ଉପାକୁ ଦୋଷ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ‘ଭାରତରେ ଜିଡିପି ଅଭିବୃଦ୍ଧି ପ୍ରଥମ ଥର ଲାଗି ୫.୭ ପ୍ରତିଶତ ତଳକୁ ଖସିନାହିଁ। ଉପା ସରକାର ଅମଳରେ ଜିଡିପି ଅଭିବୃଦ୍ଧି ଥରେ ନୁହେଁ, ଆଠ ଥର ୫.୭ ପ୍ରତିଶତ ତଳକୁ ଖସିଛି। ଏପରିକି ଉପା ଅମଳରେ କେତେକ ତ୍ରୟମାସିକରେ ଜିଡିପି ଅଭିବୃଦ୍ଧି ୦.୨ ପ୍ରତିଶତ ପର୍ଯ୍ୟନ୍ତ ମଧ୍ୟ ଖସିଛି’ ବୋଲି ଦର୍ଶାଇ ସମାଲୋଚକଙ୍କୁ କଡ଼ା ଜବାବ୍‌ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ମୋଦି ସରକାରଙ୍କ ଆର୍ଥିକ ନୀତିକୁ ଗତ କିଛିଦିନ ହେଲା ବିଭିନ୍ନ ମହଲରୁ କଡ଼ା ସମାଲୋଚନାର ଶରବ୍ୟ ହେବାକୁ ପଡ଼ୁଛି। ବିଶେଷକରି ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନି ମାସରେ ଦେଶର ଜିଡିପି ଅଭିବୃଦ୍ଧି ୫.୭ ପ୍ରତିଶତକୁ ଖସିଆସିଥିବାରୁ ଏଥିଲାଗି ସରକାରଙ୍କ ଆର୍ଥିକ ନୀତି ଓ ବିମୁଦ୍ରାକରଣକୁ ଦାୟୀ କରାଯାଉଛି। ଏହି ପରିପ୍ରେକ୍ଷୀରେ ଆଜି ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତର ଅର୍ଥନୀତିରେ ଜିଡିପି ଅଭିବୃଦ୍ଧିରେ ଏଭଳି ହ୍ରାସ ପ୍ରଥମ ଥର ଲାଗି ହୋଇନି। ଉପା ସରକାରଙ୍କ ୧୦ ବର୍ଷର ଶାସନ କାଳ ମଧ୍ୟରୁ ୬ ବର୍ଷ ଧରି ଅର୍ଥନୀତିରେ ଏଭଳି ଘଟଣା ଦେଖିବାକୁ ମିଳିଥିଲା। ଏପରିକି ଏମିତି କେତୋଟି ତ୍ରୈମାସ ରହିଥିଲା ଯେଉଁ ସମୟରେ ଜିଡିପି ଅଭିବୃଦ୍ଧି ୦.୨ ପ୍ରତିଶତ ମଧ୍ୟ ଖସିଥିଲା ବୋଲି ସେ କହିଛନ୍ତି।

ଭାରତୀୟ କମ୍ପାନି ସେକ୍ରେଟାରି ପ୍ରତିଷ୍ଠାନ (ଆଇସିଏସ୍‌ଆଇ)ର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଯୋଗଦେଇ ପ୍ରଧାନମନ୍ତ୍ରୀ ଏଭଳି ତଥ୍ୟ ପ୍ରଦାନ ଉପସ୍ଥାପନ କରି ସମାଲୋଚକମାନଙ୍କ ମୁହଁ ବନ୍ଦ କରିବାକୁ ପ୍ରୟାସ କରିଛନ୍ତି। ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ, ପୂର୍ବର ଉପା ସରକାରଙ୍କ ଆର୍ଥିକ ନୀତିରେ ତ୍ରୁଟି ଯୋଗୁଁ ସଂପ୍ରତି ଦେଶର ଆର୍ଥିକ ସ୍ଥିତି ଅଧିକ ଜଟିଳ ହୋଇଛି। ଉପା ସରକାରଙ୍କ ଅମଳରେ ଦେଖାଦେଇଥିବା ମାନ୍ଦାବସ୍ଥା ଅର୍ଥନୀତି ପାଇଁ ବଡ଼ ବିପଦ ସୃଷ୍ଟି କରିଛି। ପୂର୍ବ ସରକାରଙ୍କ ଅମଳରେ ଦେଶରେ ମୁଦ୍ରାସ୍ଫୀତି, ଚଳନ୍ତି ଖାତା ନିଅଣ୍ଟ ଏବଂ ବିତ୍ତୀୟ ନିଅଣ୍ଟ ଉଚ୍ଚସ୍ତରରେ ରହିଥିଲା ବୋଲି ମୋଦି କହିଛନ୍ତି।

