ଉନ୍ନାଓ ଦୁଷ୍କର୍ମ ମାମଲାକୁ ନେଇ ପ୍ରଶ୍ନ କରିବାରୁ ଛାତ୍ରୀଙ୍କ ସ୍କୁଲ ଯିବା ହେଲା ବନ୍ଦ, ଟୁଇଟ୍‌ କରି ବର୍ଷିଲେ ଅଳକା ଲାମ୍ବା

ନୂଆଦିଲ୍ଲୀ : ଦିଲ୍ଲୀର ଚାନ୍ଦନୀ ଚୌକ୍‌ରୁ ଥିବା ବିଧାୟକ ତଥା ଆମ୍‌ ଆଦମୀ ପାର୍ଟିର ନେତା ରହି ସାରିଥିବା ଅଳକା ଲାମ୍ବାଙ୍କ ଟୁଇଟ୍‌କୁ ନେଇ ଏବେ ରାଜନୀତି ଆରମ୍ଭ ହୋଇ ଯାଇଛି । ଖବରକାଗଜରେ ଛପା ଯାଇଥିବା ଖବରର ଫଟୋ ଉଠାଇ ସେ ଟୁଇଟ୍‌ କରିଛନ୍ତି । ଯେଉଁଥିରେ ଉନ୍ନାଓ ଦୁଷ୍କର୍ମ ମାମଲାକୁ ନେଇ ଜଣେ ଛାତ୍ରୀ ପ୍ରଶ୍ନ କରିବାରୁ ତାଙ୍କର ସ୍କୁଲ ଯିବା ବନ୍ଦ ହୋଇ ଯାଇଥିବା ଲେଖାଯାଇଛି ।

ଫଟୋ ଟୁଇଟ୍‌ କରି, ଯଦି ଏହି ଖବର ସତ, ତେବେ ଅଜୟ ବିଷ୍ଟ ତୁମ କ୍ଷମତାରେ ରହିବା ଧିକ୍‌ । କ୍ଷମତାର ଦଲାଲ ତୁମେ । ବେଟି ବଚାଓ ନାରା ଲଗାଇ କ୍ଷମତାକୁ ଆସିଲ । ଏବେ ସେହି ଝିଅମାନଙ୍କ ଦୁଷ୍କର୍ମକାରୀଙ୍କୁ ସୁରକ୍ଷା ଦେଇ ଦୁଷ୍କର୍ମ ବିରୋଧରେ ସ୍ୱର ଉତ୍ତୋଳନ କରୁଥିବା ଝିଅମାନଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରୁଛ । ଉତ୍ତରପ୍ରଦେଶ ପୁଲିସ କିଛି ଜବାବ ଅଛି କି? ବୋଲି ଲେଖିଥିଲେ ଅଳକା । ଅଳକାଙ୍କ ଟୁଇଟ୍‌ ପରେ ପରେ ଅନେକ ଟୁଇଟ୍‌ର ବ୍ୟବହାରକାରୀ ସେହି ଖବରକାଗଜର ଫଟୋ ସେୟାର କରି ଏହାକୁ ବିରୋଧ କରିଥିବା ଦେଖାଯାଇଛି । ତେବେ ଏଭଳି ଅଭିଯୋଗ ଆସିବା ପରେ ବାରବାଙ୍କି ପୁଲିସ ଫଟୋରେ ନଜର ଆସୁଥିବା ଯୁବତୀଙ୍କ ମାତା-ପିତାଙ୍କୁ ଦେଖା କରିଥିଲେ । ସ୍କୁଲ ନ ଯିବାର କାରଣ ପଚରାଯିବା ପରେ ଭଉଣୀର ଦେହ ଖରାପ ଥିବାରୁ ସେ ସ୍କୁଲ ଯାଇ ପାରୁନଥିଲା । ସ୍କୁଲ ନ ଯିବା ପଛରେ ଅନ୍ୟ କୌଣସି କାରଣ ନାହିଁ ବୋଲି ସ୍ପଷ୍ଟ କରିଥିଲେ ଯୁବତୀଙ୍କ ମାତା-ପିତା । ଯାହା ପରେ ଏ ବିଷୟରେ ଟୁଇଟ୍‌ କରି ସ୍ପଷ୍ଟ କରିଥିଲା ବାରବାଙ୍କି ପୁଲିସ ।

ସମ୍ବନ୍ଧିତ ଖବର