ଦୁନିଆର ସବୁଠାରୁ ବିରଳ ରୋଗର ଚିକିତ୍ସା କଲେ ଭାରତୀୟ ଡାକ୍ତର, ଶରୀର ବାହାରକୁ ବାହାରିଥିବା ଯକୃତର ଅସ୍ତ୍ରୋପଚାର କରାଇ ଦେଲେ ନୂଆ ଜୀବନ

ଚେନ୍ନାଇ : ତାଞ୍ଜାନିଆର ୧୯ବର୍ଷିୟ ସାଉଦା ସୁଲେମାନ ଏମୋରଙ୍କୁ ଭାରତରେ ନୂଆ ଜୀବନ ମିଳିିଛି । ଏକ ବିରଳ ରୋଗରେ ପୀଡ଼ିତ ଥିବା ସାଉଦାଙ୍କର ଅନେକ ସ୍ଥାନରେ ଚିକିତ୍ସା କରାଯାଇଥିଲେ ମଧ୍ୟ ତାଙ୍କୁ ସମାଧାନର ବାଟ ମିଳି ନ ଥିଲା । ଶେଷରେ ଭାରତ ଆସି ସେ ନିଜର ଚିକିତ୍ସା କରାଇବା ପରେ ଏବେ ତାଙ୍କୁ ନୂଆ ଜୀବନ ମିଳିଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ଜନ୍ମରୁ ସାଉଦାଙ୍କ ଯକୃତ ଶରୀର ବାହାରେ ପେଟ ତଳେ ଓହଳି ରହିଥିଲା । ଏହି ସମସ୍ୟାର ସମାଧାନ କରାଇବା ପାଇଁ ୫ ବର୍ଷ ବୟସରେ ତାଙ୍କର ଦୁଇ ଥର ଅସ୍ତ୍ରୋପଚାର କରାଯାଇଥିଲା । ଦୁଇ ଥର ଅସ୍ତ୍ରୋପଚାର ପରେ ମଧ୍ୟରେ ଡ଼ାକ୍ତର ସମସ୍ୟାର ସମାଧାନ କରି ପାରି ନଥିଲେ । ସ୍କୁଲ ଯିବା ପରେ ସାଙ୍ଗମାନେ ଗର୍ଭବତୀ ଥିବା କହି ତାଙ୍କ ଚରିତ୍ର ଉପରେ ପ୍ରଶ୍ନ ଉଠାଇବାରୁ ସାଉଦାଙ୍କୁ ସ୍କୁଲ ଛାଡ଼ିବାକୁ ପଡ଼ିଥିଲା । ବାହାରକୁ ବାହାରିଥିବା ତାଙ୍କ ଯକୃତରେ ଯେମିତି ଆଘାତ ନ ଲାଗୁ ସେଥିପାଇଁ ସେ ବାହାରକୁ ଯିବା ମଧ୍ୟ ବନ୍ଦ କରି ଦେଇଥିଲେ । ଅନ୍ୟ କିଛି ବାଟ ନ ପାଇ ସଂପର୍କିୟଙ୍କ ଉପଦେଶ ମାନି ସାଉଦାଙ୍କ ପରିବାର ଲୋକେ ତାଞ୍ଜାନିଆରୁ ଭାରତ ଆସିଥିଲେ । ଭାରତ ଆସିବା ପରେ ଚେନ୍ନାଇରେ ଥିବା ଏସ୍‌ଆଇଏମ୍‌ଏସ୍‌ ଡ଼ାକ୍ତରଖାନାରେ ତାଙ୍କର ଚିକିତ୍ସା ଆରମ୍ଭ ହୋଇଥିଲା ।

foxnews.com

ସାଉଦାଙ୍କ ଚିକିତ୍ସା କରୁଥିବା ଡ଼ାକ୍ତର ରାଧାକୃଷ୍ଣ ପାଟା କିଭଳି ଭାବରେ ସାଉଦାଙ୍କ ଯକୃତକୁ ଭିତରକୁ ନେବା ପାଇଁ ପେଟ ଭିତରେ ଜାଗା ବନାଇଥିଲେ ସେ ବିଷୟରେ ଜଣାଇଥିଲେ । ଯକୃତକୁ ଭିତରକୁ ନେବା ପାଇଁ ସାଉଦାଙ୍କ ପେଟ ଭିତରେ ଜମାରୁ ବି ଜାଗା ନଥିଲା । ଯାହା ପାଇଁ ଆମକୁ ପେଟ ଭିତରେ ପବନ ଭର୍ତ୍ତି କରି ସ୍ଥାନ ସୃଷ୍ଟି କରିବାକୁ ପଡ଼ିଥିଲା । ଏପରି କରିବା ପାଇଁ ଆମକୁ ୨ ସପ୍ତାହ ସମୟ ଲାଗିଥିଲା । ପେଟ ଭିତରେ ସ୍ଥାନ ସୃଷ୍ଟି କରାଯିବା ପରେ ଯକୃତକୁ ଆମେ ଭିତରକୁ ନେଇଥିଲୁ । ୩ ସପ୍ତାହ ସେ ଭାରତରେ ରହିବା ପରେ ଏବେ ସେ ତାଞ୍ଜାନିଆ ଫେରି ଘରେ ବିଶ୍ରାମ କରୁଛନ୍ତି । ଏଭଳି ରୋଗ ହେବାର କାରଣ ହେଉଛି ଯେତେବେଳେ ଶିଶୁଟି ପେଟ ଭିତରେ ଥାଏ ସେତେବେଳେ ତା’ର ପାଚକତନ୍ତ୍ର ତା’ ଶରୀରର ବାହାରେ ବିକଶିତ ହୋଇଥାଏ । ଶିଶୁଟି ୧୧ସପ୍ତାହର ହେବା ପରେ ଏହା ଶିଶୁର ପେଟ ଭିତରକୁ ଚାଲି ଯାଇଥାଏ । କିନ୍ତୁ ସାଉଦାଙ୍କ ସହ ଏପରି ହୋଇ ନଥିଲା ବୋଲି ଡ଼ାକ୍ତର ରାଧାକୃଷ୍ଣ କହିଥିଲେ।

ସମ୍ବନ୍ଧିତ ଖବର