ଏଣିକି ଏଲ୍‌ଟିସିରେ ବିଦେଶ ବୁଲି ପାରିବେ ସରକାରୀ କର୍ମଚାରୀ

ନୂଆଦିଲ୍ଲୀ: ଖୁବ୍‌ ଶୀଘ୍ର କେନ୍ଦ୍ର ସରକାରୀ କର୍ମଚାରୀ ଏଲ୍‌ଟିସି (ଛୁଟିକାଳୀନ ପରିଭ୍ରମଣ ବ୍ୟୟର ରିହାତି ବ୍ୟବସ୍ଥା) ନେଇ ଏସିଆର ୫ଟି ଦେଶକୁ ଯାଇ ପାରିବେ ବୋଲି ରବିବାର କେନ୍ଦ୍ର ସରକାରଙ୍କର ଜନୈକ ପଦସ୍ଥ ଅଧିକାରୀ ଘୋଷଣା କରିଛନ୍ତି । ଏହି ନିଷ୍ପତ୍ତିକୁ ନେଇ କେନ୍ଦ୍ର ପର୍ସୋନେଲ ମନ୍ତ୍ରାଳୟ ନିଜର ସହମତି ଜଣାଇଥିବା ବେଳେ ଗୃହ, ପର୍ଯ୍ୟଟନ ଏବଂ ବେସାମରିକ ବିମାନ ଚଳାଚଳ ବିଭାଗକୁ ଯେତେ ଶୀଘ୍ର ସମ୍ଭବ ଏ ନିଷ୍ପତ୍ତି ସଂପର୍କରେ ନିଜର ମତ ରଖିବା ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଥିବା ଜଣା ପଡ଼ିଛି ।

Moneycontrol

ଏହି ଏଲ୍‌ଟିସି ଯୋଜନା ମାଧ୍ୟମରେ ବିଦେଶ ମନ୍ତ୍ରାଳୟ ଏସିଆର ୫ଟି ଦେଶକୁ ଏଥିରେ ସାମିଲ କରିଛି । ସେମାନଙ୍କ ମଧ୍ୟରେ ରହିଛନ୍ତି କାଜାକିସ୍ତାନ, ତୁର୍କମେନିସ୍ତାନ, ଉଜବେକିସ୍ତାନ, କିର୍‌ଗିସ୍ତାନ ଏବଂ ତାଜାକିସ୍ତାନ । କେନ୍ଦ୍ରୀୟ ସରକାରୀ କର୍ମଚାରୀମାନଙ୍କୁ ଏହି ୫ଟି ଦେଶକୁ ଭ୍ରମଣ ଉଦ୍ଦେଶ୍ୟରେ ପଠାଇବା ପଛରେ ଏକ ଗୁରୁତ୍ତ୍ୱପୂର୍ଣ୍ଣ ଲକ୍ଷ୍ୟ ରହିଥିବା ଜଣା ପଡ଼ିଛି । ଏହି ଦେଶମାନଙ୍କରେ ଭାରତର ଛାପ ଛାଡ଼ିବା ପାଇଁ ଏଭଳି ବ୍ୟବସ୍ଥା କରାଯାଇଛି । ଏହା ପ୍ରଥମ ନୁହେଁ । ଏହା ପୂର୍ବରୁ ମାର୍ଚ୍ଚ ମାସରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ଏଲ୍‌ଟିସି ମାଧ୍ୟମରେ ସାର୍କ ଦେଶଗୁଡ଼ିକୁ ଭ୍ରମଣରେ ଯିବା ପାଇଁ କୁହାଯାଇଥିଲା । ସାର୍କ ଦେଶ ସହ ସଂପର୍କ ସ୍ଥାପନ କରି ସେମାନଙ୍କ ସହ ଭାରତର ସଂପର୍କକୁ ସୁଦୃଢ଼ କରିବା ଏହାର ଲକ୍ଷ୍ୟ ଥିବା ବେଳେ ଏହା ସମ୍ଭବ ହୋଇ ପାରି ନଥିଲା । ଯାହା ଫଳରେ ଏହାକୁ ଆଗକୁ କାର୍ଯ୍ୟକାରୀ କରାଯାଇ ପାରି ନଥିଲା ।
ମିଳିଥିବା ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ଭାରତରେ ପାଖା ପାଖି ୪୮.୪୧ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ରହିଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର