ବିଧାନସଭାରେ ଆସ୍ଥା ଭୋଟ୍‌ ଜିଣିଲେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ଵନ୍ତ

ପାଣାଜୀ: ବୁଧବାର ଦିନ ରାଜ୍ୟ ବିଧାନସଭାରେ ଆସ୍ଥା ଭୋଟ୍‌ ଜିଣି ଗୋଆରେ ବିଜେପି ନେତୃତ୍ୱାଧୀନ ସରକାର ତା’ର ସଂଖ୍ୟଗରିଷ୍ଠତା ପ୍ରମାଣ କରିଛି। ସଦସ୍ୟ ସଂଖ୍ୟା ୪୦ରୁ ୩୬କୁ ଖସି ଆସିଥିବା ବିଧାନସଭାରେ ପ୍ରମୋଦ ସାଓ୍ଵନ୍ତଙ୍କ ସରକାରକୁ ୨୦ ଜଣ ବିଧାୟକ ସମର୍ଥନ କରିଥିଲେ।

ଆସ୍ଥା ଭୋଟ୍‌ରେ ମତଦାନ କରିଥିବା ସଦସ୍ୟମାନଙ୍କ ମଧ୍ୟରେ ଅଛନ୍ତି ଅସୁସ୍ଥ ବିଜପେି ବିଧାୟକ ପାଣ୍ଡୁରଙ୍ଗ ମଡ଼କାଇକର। ଗତବର୍ଷ ଜୁନ୍‌ ମାସରେ ଷ୍ଟ୍ରୋକ୍‌ ଶିକାର ହୋଇଥିବା ପାଣ୍ଡୁରଙ୍ଗ ଆଜି ସର୍ବସାଧାରଣଙ୍କୁ ସାମ୍ନାକୁ ଆସିଥିଲେ।

କାର୍ଯ୍ୟକାରୀ ବାଚସ୍ପତି ଏବଂ ଭାରତୀୟ ଜନତା ପାର୍ଟିର ବିଧାୟକ ମାଇକେଲ୍‌ ଲୋବୋ ଆସ୍ଥା ଭୋଟ୍‌ ପରିଚାଳନା କରିଥିଲେ।

ପ୍ରମୋଦ ସାଓ୍ଵନ୍ତ ଗୋଆ ବିଧାନସଭା ବାଚସ୍ପତି ପଦରୁ ଇସ୍ତଫା ଦେଇ ଅଧରାତି ପରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ଶପଥ ନେବାର ଦିନକ ପରେ ଆସ୍ଥା ପ୍ରମାଣର ସମ୍ମୁଖୀନ ହୋଇଥିଲେ। ଭାରତୀୟ ଜନତା ପାର୍ଟି ଓ ତା’ର ମେଣ୍ଟ ସହଯୋଗୀଙ୍କ ମଧ୍ୟରେ ନୂତନ କ୍ଷମତା-ବାଣ୍ଟକୁଣ୍ଟ ବ୍ୟବସ୍ଥା ଦ୍ୱାରା ଦୁଇ ଉପମୁଖ୍ୟମନ୍ତ୍ରୀ ନିଯୁକ୍ତ ହୋଇଛନ୍ତି। ସେମାନେ ହେଲେ ଜିଏଫ୍‌ପିର ବିଜୟୀ ସରଦେଶାଇ ଓ ଏମ୍‌ଜିପିର ସୁଦିନ ଧବାଲିକର୍‌।

ସମ୍ବନ୍ଧିତ ଖବର