ବୋର୍ଡିଂ ସ୍କୁଲ୍‌ରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ :୪ ନାବାଳକ ଛାତ୍ରଙ୍କ ସମେତ ୯ ଗିରଫ

ଡେରାଡ଼ୁନ୍‌: ଡେରାଡ଼ୁନ୍‌ର ଏକ ବୋର୍ଡିଂ ସ୍କୁଲ୍‌ରେ ଜଣେ ଦଶମ ଶ୍ରେଣୀର ନାବାଳିକା ଛାତ୍ରୀ ଗଣଦୁଷ୍କର୍ମର ଶିକାର ହେବା ଘଟଣା ରାଜ୍ୟବ୍ୟାପୀ ଅଲୋଡ଼ନ ସୃଷ୍ଟି କରିଛି। ମାମଲାରେ ୪ ନାବାଳକଙ୍କ ସମେତ ମୋଟ ୯ ଜଣଙ୍କୁ ଗିରଫ କରାଯାଇଛି। ଉକ୍ତ ଅଭିଯୁକ୍ତମାନଙ୍କ ବିରୋଧରେ ଆଜି ଆଇପିସିର ଧାରା ୩୭୬ ଡି, ୧୨୦ ବି ଏବଂ ୨୦୧ ଅଧୀନରେ ଏବଂ ପୋକ୍ସୋ ଆଇନ ଅଧୀନରେ ଏତଲା ରୁଜୁ ହୋଇଛି।
ଘଟଣାଟି ଗତ ଅଗଷ୍ଟ ମାସ ୧୪ ତାରିଖରେ ଘଟିଥିଲେ ମଧ୍ୟ ସ୍କୁଲ୍‌ ପ୍ରଶାସନ ଘଟଣାଟିକୁ ଚପାଇ ଦେବାକୁ ଚେଷ୍ଟା କରିଥିଲା। ପୀଡ଼ିତା ଗର୍ଭବତୀ ଥିବା ଜାଣିବା ପରେ ସ୍କୁଲ୍‌ କର୍ତ୍ତୃପକ୍ଷ ତାଙ୍କୁ ଗର୍ଭପାତ ପାଇଁ ବାଧ୍ୟ କରିଥିଲେ।

ଏଥିପାଇଁ ତାଙ୍କୁ ବିଭିନ୍ନ ପ୍ରକାର ଔଷଧ ଖାଦ୍ୟରେ ମିଶାଇ ଦେଇଥିଲେ। ତାଙ୍କୁ ଏକ ଘରୋଇ ନର୍ସିଂହୋମ୍‌କୁ ମଧ୍ୟ ନେଇ ଯାଇଥିଲେ। ଅନ୍ୟ କାହାକୁ କହିଲେ ପରିସ୍ଥିତି ଭୟଙ୍କର ହେବ ଏବଂ ତାଙ୍କୁ ସ୍କୁଲ୍‌ରୁ ବିଦା କରିଦିଆଯିବ ବୋଲି ଧମକ ଦିଆଯାଇଥିଲା। କିନ୍ତୁ ଗତ ରବିବାର ଦିନ ଡେରାଡ଼ୁନ୍‌ର ବରିଷ୍ଠ ପୁଲିସ ଏସ୍‌ପି ନିବେଦିତା କୁକ୍ରେତି ଉକ୍ତ ଘଟଣା ସମ୍ପର୍କରେ ଖବର ପାଇ ମାମଲାର ତଦନ୍ତ ଆରମ୍ଭ କରିଛନ୍ତି। ଏହି ମାମଲାରେ ଆଜି ପୁଲିସ ୪ ଜଣ ନାବାଳକଙ୍କୁ ଗଣଦୁଷ୍କର୍ମ ମାମଲାରେ ଗିରଫ କରିଛି। ସ୍କୁଲ୍‌ ନିର୍ଦ୍ଦେଶକ, ପ୍ରିନ୍ସିପାଲ୍‌, ଜଣେ ପ୍ରଶାସନିକ ଅଧିକାରୀ ଏବଂ ତାଙ୍କ ପତ୍ନୀ ଓ ଜଣେ ହଷ୍ଟେଲ୍‌ କେୟାରଟେକରଙ୍କୁ ପ୍ରମାଣ ନଷ୍ଟ ଅଭିଯୋଗରେ ମଧ୍ୟ ଗିରଫ କରାଯାଇଛି।

ସୂଚନାନୁଯାୟୀ, ଡେରାଡ଼ୁନ୍‌ର ସାହାସପୁର ସ୍ଥିତ ଏକ ବୋର୍ଡିଂ ସ୍କୁଲ୍‌ରେ ଏହି ଘଟଣା ଘଟିଛି। ସ୍କୁଲ୍‌ର ଏହି ଦଶମ ଶ୍ରେଣୀ ଛାତ୍ରୀ ୪ ଜଣ ଛାତ୍ରଙ୍କ ଦ୍ୱାରା ଗଣଦୁଷ୍କର୍ମର ଶିକାର ହୋଇଥିଲେ। ପ୍ରାରମ୍ଭରେ ସେ ସ୍କୁଲ୍‌ କର୍ତ୍ତୃପକ୍ଷଙ୍କୁ ଏ ବିଷୟରେ ଜଣାଇଥିଲେ ମଧ୍ୟ ସେମାନେ ପୀଡ଼ିତାଙ୍କୁ ଚୁପ୍‌ ରହିବାକୁ କହିଥିଲେ। ପରେ ପୀଡ଼ିତା ଗର୍ଭବତୀ ଥିବା ଜାଣିବା ପରେ ତାଙ୍କ ବଡ଼ ଭଉଣୀଙ୍କୁ ଏ ବିଷୟରେ ଜଣାଇଥିଲେ। ଖବର ପାଇ ପୀଡ଼ିତାଙ୍କ ପରିବାର ସଦସ୍ୟ ଏବେ ପୁଲିସ ଏବଂ ଶିଶୁ ମଙ୍ଗଳ ଅଧିକାରୀଙ୍କ ସହ ସ୍କୁଲ୍‌ରେ ପହଞ୍ଚିଛନ୍ତି। ଆସନ୍ତାକାଲି ପୀଡ଼ିତାଙ୍କ ଡାକ୍ତରୀ ମାଇନା କରାଯିବ।

ସମ୍ବନ୍ଧିତ ଖବର