙ୍ଗୀ ସଂପର୍କ ଅପରାଧ ନୁହେଁ

ନୂଆଦିଲ୍ଲୀ : ଭାରତରେ ସମଲିଙ୍ଗୀ ସଂପର୍କ ଏଣିକି ଅପରାଧ ନୁହେଁ। ଏହି ସଂପର୍କକୁ ଘେରିରହିଥିବା କଳାବାଦଲକୁ ଆଜି ସୁପ୍ରିମ୍‌କୋର୍ଟ ସବୁଦିନ ପାଇଁ ହଟାଇ ଦେଇଛନ୍ତି। କହିଛନ୍ତି, ଦୁଇଜଣ ପ୍ରାପ୍ତ ବୟସ୍କ ବ୍ୟକ୍ତି ସହମତି ଭିତ୍ତିରେ ପରସ୍ପର ସହିତ ସଂପର୍କ ସ୍ଥାପନ କଲେ ତାହାକୁ ଅପରାଧ ବିବେଚନା କରାଯିବ ନାହିଁ କିମ୍ବା ସେମାନଙ୍କୁ ଅପରାଧୀ ବୋଲି କୁହାଯିବ ନାହିଁ। ଏଣିକି ଏହା ବୈଧ ବିବେଚିତ ହେବ। ସୁପ୍ରିମ୍‌କୋର୍ଟ ଗୁରୁବାର ଏଭଳି ଐତିହାସିକ ରାୟ ଦେଇ ଧାରା ୩୭୭କୁ ନେଇ ଏଲ୍‌ଜିବିଟି ସମୁଦାୟଙ୍କ ମଧ୍ୟରେ ରହିଥିବା ଶଙ୍କାକୁ ସଂପୂର୍ଣ୍ଣ ଭାବେ ହଟାଇ ଦେଇଛନ୍ତି।

ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ସମ୍ବିଧାନ ପୀଠ ଏହି ଐତିହାସିକ ରାୟ ଦେଇ ଦୁଇଜଣ ପ୍ରାପ୍ତ ବୟସ୍କ ବ୍ୟକ୍ତିଙ୍କ ମଧ୍ୟରେ ସହମତି ଦ୍ୱାରା ହେଉଥିବା ସମଲିଙ୍ଗୀ ସଂବନ୍ଧକୁ ଧାରା ୩୭୭ରୁ ହଟାଇଦେଇଛନ୍ତି। ଏହାଦ୍ୱାରା ଏହି ସଂପର୍କକୁ ଆଉ ଅପରାଧ ବୋଲି ବିବେଚନା କରାଯିବ ନାହିଁ । ପୂର୍ବରୁ ଜୁଲାଇ ୧୭ ତାରିଖ ଶୁଣାଣିରେ ଖଣ୍ଡପୀଠ ଦର୍ଶାଇଥିଲେ ଯେ ସମଲିଙ୍ଗୀ ସଂପର୍କକୁ ନେଇ ଧାରା ୩୭୭ରେ ରହିଥିବା ଅପରାଧ ଦିଗକୁ ଯଦି ହଟାଯାଆନ୍ତା, ତେବେ ସେମାନଙ୍କୁ ସମାଜରେ କୌଣସି ପ୍ରକାର ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ନ୍ତା ନାହିଁ ଏବଂ ଏମାନଙ୍କୁ ନେଇ ଲୋକଙ୍କ ମନରେ ରହୁଥିବା ଧାରଣା ଓ ଚିନ୍ତାଧାରା ମଧ୍ୟ ବଦଳିଯାଆନ୍ତା। ନିଜର ଏହି ଆଭିମୁଖ୍ୟ ରଖି ଖଣ୍ଡପୀଠ ଆଜି ଏହାକୁ ବାସ୍ତବ ରୂପ ଦେଇଛନ୍ତି। କୋର୍ଟ ଧାରା ୩୭୭କୁ ମନମୁଖି ଓ ଅଯୌକ୍ତିକ ଦର୍ଶାଇବା ସହିତ ବ୍ୟକ୍ତିଗତ ପସନ୍ଦକୁ ସମ୍ମାନ ଦେବା ଉଚିତ ବୋଲି କହିଛନ୍ତି।