ଅର୍ଥନୀତିରେ ଏବେ ସଙ୍କଟ ଦେଖାଦେଇଛି ବୋଲି ବିରୋଧୀ ମାନେ କରୁଥିବା ଅଭିଯୋଗ ଉପରେ ମଧ୍ୟ ମୋଦି ଜବାବ ରଖିଛନ୍ତି। ତେବେ ଏବେ ଅର୍ଥନୀତିରେ ଦେଖାଦେଇଥିବା ଆର୍ଥିକ ମାନ୍ଦାବସ୍ଥାକୁ ସେ ସ୍ୱୀକାର କରିଛନ୍ତି। ଏହି ମାନ୍ଦାବସ୍ଥାକୁ ଦୂର କରିବା ଲାଗି ସରକାର କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି ବୋଲି ସେ କହିଛନ୍ତି। ତାଙ୍କ ସରକାରଙ୍କ ଅମଳରେ ୩ ବର୍ଷ ଧରି ଅର୍ଥନୀତିର ଅଭିବୃଦ୍ଧି ୭.୫ ପ୍ରତିଶତ ହାରରେ ଆଗକୁ ବଢ଼ିବା ପରେ ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନିମାସରେ ୫.୭ ପ୍ରତିଶତକୁ ଖସିଆସିଛି। କିନ୍ତୁ ସ୍ଥିତିରେ ପରିବର୍ତ୍ତନ ଆଣିବା ଲାଗି ସରକାର ପ୍ରତିଶ୍ରୁତିବଦ୍ଧ । ସରକାରଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ଦ୍ୱାରା ଭାରତ ବିକାଶର ଏକ ନୂଆ ପର୍ଯ୍ୟାୟରେ ପହଞ୍ଚିବ ବୋଲି ସେ କହିଛନ୍ତି।

ଅର୍ଥନୀତିକୁ ବର୍ତ୍ତମାନର ସରକାର ଠିକ୍‌ ଭାବେ ପରିଚାଳନା କରୁନାହାନ୍ତି ବୋଲି ଯେଉଁମାନେ ସମାଲୋଚନା କରୁଛନ୍ତି ସେମାନଙ୍କ ଉଦ୍ଦେଶ୍ୟରେ ମୋଦି କହିଛନ୍ତି, ସମାଜରେ ଏପରି କିଛି ଲୋକ ଅଛନ୍ତି ଯେଉଁମାନେ ସେମାନଙ୍କ ଚାରିପାଖରେ ନୈରାଶ୍ୟବାଦକୁ ବିଛାଇ ଦେବା ପରେ ହିଁ ଯାଇ ଭଲ ନିଦରେ ଶୋଇଥାନ୍ତି। ଆଗାମୀ ଦିନରେ ଅର୍ଥନୀତିର ଚିତ୍ର ଭଲ ରହିବ। ଗତ ସରକାରଙ୍କ ଅମଳରେ ଆର୍ଥିକ ନୀତି ସ୍ଥାଣୁ ହୋଇଯାଇଥିଲା। ବର୍ତ୍ତମାନର ସରକାର ତାହାକୁ ଦୂର କରିଛନ୍ତି ଏବଂ ଆର୍ଥିକ ନୀତି କାର୍ଯ୍ୟକାରି କରୁଥିବା ସରକାର କହିଲେ ବର୍ତ୍ତମାନର ସରକାରଙ୍କୁ ବୁଝାଉଛି ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି।

ଆର୍ଥିକ ଅଭିବୃଦ୍ଧିକୁ କମ୍‌ କରିବାରେ ଜିଏସ୍‌ଟିର ବଡ଼ ଭୂମିକା ରହିଛି ବୋଲି କୁହାଯାଉଛି। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ କହିଛନ୍ତି, ବ୍ୟବସାୟୀମାନେ ଜିଏସ୍‌ଟି ଯୋଗୁଁ ସମ୍ମୁଖୀନ ହେଉଥିବା ସମସ୍ୟାର ସମୀକ୍ଷା କରିବା ଲାଗି ଜିଏସ୍‌ଟି ପରିଷଦକୁ କୁହାଯାଇଛି। ଜିଏସ୍‌ଟି ପରିଷଦର ପରାମର୍ଶ ଅନୁଯାୟୀ ସରକାର ଏଥିରେ ପରିବର୍ତ୍ତନ ଆଣିବା ଲାଗି ରାଜି ଅଛନ୍ତି ବୋଲି ମୋଦି କହିଛନ୍ତି।

ସମ୍ବନ୍ଧିତ ଖବର