ଗୁଗୁଲ୍‌ରେ ବିଜ୍ଞାପନ ଖର୍ଚ୍ଚ, ସର୍ବାଗ୍ରେ ବିଜେପି

ନୂଆଦିଲ୍ଲୀ : ରାଜ‌େନୈତିକ ବିଜ୍ଞାପନ ଦେବାରେ ବିଜେପି ସବୁ ରାଜନୈତିକ ଦଳକୁ ପଛରେ ପକାଇ ଦେଇଛି। ଗୁଗୁଲ୍‌‌େର ଥିବା ରାଜ‌ନୈତିକ ବିଜ୍ଞାପନଦାତା ତାଲିକାରେ ବିଜେପି ସର୍ବାଗ୍ରେ ରହିଛି। ତେବେ ଏହି ତାଲିକାରେ କଂଗ୍ରେସ ଷଷ୍ଠ ସ୍ଥାନରେ ରହି ପଛରେ ପଡ଼ିଯାଇଛି। ବିଜ୍ଞାପନରେ ଅଧିକ ଟଙ୍କା ଖର୍ଚ୍ଚ କରିବାରେ କଂଗ୍ରେସଠୁ ଆଗରେ ରହିଛି ୱାଇଏସ୍‌ଆର କଂଗ୍ରେସ ଏବଂ ଚନ୍ଦ୍ରବାବୁ ନାଇଡ଼ୁଙ୍କ ଟିଡିପି (ତେଲୁଗୁ ଦେଶମ୍‌ ପାର୍ଟି)। ଗୁଗୁଲ୍‌ର ଇଣ୍ଡିଆନ୍‌ ଟ୍ରାନ୍ସପରେନ୍ସି ରିପୋର୍ଟ ଅନୁଯାୟୀ ଗତ ଫେବ୍ରୁଆରି ୧୯ ତାରିଖରୁ ବିଭିନ୍ନ ରାଜନୈତିକ ଦଳ ଏବଂ ମେଣ୍ଟ ସହଯୋଗୀମାନେ ଗୁଗୁଲ୍‌ରେ ୩.୭୬ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ତେବେ ବିଜ୍ଞାପନ ବାବଦରେ ଗୁଗୁଲ୍‌ରେ ଖର୍ଚ୍ଚ ହୋଇଥିବା ସମୁଦାୟ ମୂଲ୍ୟର କେବଳ ୩୨ ପ୍ରତିଶତ ବିଜେପି ହିଁ ବ୍ୟୟ କରିଛି। ବିଜେପିର ସମୁଦା‌ୟ ବିଜ୍ଞାପନ ଖର୍ଚ୍ଚ ହେଉଛି ୧.୨୧ କୋଟି। ତେବେ କଂଗ୍ରେସ ଗୁଗୁଲ୍‌ରେ ବିଜ୍ଞାପନ ଦେବାରେ ୫୪,୧୦୦ ଟଙ୍କା ଖର୍ଚ୍ଚ କରିଛି।

ଗୁଗୁଲ୍‌ର ରାଜନୈତିକ ବିଜ୍ଞାପନଦାତା ତାଲିକାର ତୃତୀୟ ସ୍ଥାନରେ ରହିଛି ଆନ୍ଧ୍ରପ୍ରଦେଶର ଜଗନ ରେଡ୍ଡିଙ୍କ ନେତୃତ୍ବାଧୀନ ୱାଇଏସଆର କଂଗ୍ରେସ। ରିପୋର୍ଟ ଅନୁଯାୟୀ ଏହା ଗୁଗୁଲ୍‌ରେ ବିଜ୍ଞାପନ ବାବଦରେ ୧.୦୪ କୋଟି ଟଙ୍କା ବିନିଯୋଗ କରିଛି। ଅନ୍ୟପକ୍ଷେ ପାମ୍ମି ସାଇ ଚରଣ ରେଡ୍ଡି ନାମକ ଅନ୍ୟ ଏକ ବିଜ୍ଞାପନଦାତା ୱାଇଏସଆର କଂଗ୍ରେସ ପ୍ରାର୍ଥୀଙ୍କୁ ଉତ୍ସାହିତ କରିବାପାଇଁ ୨୬,୪୦୦ ଟଙ୍କା ଖର୍ଚ୍ଚ କରିଛି। ସେହିପରି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁଙ୍କ ନେତୃତ୍ବାଧୀନ ଟିଡିପି (ତେଲୁଗୁ ଦେଶମ ପାର୍ଟି) ବିଜ୍ଞାପନ ବାବଦରେ ୮୫.୨୫ ଲକ୍ଷ ଟଙ୍କା ବିନିମୟ କରି ଏହି ତାଲିକାର ତୃତୀୟ ସ୍ଥାନରେ ରହିଛି। ଅନ୍ୟପକ୍ଷେ ଡିଜିଟାଲ କନସଲ୍‌ଟିଙ୍ଗ୍ ପ୍ରାଇଭେଟ୍‌ ଲିମିଟେଡ୍‌ ନାମକ ଅନ୍ୟ ଏକ ସଂସ୍ଥା ନାଇଡ଼ୁ ଏବଂ ତାଙ୍କ ଦଳର ପ୍ରଚାର ବାବଦରେ ବିଜ୍ଞାପନ ପାଇଁ ୬୩.୪୩ ଲକ୍ଷ ଟଙ୍କା ଖର୍ଚ୍ଚ କରି ତାଲିକାର ଚତୁର୍ଥ ସ୍ଥାନରେ ରହିଛି। ତେବେ ବିଜ୍ଞାପନ ନୀତି ନିୟମର ଉଲ୍ଲଂଘନ ହେତୁ ୧୧ଟି ରାଜନୈତିକ ବିଜ୍ଞାପନଦାତା ମଧ୍ୟରୁ ୪ଟିକୁ ଗୁଗୁଲ୍ ବ୍ଲକ୍‌ କରିଦେଇଛି।

ସମ୍ବନ୍ଧିତ ଖବର