ଖଣ୍ଡପୀଠରେ ଥିବା ବିଚାରପତିମାନେ ଦର୍ଶାଇଛନ୍ତି ଯେ ସମଲିଙ୍ଗୀ ଶ୍ରେଣୀର ଲୋକମାନଙ୍କୁ ନେଇ ରହିଥିବା ଭାବନା ଓ ଚିନ୍ତାଧାରାରେ ପରିବର୍ତ୍ତନ ଆସିବା ଦରକାର। ପ୍ରତ୍ୟେକ ବାଦଲରେ ଆମକୁ ଇନ୍ଦ୍ରଧନୁ ଖୋଜିବା ଆବଶ୍ୟକ। ଉଲ୍ଲେଖନୀୟ ଯେ, ଇନ୍ଦ୍ରଧନୁ ହେଉଛି ସମଲିଙ୍ଗୀ ବା ଏଲ୍‌ଜିବିଟି (ଲେସ୍‌ବିୟାନ୍‌, ଗେ, ବାଇସେକ୍ସୁଆଲ୍‌ ଏବଂ ଟ୍ରାନ୍ସଜେଣ୍ଡର) ସମୁଦାୟକଙ୍କ ପ୍ରତୀକ। ପ୍ରଧାନ ବିଚାରପତି ଦୀପକ ମିଶ୍ର ଏବଂ ବିଚାରପତି ଏ ଏମ୍‌ ଖାନ୍‌ଓ୍ଵିଲ୍‌କର ଆଜିର ରାୟକୁ ଆଉ ଟିକିଏ ସ୍ପଷ୍ଟ କରି କହିଲେ ଯେ ସମାନ ଲିଙ୍ଗବିଶିଷ୍ଟ ଲୋକଙ୍କ ମଧ୍ୟରେ ସଂପର୍କ ସ୍ଥାପନ ଏବେ ଧାରା ୩୭୭ରେ ଅନ୍ତର୍ଭୁକ୍ତ ହେବନାହିଁ ଏବଂ ସମଲିଙ୍ଗୀ ସଂପର୍କକୁ ଏଣିକି ଅପରାଧ ବିବେଚନା କରାଯିବ ନାହିଁ। ଅନ୍ୟମାନଙ୍କ ଭଳି ସମଲିଙ୍ଗୀ ଲୋକମାନଙ୍କୁ ମଧ୍ୟ ସମାଜରେ ସମ୍ମାନର ସହିତ ବଂଚିବାର ଅଧିକାର ରହିଛି। ତେବେ ପଶୁଙ୍କ ସହିତ କୌଣସି ପ୍ରକାର ଯୌନ ସଂପର୍କ ସ୍ଥାପନକୁ ଆଇପିସି ଧାରା ୩୭୭ ଆଧାରରେ ଅପରାଧ ବିବେଚନା କରାଯିବ। ଏଥିପାଇଁ ଯେଉଁ ଦଣ୍ଡବିଧାନ ରହିଛି, ତାହା କାର୍ଯ୍ୟକାରୀ ହେବ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି।

ଜଷ୍ଟିସ୍‌ ମିଶ୍ର କହିଲେ, ଲିଙ୍ଗଗତ ଦିଗକୁ ଆଖିରେ ରଖି କୌଣସି ପ୍ରକାର ବାଛବିଚାର କରାଗଲେ ଏହା ମୌଳିକ ଅଧିକାରକୁ ନଷ୍ଟ କରିଦେବ। ସାମାଜିକ ନୈତିକତାକୁ ଦ୍ୱାହି ଦେଇ ମୌଳିକ ଅଧିକାର ଉପରେ ଅଙ୍କୁଶ ଲଗାଇବା ଆଦୌ ଗ୍ରହଣୀୟ ନୁହେଁ। ସେହିଭଳି ସାମାଜିକ ନୈତିକତା ପାଇଁ ସାମ୍ବିଧାନିକ ନୈତିକତାକୁ ଜଳାଞ୍ଜଳି ଦିଆଯାଇ ପାରିବ ନାହିଁ। ଧାରା ୩୭୭କୁ ଅଯୌକ୍ତିକ ବୋଲି ଦର୍ଶାଇ ଖଣ୍ଡପୀଠ କହିଛନ୍ତି, ସହମତି ଓ ଅସହମତି ସଂପର୍କ ମଧ୍ୟରେ ପାର୍ଥକ୍ୟ ଦର୍ଶାଇବା ନେଇ ଏହି ଧାରାରେ କୌଣସି ସ୍ପଷ୍ଟ କରାଯାଇ ନାହିଁ। ଅନ୍ୟପକ୍ଷରେ ଏଲ୍‌ଜିବିଟି ସମୁଦାୟର ଲୋକମାନଙ୍କୁ ସବୁ ଦିଗରୁ ଉତ୍ପୀଡ଼ନ ଦେବା ନିମନ୍ତେ ଏହି ଧାରା ବିଶେଷ ଭାବେ କାର୍ଯ୍ୟ କରିଆସୁଛି। ତେଣୁ ଏଥିରୁ ଏହି ସଂପର୍କକୁ ବାଦ୍‌ ଦେବାର ସମୟ ଆସିଛି। ସେହି ସମୟ ଆଜି ବୋଲି ଖଣ୍ଡପୀଠ ଦର୍ଶାଇଛନ୍ତି।

