ହସ ବଦଳରେ ଲୁହ: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଆଣିଲେ ପୁନମ୍, ପଡ଼ୋଶୀଙ୍କ ଠାରୁ ଖାଇଲେ ମାଡ଼
ଉତ୍ତରପ୍ରଦେଶର ବାରାଣସୀରେ ଘଟିଛି ଅଭାବନୀୟ ଘଟଣା
ବାରାଣସୀ: ଉତ୍ତରପ୍ରଦେଶର ବାରାଣସୀ ଠାରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ସ୍ୱର୍ଣ୍ଣ ପଦକ ବିଜୟିନୀଙ୍କୁ ହସ ବଦଳରେ ଲୁହ ମିଳିଛି। ଅଷ୍ଟ୍ରେଲିଆର ଗୋଲଡ୍କୋଷ୍ଟ ଠାରେ ଅନୁଷ୍ଠିତ ୨୧ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଆଣିଥିବା ପୁନମ ଯାଦବ ଶନିବାର ବାରାଣସୀ ପହଞ୍ଚିବା ପରେ ପଡୋଶୀଙ୍କ ଦ୍ୱାରା ମାଡ଼ ଖାଇଛନ୍ତି। ଭାରୋତ୍ତୋଳନରେ ପୁନମ ସ୍ୱର୍ଣ୍ଣ ପଦକ ଜିତିବା ପରେ ସ୍ୱଦେଶ ଫେରିଛନ୍ତି। ବାରଣାସୀରେ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ ଜଣାଇବା ବଦଳରେ ତାଙ୍କ ପଡ଼ୋଶୀମାନେ ପିଟିଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ହୋଇଛି। ଖୁସିରେ ଘରକୁ ଫେରିଥିବା ପୁନମ କେବେ ଭାବି ନଥିଲେ ଯେ, ସେ ଏଭଳି ଘଟଣାର ସମ୍ମୁଖୀନ ହେବେ।
Weightlifter Poonam Yadav, who won a gold medal in the #CommonwealthGames2018, complained to police that she was attacked by neighbours of her aunt following an argument with them in Rohaniya
— ANI UP (@ANINewsUP) April 14, 2018
ପୁନମ ଓ ତାଙ୍କ ମାଉସୀ ଝିଅ ଭଉଣୀଙ୍କ ଉପରେ ଶନିବାର ବାରାଣସୀର ରୋହନିଆ ଠାରେ ମାଡ଼ ହୋଇଥିବା ଅଭିଯୋଗ ହୋଇଛି। ପଡୋଶୀ ଲୋକେ ଭଉଣୀଙ୍କୁ ପିଟୁଥିବା ବେଳେ ପୁନମ ମଝିରେ ପଶିଥିଲେ। ଫଳରେ ତାଙ୍କୁ ମଧ୍ୟ ଆକ୍ରମଣର ଶିକାର ହେବାକୁ ପଡ଼ିଥିଲା।
ଗୋଲଡ୍କୋଷ୍ଟରୁ ଫେରିବା ପରେ ପୁନମ୍ ମାଉସୀଙ୍କ ଘରକୁ ଯାଇଥିଲେ। କୌଣସି କାରଣରୁ ମାଉସୀଙ୍କ ପରିବାର ଓ ପଡୋଶୀଙ୍କ ମଧ୍ୟରେ ଝଗଡ଼ା ଲାଗିଥିଲା। ଏହାରି ଭିତରେ ପୁନମ ମଧ୍ୟସ୍ଥତା କରିବାରୁ ତାଙ୍କୁ ମଧ୍ୟ ମାଡ଼ ଖାଇବାକୁ ପଡ଼ିଥିଲା। ପଡ଼ୋଶୀମାନେ ପଥର ଓ ଇଟା ଦ୍ୱାରା ଆକ୍ରମଣ କରିଥିଲେ। କୁହାଯାଉଛି ଯେ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଗଣ୍ଡଗୋଳ ହୋଇଛି।