ନୂଆଦିଲ୍ଲୀରେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିବା ଗୋଆର ୧୦ ବିଧାୟକ , ଆଜି ଅମିତ ଶାହା ଓ ଜେପି ନଡ୍ଡାକୁ ଭେଟିବେ

ନୂଆଦିଲ୍ଲୀ : ଗତକାଲି କଂଗ୍ରେସର ୧୫ ଜଣ ବିଧାୟକଙ୍କ ମଧ୍ୟରୁ ୧୦ ଜଣ ଦଳ ଛାଡ଼ିଥିଲେ। ସେମାନେ ଆଜି ସେହି ୧୦ ଜଣ ବିଧାୟକ ଆଜି  ନୂଆଦିଲ୍ଲୀରେ ପହଂଚିଛନ୍ତି । କଂଗ୍ରେସ ପ୍ରତି ବିମୁଖ ହୋଇଥିବା ଏହି ବିଧାୟକମାନେ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କ ନେତୃତ୍ୱରେ ଦିଲ୍ଲୀ ଗସ୍ତ କରିଛନ୍ତି । ଏମାନେ ସମସ୍ତେ ଆଜି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ ବିଜେପି କାର୍ଯ୍ୟକାରୀ ସଭାପତି ଜେପି ନଡ୍ଡାକୁ ଭେଟିବେ ବୋଲି ଜଣାଯାଇଛି । ଏହାପରେ ୧୦ ଜଣ ବିଧାୟକଙ୍କ ମଧ୍ୟରୁ କେତେକଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯିବା ସହ ଆଉ କେତେକଙ୍କୁ ଅନ୍ୟ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଦିଆଯିବ ବୋଲି କୁହାଯାଉଛି।

photo-indiatoday

ଗୋଆରେ ବିରୋଧୀ ଦଳର ନେତା ଚନ୍ଦ୍ରକାନ୍ତ କାଭଲେକରଙ୍କ ନେତୃତ୍ବରେ ୧୦ ଜଣ ବିଧାୟକ ବିଧାନସଭା ଯାଇ ଗତକାଲି ବାଚସ୍ପତି ରାଜେଶ ପାଟନେକରଙ୍କୁ ଭେଟିଥିଲେ। ସେମାନେ କଂଗ୍ରେସରୁ ଅଲଗା ହୋଇଯାଇଛନ୍ତି ଏବଂ ଏହି ୧୦ ଜଣିଆ ଗୋଷ୍ଠୀକୁ ସ୍ବତନ୍ତ୍ର ଗୋଷ୍ଠୀର ମାନ୍ୟତା ଦେବାଲାଗି ଦାବି ଜଣାଇଥିଲେ। ଏହି ସମୟରେ ସେଠାରେ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ମଧ୍ୟ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ ଯେ ୨୦୧୭ରେ ଅନୁଷ୍ଠିତ ୪୦ ସଭ୍ୟ ବିଶିଷ୍ଟ ବିଧାନସଭା ନିର୍ବାଚନରେ କଂଗ୍ରେସ ସର୍ବାଧିକ ଆସନ ପାଇଥିଲା। ମାତ୍ର ବିଜେପିକୁ ସରକାର ଗଠନ ପାଇଁ ସୁଯୋଗ ମିଳିଥିଲା। ପରବର୍ତୀ ସମୟରେ କଂଗ୍ରେସର ଦୁଇ ଜଣ ବିଧାୟକ ବିଜେପିରେ ଯୋଗଦେଇଥିଲେ। ଏବେ କଂଗ୍ରେସର ଆଉ ୧୦ ଜଣ ବିଜେପିରେ ମିଶିବା ଫଳରେ ରାଜ୍ୟ ବିଧାନସଭାରେ କଂଗ୍ରେସ ସଭ୍ୟସଂଖ୍ୟା ୧୫ରୁ ୫କୁ ଖସି ଆସିବ।

ଏହାସହିତ ବିଜେପି ସଂଖ୍ୟା ୧୭ରୁ ୨୭କୁ ବୃଦ୍ଧି ପାଇବ। ଗୋଆ ଫରୱାର୍ଡ ପାର୍ଟିର ୩ ଜଣ ଏବଂ ୩ ସ୍ବାଧୀନ ବିଧାୟକଙ୍କ ସମର୍ଥନରେ ବିଜେପି ସରକାର ଗଠିତ ହୋଇଛି।

 

ସମ୍ବନ୍ଧିତ ଖବର