ପାର୍ବଣ ଋତୁରେ ମହଙ୍ଗା ମାଡ଼

ଏସି, ଫ୍ରିଜ୍, ୱାସିଂ ମେସିନ୍ ଦାମ୍ ବଢ଼ିଲା, ବିମାନ ଯାତ୍ରା ବି ମହଙ୍ଗା, ୧୯ ସାମଗ୍ରୀର ଆମଦାନି ଶୁଳ୍କ ବୃଦ୍ଧି

ନୂଆଦିଲ୍ଲୀ : ପୂଜାରେ କମ୍ ଦାମ୍‌ରେ ଜିନିଷ କିଣିବାକୁ ଆଶା ରଖିିଥିବା ଗ୍ରାହକଙ୍କୁ ଶକ୍ତ ଝଟ୍‌କା ଲାଗିଛି। କେନ୍ଦ୍ର ସରକାର ଆଜି ୧୯ଟି ସାମଗ୍ରୀ ଉପରେ ଆମଦାନି ଶୁଳ୍କ ବଢ଼ାଇ‌ ଦେଇଛନ୍ତି। ଏହାର ପ୍ରଭାବରେ ଏହି ସମସ୍ତ ସାମଗ୍ରୀର ଦାମ୍ ବଢ଼ିବ।

ଏୟାର କଣ୍ଡିସନର, ‌ରଫ୍ରିଜରେଟର୍‌, ୱାସିଂ ମେସିନ୍, ସ୍ପିକର୍‌, ରେଡିଆଲ୍ କାର୍‌ ଟାୟାର୍‌, ଗହଣା ସାମଗ୍ରୀ, କିଚେନ୍ ଓ ଟେବୁଲ୍ ଓୟ‌ାର୍‌, ସୁଟ୍‌କେସ୍‌ ଓ କେତେକ ପ୍ଲାଷ୍ଟିକ୍ ସାମଗ୍ରୀ ଉପରେ ସରକାର ଆଜି ଆମଦାନି ଶୁଳ୍କ ବୃଦ୍ଧି କରିଛନ୍ତି। ଶୁଳ୍କ ବୃଦ୍ଧି ଯୋଗୁ ଏହି ସବୁ ସାମଗ୍ରୀ ମହଙ୍ଗା ହେବ। ଶୁଳ୍କ ବୃଦ୍ଧି ନିଷ୍ପତ୍ତି ସେପ୍ଟେମ୍ବର ୨୬ ମଧ୍ୟରାତ୍ରୀରୁ ଲାଗୁ କରାଯିବ।
ଏସି, ରେଫ୍ରିଜରେଟର ଓ ୧୦ କିଲୋରୁ କମ୍ କ୍ଷମତା ବିଶିଷ୍ଟ ୱାସିଂ ମେସିନ୍ ଉପରେ ଆମଦାନି ଶୁଳ୍କ ପରିମାଣ ଦୁଇ ଗୁଣ
ବଢ଼ାଇ ୨୦% କରାଯାଇଛି। ଜେଟ୍‌ ଇନ୍ଧନ ଆମଦାନି ଶୁଳ୍କ ମଧ୍ୟ ବୃଦ୍ଧି କରାଯାଇଛି। ଫଳରେ ବିମାନ ଯାତ୍ରା ମହଙ୍ଗା ହେବ। ଏହି ସବୁ ସାମଗ୍ରୀ ଆମଦାନିରେ ଗତବର୍ଷ ୮୬ ହଜାର କୋଟି ଟଙ୍କା ଖର୍ଚ ହୋଇଥିଲା। ଚଳିତ ବର୍ଷ ଆମଦାନି ଓ ରପ୍ତାନି ମଧ୍ୟରେ ଅନ୍ତର ବହୁତ ବଢ଼ିଯାଇଛି ଯାହା ସରକାରଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ସାଜିଛି। ଏହି ସମସ୍ୟାର ମୁକାବିଲା କରିବା ପାଇଁ ଅଣ ଦରକାରୀ ସାମଗ୍ରୀଗୁଡ଼ିକର ଆମଦାନି ଉପରେ କଟକଣା ଲଗାଇବାକୁ ସରକାର ନିଷ୍ପତ୍ତି ନେଇଥିଲେ। ତାହାର ପରିଣାମ ସ୍ବରୂପ ଆଜି ୧୯ଟି ସାମଗ୍ରୀର ଆମଦାନି ଶୁଳ୍କ ବୃଦ୍ଧି କରାଯାଇଛି।

