ଗୋଆ-ପାଟନା ଏକ୍ସପ୍ରେସ ଲାଇନ୍‌ଚ୍ୟୁତ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ଆଜି ପୁଣି ଏକ ରେଳ ଦୁର୍ଘଟଣାରେ ୩ ଜୀବନ ଯାଇଛି। ଚିତ୍ରକୁଟ ଜିଲ୍ଲାର ମାଣିକପୁର ରେଳ ଷ୍ଟେସନ ନିକଟରେ ଗୋଆ-ପାଟନା ଭାସ୍କୋଡାଗାମା ଏକ୍ସପ୍ରେସର ୧୩ଟି ବଗି ଲାଇନଚ୍ୟୁତ ହୋଇ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୯ ଜଣ ଆହତ ହୋଇଛନ୍ତି। ମୃତ ୩ ଜଣଙ୍କ ମଧ୍ୟରେ ବିହାରର ବେଟିଆ ଜିଲ୍ଲାର ବାପ-ପୁଅ ରହିଥିବା ଚିତ୍ରକୁଟ ଏସପି ପ୍ରତାପ ଗୋପେନ୍ଦ୍ର ସିଂହ କହିଛନ୍ତି। ସମସ୍ତ ଆହତ ଚିତ୍ରକୁଟ ଜିଲ୍ଲା ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଟ୍ରେନ୍‌ଟି ଗୋଆରୁ ପାଟନା ଅଭିମୁଖେ ଯାତ୍ରା କରୁଥିବାବେଳେ ଭୋର ୪ଟା ୧୮ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଲକ୍ଷ୍ନୌଠାରୁ ୨୫୦ କିମି ଦୁର ଚିତ୍ରକୁଟ ଜିଲ୍ଲାର ମାଣିକପୁର ରେଳ ଷ୍ଟେସନର ୨ ନମ୍ବର ପ୍ଲାଟଫର୍ମରୁ ଟ୍ରେନ୍‌ଟି ଛାଡ଼ିବାର ପ୍ରାୟ ୧୦ ମିିନିଟ୍‌ ମଧ୍ୟରେ ହିଁ ଲାଇନ୍‌ଚ୍ୟୁତ ହୋଇଥିଲା ବୋଲି ରେଳ ଅଧିକାରୀଙ୍କ ସୁତ୍ରରୁ ଜଣାପଡ଼ିଛି। ରେଳମନ୍ତ୍ରୀ ପିୟୁଷ ଗୋଏଲ ମୃତକଙ୍କ ପରିବାର ସଦସ୍ୟଙ୍କୁ ୫ ଲକ୍ଷ ଟଙ୍କା କ୍ଷତପୂରଣ ଘୋଷଣା କରିଥିବାବେଳେ ଗୁରୁତର ଆହତ ହୋଇଥିବା ବ୍ୟକ୍ତିିଙ୍କୁ ୧ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି। ସେହିପରି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ମୃତକଙ୍କ ପରିବାର ସଦସ୍ୟଙ୍କ ଲାଗି ୨ ଲକ୍ଷ ଟଙ୍କା, ଗୁରୁତର ଆହତ ହୋଇଥିବା ବ୍ୟକ୍ତଙ୍କ ଲାଗି ୫୦ ହଜାର ଟଙ୍କା ଏବଂ ସାମାନ୍ୟ ଆହତ ହୋଇଥିବା ଲୋକଙ୍କ ଲାଗି ୨୫୦୦୦ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି। ରେଳ ଲାଇନ୍‌ରେ ଫାଟ ଥିବା ହେତୁ ଏହି ଦୁର୍ଘଟଣା ହୋଇଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାଯାଇଥିବା ଏଡିଜି ଆନନ୍ଦ କୁମାର କହିଛନ୍ତି।

ପାସେଂଜର ଟ୍ରେନ୍‌-ବୋଲେରୋ ଧକ୍କା, ୪ ମୃତ

ଭାସ୍କୋଡାଗାମା-ପାଟନା ଏକ୍ସପ୍ରେସ ଲାଇନଚ୍ୟୁତ ହେବାର ୧୨ ଘଣ୍ଟା ପୂର୍ବରୁ ଲକ୍ଷ୍ନୌ ନିକଟରେ ଏକ ପାସେଞ୍ଜର ଟ୍ରେନ୍‌ ସହ ଏକ ବୋଲେରୋ ଧକ୍କା ହୋଇ ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨ ଜଣ ଆହତ ହୋଇଛନ୍ତି। ସେହିପରି ଅନ୍ୟ ଏକ ଘଟଣାରେ ଉତ୍ତରପ୍ରଦେଶର ଶାହରନପୁରରେ ଜମ୍ମୁ-ପାଟନା ଅର୍ଚ୍ଚନା ଏକ୍ସପ୍ରେସରୁ ଇଞ୍ଜିନ୍‌ ଟ୍ରେନ୍‌ଠାରୁ ବିଚ୍ଛିନ ହୋଇଯାଇଥିବା ଜଣାପଡ଼ିଛି। ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇନାହିଁ ବୋଲି ରେଳ ବିଭାଗ ପ୍ରବକ୍ତା ଅନିଲ ସାକ୍ସେନା କହିଛନ୍ତି ।

ସମ୍ବନ୍ଧିତ ଖବର