ଆସ୍ଥା ଭୋଟ୍‌ ଜିଣିଲେ ଗୋଆ ମୁଖ୍ୟମନ୍ତ୍ରୀ

0

ପାନାଜୀ: ଗୋଆରେ ବିଜେପି ନେତୃତ୍ବାଧୀନ ନୂତନ ମିଳିତ ସରକାର ଆଜି ଆସ୍ଥା ଭୋଟ୍‌ରେ ବିଜୟୀ ହୋଇଛି। ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଆଜି ଆସ୍ଥା ଭୋଟ୍‌ର ସମ୍ମୁଖୀନ ହେବାପାଇଁ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଡକାଯାଇଥିଲା। ସରକାରଙ୍କ ସପକ୍ଷରେ ୨୦ଟି ଭୋଟ୍‌ ପଡ଼ିଥିବା ବେଳେ ବିରୋଧୀ ଦଳଙ୍କୁ ୧୫ଟି ଭୋଟ୍‌ ମିଳିଥିଲା। ୪୦ ଆସନ ବିଶିଷ୍ଟ ଗୋଆ ବିଧାନସଭାରେ ୩୫ ସଦସ୍ୟ ଭୋଟ୍‌ଦାନରେ ଅଂଶ ଗ୍ରହଣ କରିଥିଲେ। ବାଚସ୍ପତି ପ୍ରମୋଦ ସାୱନ୍ତ ତାଙ୍କ ପଦରୁ ଇସ୍ତଫା ଦେଇ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବାରୁ ଉପବାଚସ୍ପତି ମାଇକେଲ ଲୋବୋ ବାଚସ୍ପତି ଦାୟିତ୍ବ ତୁଲାଇଥିଲେ। ବିଧାନସଭାରେ ବିଜେପିର ଏବେ ୧୧ ଜଣ ସଦସ୍ୟ ରହିଥିବା ବେଳେ ଏମଜିପି ଏବଂ ଗୋଆ ଫରୱାର୍ଡ ଦଳର ୩ ଜଣ ଲେଖାଏଁ ସଦସ୍ୟ ଅଛନ୍ତି। କଂଗ୍ରେସର ୧୪ ଜଣ ସଦସ୍ୟ ଥିବା ବେଳେ ୩ ଜଣ ସ୍ବାଧୀନ ସଦସ୍ୟ ଅଛନ୍ତି।
ଆଜି ଗୃହରେ ଦିବଂଗତ ପୂର୍ବ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କଲାବେଳେ ମୁଖ୍ୟମନ୍ତ୍ରୀ ସାୱନ୍ତ କାନ୍ଦି ପକାଇଥିଲେ। କେବଳ ପାରିକରଙ୍କ ଯୋଗୁଁ ମୁଁ ଆଜି ଏହି ଆସନରେ ବସି ଲୋକଙ୍କ ସେବା କରିବାକୁ ସୁଯୋଗ ପାଇଛି ବୋଲି ସେ କହିଥିଲେ। ବିଜେପି ବିଧାୟକ ଦଳ ପକ୍ଷରୁ କ୍ୟାବିନେଟ୍‌ ମନ୍ତ୍ରୀ ଏମ୍‌. ଗୋଦିନୋ କହିଥିଲେ ଯେ ପାରିକରଙ୍କ ଅପୂର୍ବ ନେତୃତ୍ବ ଦକ୍ଷତା ଏବଂ ସେବା ଭାବନା ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ। ପାରିକର ଜୀବନ ଯୁଦ୍ଧରେ କେବେ ହାରିନଥିଲେ ଏବଂ ତାଙ୍କର ଦୃଢ଼ ଆତ୍ମବଳ ଯୋଗୁଁ ସେ ବିଗତ ୧ ବର୍ଷ ଧରି ସବୁ ପ୍ରତିକୂଳ ସ୍ଥିତି ସତ୍ତ୍ବେ ଲୋକଙ୍କ ସେବା କରିଚାଲିଥିଲେ ବୋଲି ଏନ୍‌ସିପି ବିଧାୟକ ତଥା ପୂର୍ବ ମୁଖ୍ୟମନ୍ତ୍ରୀ ଚର୍ଚ୍ଚିଲ ଆଲେମିଓ କହିଥିଲେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.