ଦଳିତଙ୍କ ବିରୋଧରେ ଅଣଦଳିତଙ୍କ ମେଳି:ବିଧାୟକଙ୍କ ଘର ପୋଡ଼ିଲେ

ରାଜସ୍ଥାନରେ ତୀବ୍ର ଉତ୍ତେଜନା, କର୍ଫ୍ୟୁ ଜାରି

ଜୟପୁର: ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ଏବଂ ଦଳିତ ଓ ଅଣଦଳିତଙ୍କ ମଧ୍ୟରେ ହିଂସା ଅଣାୟତ୍ତ ରୂପ ନେଇଛି। ଗତକାଲି ଭାରତ ବନ୍ଦ ସମୟରେ ହୋଇଥିବା ହିଂସାକାଣ୍ଡରେ ରାଜସ୍ଥାନ, ମଧ୍ୟପ୍ରଦେଶ ସମେତ ବିଭିନ୍ନ ରାଜ୍ୟରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଜି ଅଣଦଳିତମାନେ ଦଳିତଙ୍କ ବିରୋଧରେ ମେଳି ହୋଇ ହିଂସା ଭିଆଇଛନ୍ତି। ରାଜସ୍ଥାନର କରୌଲି ଜିଲ୍ଲାରେ ଆଜି ଅପରାହ୍ନରେ ପ୍ରାୟ ୫୦୦୦ ବିଶୃଙ୍ଖଳ ଜନତା ହିଂସାତ୍ମକ ଅନ୍ଦୋଳନ କରିଥିବାବେଳେ ଜଣେ ଦଳିତ ବିଧାୟକ ଏବଂ ଜଣେ ପୂର୍ବତନ ବିଧାୟକଙ୍କ ଘର ଜାଳି ଦେଇଛନ୍ତି। କରୌଲି ଜିଲ୍ଲାପାଳ ଅଭିମନ୍ୟୁ କୁମାରଙ୍କ କହିବା ଅନୁଯାୟୀ ହିନ୍ଦୋନ ସହରରେ ବିଜେପି ବିଧାୟକ ରାଜକୁମାରୀ ଏବଂ ପୂର୍ବତନ କଂଗ୍ରେସ ବିଧାୟକ ଭରୋସିଲାଲ୍‌ ଜାତବଙ୍କ ଘର ଉପରେ ହଜାର ହଜାର ଜନତା ଚଢ଼ଉ କରି ନିଅାଁ ଲଗାଇ ଦେଇଥିଲେ। ବିଶୃଙ୍ଖଳ ଜନତାଙ୍କୁ ଘଉଡ଼ାଇବାପାଇଁ ପୁଲିସ ଲୁହବୁହା ଗ୍ୟାସ୍‌ ସେଲ୍‌ ପ୍ର୍ରୟୋଗ କରିବା ସହ ଲାଠି ଚାଳନା ଏବଂ ରବର ବୁଲେଟ୍‌ ମାଡ଼ କରିଥିଲା। ଏହି ହିଂସାକୁ ନେଇ ତୀବ୍ର ଉତ୍ତେଜନା ଲାଗି ରହିଥିବାରୁ ସହରରେ କର୍ଫ୍ୟୁ ଜାରି କରାଯାଇଛି।
ଅତିରିକ୍ତ ପୁଲିସ ଡିଜି ଏନ୍‌ଆରକେ ରେଡ୍ଡି କହିଛନ୍ତି ଯେ ବିଭିନ୍ନ ବାଣିଜ୍ୟିକ ସଂଗଠନ ଏବଂ ଉଚ୍ଚ ଜାତିର ଲୋକେ ହିନ୍ଦୋନ ସହରରେ ଆନ୍ଦୋଳନ କରିଥିଲେ। ସହରରେ ୧୪୪ ଧାରା ଜାରି ହୋଇଥିଲେ ମଧ୍ୟ ଏହାର ଉଲ୍ଳଂଘନ କରି ଲୋକେ ବିକ୍ଷୋଭ କରୁଥିବା ଦେଖିବାକୁ ମିଳିଛି। ଦଳିତ ହିଂସା ଯୋଗୁଁ ହଜାର ହଜାର ବ୍ୟବସାୟୀ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ବ୍ୟବସାୟୀ ସଂଗଠନ ଦାବି କରିଛି । ବିଶୃଙ୍ଖଳ ଜନତା ଆଜି ପୁଲିସ ଉପରକୁ ପଥର ମାଡ଼ କରିବା ପରେ ଉତ୍ତ୍ୟକ୍ତ ଲୋକଙ୍କୁ ଘଉଡ଼ାଇବା ପାଇଁ ପୁଲିସ ଲାଠି ମାଡ଼ କରିଥିଲା । ଆଜିର ହିଂସାରେ ପୁଲିସ ୩୫ ଜଣଙ୍କୁ ଗିରଫ କରିଛି। ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ଆଜି ଭରତପୁର ଡିଭିଜନାଲ କମିସନ, ଆଇଜି ଏବଂ କରୌଲି ଜିଲ୍ଲାପାଳଙ୍କ ଉପସ୍ଥିତିରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି ।

ସମ୍ବନ୍ଧିତ ଖବର