ବିଏସ୍‌ଏନ୍‌ଏଲ୍‌ ଓ ଏମ୍‌ଟିଏମ୍‌ଏଲ୍‌ କର୍ମଚାରୀଙ୍କ ଫେବ୍ରୁଆରି ମାସର ବେତନ ପ୍ରଦାନ ନିମନ୍ତେ କେନ୍ଦ୍ର ସରକାର ମଞ୍ଜୁର କଲେ ୧ ହଜାର କୋଟି

ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ ଭାରତ ସଞ୍ଚାର ନିଗମ ଲିମିଟେଡ୍‌ (ବିଏସ୍‌ଏନ୍‌ଏଲ୍‌) ଓ ମହାନଗର ଟେଲିଫୋନ୍‌ ନଗର ଲିମିଟେଡ୍‌ (ଏମ୍‌ଟିଏମ୍‌ଏଲ୍‌) କର୍ମଚାରୀମାନଙ୍କର ବକେୟା ଥିବା ଫେବ୍ରୁଆରି ମାସର ବେତନ ପ୍ରଦାନ ନିମନ୍ତେ କେନ୍ଦ୍ର ସରକାର ଆଜି ୧ ହଜାର କୋଟି ଟଙ୍କା ମଞ୍ଜୁର କରିଛନ୍ତି।

ଦୂରସଞ୍ଚାର ବିଭାଗ (ଡିଓଟି)ର ଜନୈକ ବରିଷ୍ଠ ଅଧିକାରୀ ଏସଂପର୍କରେ ଗଣମାଧ୍ୟମକୁ ସୂଚନା ପ୍ରଦାନ କରି କହିଛନ୍ତି ଯେ ଫେବ୍ରୁଆରି ମାସର ବେତନ ବାବଦରେ ବିଏସ୍‌ଏନ୍‌ଏଲ୍‌ କର୍ମଚାରୀମାନଙ୍କର ପ୍ରାୟ ୮୫୦ କୋଟି ଓ ଏମ୍‌ଟିଏମ୍‌ଏଲ୍‌ କର୍ମଚାରୀମାନଙ୍କର ପ୍ରାନଙ୍କର ପ୍ରାୟ ୧୭୧ କୋଟି ଟଙ୍କା ବକେଯା ରହିଥିଲା। ବକେୟା ଦରମାକୁ କେନ୍ଦ୍ରକରି ଉଭୟ ସଂସ୍ଥାର କର୍ମଚାରୀମାନଙ୍କ ମଧ୍ୟରେ ଅସନ୍ତୋଷ କ୍ରମେ ତୀବ୍ର ହେଉଥିଲା।

ଏ ପରିସ୍ଥିତିରେ ଆଗକୁ ଥିବା ନିର୍ବାଚନକୁ ଦୃଷ୍ଟିରେ ରଖି ଆଜି ଦୂରସଂଚାର ମନ୍ତ୍ରୀ ମନୋଜ ସିହ୍ନା କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଭେଟିଥିଲେ। ପରିସ୍ଥିତିକୁ ହୃଦୟଙ୍ଗମ କରିବା ପରେ ଅର୍ଥମନ୍ତ୍ରୀ ଜେଟଲି ବିଏସ୍‌ଏନ୍‌ଏଲ୍‌ ଓ ଏମ୍‌ଟିଏମ୍‌ଏଲ୍‌ କର୍ମଚାରୀମାନଙ୍କର ବକେୟା ଥିବା ଫେବ୍ରୁଆରି ମାସର ବେତନ ପ୍ରଦାନ ନିମନ୍ତେ ୧ ହଜାର କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହି ଅର୍ଥ ମିଳିବା ପରେ ଉଭୟ ସଂସ୍ଥାର କର୍ମଚାରୀମାନଙ୍କୁ ଆସନ୍ତା ହୋଲି ପୂର୍ବରୁ ସେମାନଙ୍କର ବକେୟା ଦରମା ପ୍ରଦାନ କରିବାକୁ ଦୂରସଂଚାର ମନ୍ତ୍ରୀ ମନୋଜ ସିହ୍ନା ନିର୍ଦ୍ଦେଶ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ଏବେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତାର ସମ୍ମୁଖୀନ ହେବା ପରେ ଏକଦା ଲାଭଜନକ ଥିବା କେନ୍ଦ୍ର ସରକାରଙ୍କର ଏହି ଦୁଇ ରାଷ୍ଟ୍ରାୟତ୍ତ ଦୂରସଂଚାର କମ୍ପାନି ସଂପ୍ରତି ଘୋର ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇଛନ୍ତି।

ସମ୍ବନ୍ଧିତ ଖବର