ଉଲ୍ଲେଖଯୋଗ୍ୟ, ପ୍ରଧାନ ବିଚାରପତି ଦୀପକ ମିଶ୍ର, ବିଚାରପତି ରୋହିଂଟନ୍‌ ନରିମାନ୍‌, ଏ ଏମ୍‌ ଖାନ୍‌ଓ୍ଵିଲ୍‌କର, ଡି ଓ୍ଵାଇ ଚନ୍ଦ୍ରଚୂଡ଼ ଏବଂ ଇନ୍ଦୁ ମାଲ୍‌ହୋତ୍ରାଙ୍କ ଏହି ସମ୍ବିଧାନ ପୀଠ ଜୁଲାଇ ୧୦ରେ ଶୁଣାଣି ଆରମ୍ଭ କରିଥିଲେ। ନବ୍‌ତେଜ୍‌ ସିଂହ ଜୋହର, ସୁନୀଲ୍‌ ମେହରା, ଅମନ୍‌ ନାଥ, ରିତୁ ଡାଲ୍‌ମିଆ ଏବଂ ଆୟଶା କପୁରଙ୍କ ପକ୍ଷରୁ ହୋଇଥିବା ଆବେଦନ ଉପରେ ସୁପ୍ରିମ୍‌କୋର୍ଟ ନିଜ ରାୟର ପୁନଃସମୀକ୍ଷା ପାଇଁ ସହମତ ହୋଇଥିଲେ। ତେବେ ଜୁଲାଇ ୧୦ରେ ଶୁଣାଣି ଆରମ୍ଭ ହୋଇଥିଲେ ହେଁ ଜୁଲାଇ ୧୭ରେ ସୁପ୍ରିମ୍‌କୋର୍ଟ ନିଜ ରାୟ ସଂରକ୍ଷିତ ରଖିଥିଲେ। ଏଥିସହ ସହମତି ଭିତ୍ତିରେ ସମଲିଙ୍ଗୀ ଯୌନସଂପର୍କକୁ ଅପରାଧ ଶ୍ରେଣୀରେ ରଖୁଥିବା ଧାରା ୩୭୭ ବାବଦରେ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ସମ୍ବିଧାନ ପୀଠ ସମସ୍ତ ପକ୍ଷଙ୍କୁ ଜୁଲାଇ ୨୦ ସୁଦ୍ଧା ଲିଖିତ ଆକାରରେ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ।

ପ୍ରଧାନ ବିଚାରପତି ଜଷ୍ଟିସ୍‌ ମିଶ୍ର ଚଳିତବର୍ଷ ଅକ୍ଟୋବର ୨ ତାରିଖରେ ଅବସର ଗ୍ରହଣ କରିବାକୁ ଯାଉଥିବାରୁ ଏହା ପୂର୍ବରୁ ଧାରା ୩୭୭କୁ ନେଇ ଚୂଡ଼ାନ୍ତ ରାୟ ପ୍ରକାଶ ପାଇବା ସମ୍ଭାବନା ଅଧିକ ରହିଛି ବୋଲି କୁହାଯାଉଥିଲା। ତେବେ ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ସୁପ୍ରିମ୍‌କୋର୍ଟ ବହୁଚର୍ଚ୍ଚିତ ଧାରା ୩୭୭କୁ ନେଇ ରହିଥିବା ସମସ୍ତ ବିବାଦକୁ ଆଜି ହଟାଇ ଇତିହାସ ସୃଷ୍ଟି କରିଛନ୍ତି। ଏହାକୁ ନେଇ ଦେଶବ୍ୟାପୀ ଏଲ୍‌ଜିବିଟି ସମୁଦାୟଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି।

ସମ୍ବନ୍ଧିତ ଖବର