ମହଙ୍ଗା ହେବ

ଏସି, ଫ୍ରିଜ୍, ୱାସିଂ ମେସିନ୍, ଫ୍ରିଜ୍ ଓ ଏସିର କଂପ୍ରେସର, ସ୍ପିକର୍, ଜୋତା, ରେଡିଆଲ୍ କାର୍‌ ଟାୟାର, ଅଣ ଶିଳ୍ପ ହୀରା, ହୀରା (ସେମି ପ୍ରୋସେସଡ୍‌), ଲ୍ୟାବ୍‌ରେ ପ୍ରସ୍ତୁତ ହୀରା, କଟା ଓ ପଲିସ୍ ହୋଇଥିବା ରତ୍ନପଥର, ଗହଣା ସାମଗ୍ରୀ ଓ ମୂଲ୍ୟବାନ ଧାତୁ, ପ୍ଲାଷ୍ଟିକ୍‌ରେ ତିଆରି ବାଥ୍‌, ସାୱର୍‌ ଓ ୱାସ୍‌ ବେସିନ୍, ପ୍ଲାଷ୍ଟିକ୍ ଡବା ଓ ‌ବାତଲ, ଟେବୁଲ୍‌ ଓୟାର, ‌କିଚେନ୍ ଓୟାର ଓ ଅନ୍ୟାନ୍ୟ ପ୍ଲାଷ୍ଟିକ୍‌ରେ ପ୍ରସ୍ତୁତ ଘରକରଣା ସାମଗ୍ରୀ, ପ୍ଲାଷ୍ଟିକ୍‌‌ରୁ ପ୍ରସ୍ତୁତ ଅଫିସ୍‌ ଷ୍ଟେସ୍‌ନାରି ଓ ଫର୍ଣ୍ଣିଚର୍‌ର ଫିଟିଙ୍ଗସ୍‌, ଟ୍ରଙ୍କ୍‌, ସୁଟ୍‌କେସ୍‌, ଏକ୍‌ଜିକ୍ୟୁଟିଭ୍ କେସ୍, ବ୍ରିଫ୍‌କେସ୍‌, ଟ୍ରାଭେଲ୍‌ ବ୍ୟାଗ୍, ଅନ୍ୟାନ୍ୟ ବ୍ୟାଗ୍ ଓ
ବିମାନ ଇନ୍ଧନ।

‌ଆମେରିକୀୟ ଡଲାର ତୁଳନାରେ ଟଙ୍କା ଦର ୭୨ ଟଙ୍କାରୁ ଅଧିକ ସ୍ତରରେ ରହିଥିବାରୁ ଚଳନ୍ତି ଖାତା ନିଅଣ୍ଟ (ସିଏଡି) ବେଲଗାମ ହୋଇପଡ଼ିଛି। ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି)କୁ ସିଏଡିର ଅବଦାନ ୨.୪% ଭଳି
ସ୍ତରରେ ପହଞ୍ଚିଯାଇଛି। ଏହି ସଦ୍ୟତମ ପଦକ୍ଷେପ ଜରିଆରେ ସିଏଡି ଉପରେ ନିୟନ୍ତ୍ରଣ ହାସଲ କରିବାକୁ ଲକ୍ଷ୍ୟ ରଖାଯାଇଛି।

ଡଲାର ତୁଳନାରେ ଟଙ୍କାକୁ ଶକ୍ତିଶାଳୀ କରିବା ପାଇଁ କିଛି ଦିନ ତଳେ ସରକାର ପାଞ୍ଚ ସୂତ୍ରୀ ପଦକ୍ଷେପ ଘୋଷଣା କରିଥିଲେ। ସେଥି ମଧ୍ୟରୁ ଗୋଟିଏ ପଦକ୍ଷେପ ଥିଲା ଅଣ ଅତ୍ୟାବଶ୍ୟକ ସାମଗ୍ରୀ ଆମଦାନି ଉପରେ କଟକଣା ଲଗାଇବା।

ସମ୍ବନ୍ଧିତ ଖବର