ଅତିଶୟ ଥଣ୍ଡାରୁ ‘ଗ୍ଲୋବାଲ୍‌ ଓ୍ଵାର୍ମିଙ୍ଗ୍‌’ ରକ୍ଷା କରିପାରେ: ଡୋନାଲ୍‌ଡ୍‌ ଟ୍ରମ୍ପ୍‌ଙ୍କ ଜୋକ୍‌

ନୂଆଦିଲ୍ଲୀ: ବୈଜ୍ଞାନିକମାନଙ୍କର ଗ୍ଲୋବାଲ୍‌ ଓ୍ଵାର୍ମିଙ୍ଗ୍‌ ଥିଓରିକୁ ଆଜି ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ବିଦ୍ରୂପ କରି କହିଛନ୍ତି ଯେ ଦେଶର ପୂର୍ବ ତଟରେ ହିମ ପ୍ରବାହ ଯୋଗୁଁ ଦୁର୍ଦ୍ଦଶାରେ ଥିବା ଲୋକମାନଙ୍କୁ ବିଶ୍ୱର ଉତ୍ତାପ ବୃଦ୍ଧି ସହାୟକ ହେବ।

ଯୁକ୍ତରାଷ୍ଟ୍ର ଆମେରିକାର ପୂର୍ବାଞ୍ଚଳ ରାଜ୍ୟରେ ତାପମାତ୍ରା ସର୍ବନିମ୍ନ ରେକର୍ଡ ସ୍ତରକୁ ଖସି ଯାଇଛି। ଫଳତଃ, ସେଠାରେ ଥିବା ମିନେସୋତା ଜଳପ୍ରପାତ ବରଫ ପାଲଟି ଯାଇଛି। ଏ ସମ୍ପର୍କରେ ଟୁଇଟ୍‌ କରି ଟ୍ରମ୍ପ୍‌ ଲେଖିଛନ୍ତି: ପୂର୍ବରେ ଏଥର ଶୀତଳତମ ନବବର୍ଷ ପୂର୍ବ ସନ୍ଧ୍ୟା ରେକର୍ଡ ହୋଇ ପାରେ।

ଅନ୍ୟ ଦେଶ ନୁହେଁ କେବଳ ଆମ ଦେଶ ଗ୍ଲୋବାଲ୍‌ ଓ୍ଵାର୍ମିଙ୍ଗ୍‌ରୁ ରକ୍ଷା ପାଇବା ପାଇଁ ଟ୍ରିଲିୟନ୍‌ ଟ୍ରିଲିୟନ୍‌ ଡଲାର୍‌ ଅର୍ଥ ଖର୍ଚ୍ଚ କରୁଛି। ସେଇ ଗ୍ଲୋବାଲ୍‌ ଓ୍ଵାର୍ମିଙ୍ଗ୍‌ରୁ ଟିକିଏ ଆଣି ବୋଧହୁଏ ଆମେ ହେମାଳରୁ ରକ୍ଷା ପାଇ ଯାଆନ୍ତେ। ଗ୍ଲୋବାଲ୍‌ ଓ୍ଵାର୍ମିଙ୍ଗ୍‌କୁ ସେ ବାଜେ କଥା ବୋଲି କହିଛନ୍ତି।

ଗ୍ରୀନ୍‌ ହାଉସ୍‌ ଗ୍ୟାସ୍‌ ଛାଡ଼ିବାରେ ଆମେରିକା ହେଉଛି ବିଶ୍ୱର ଦ୍ୱିତୀୟ-ବୃହତ୍ତମ ରାଷ୍ଟ୍ର। ତା’ରି ଯୋଗୁଁ ହିଁ ବିଶ୍ୱ ତାପାୟାନ ବୃଦ୍ଧି ପାଉଛି। କିନ୍ତୁ, ଟ୍ରମ୍ପ୍‌ଙ୍କର ବିଶ୍ୱାସ ଚୀନ୍‌ ହିଁ ଗ୍ଲୋବାଲ୍‌ ଓ୍ଵାର୍ମିଂ ପ୍ରସଙ୍ଗକୁ ବଢ଼େଇ ଚଢ଼େଇ ପ୍ରଚାର କରୁଛି। ପୂର୍ବରୁ ଚୀନ୍‌ ଓ ଭାରତକୁ ଆକ୍ଷେପ କରି ଯୁକ୍ତରାଷ୍ଟ୍ର ଆମେରିକାକୁ ସେ ଜଳବାୟୁ ପରିବର୍ତ୍ତନ ବିରୋଧରେ ଲଢୁଥିବା ଐତିହାସିକ ପ୍ୟାରିସ୍‌ ରାଜିନାମାରୁ ଓହରାଇ ଆଣିଥିଲେ।

ସମ୍ବନ୍ଧିତ ଖବର