ପ୍ରଥମ ସୁବାଷ ଚନ୍ଦ୍ର ବୋଷ ବିପର୍ଯ୍ୟୟ ପରିଚାଳନା ପୁରସ୍କାର ପାଇଲା ଏନଡିଆରଏଫ୍ ଅଷ୍ଟମ ବାଟାଲିୟନ

ନୂଆଦିଲ୍ଲୀ: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ସ୍ମୃତି ରକ୍ଷା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଏକ ନୂତନ ପୁରସ୍କାର ପ୍ରତିଷ୍ଠା କରିଛନ୍ତି । ଏହାର ନାମ ରଖାଯାଇଛି ସୁଭାଷ ଚନ୍ଦ୍ର ବୋଷ ବିପର୍ଯ୍ୟୟ ପରିଚାଳନା ପୁରସ୍କାର । ନେତାଜୀଙ୍କ ନାଁରେ ଘୋଷଣା ହୋଇଥିବା ପ୍ରଥମ ପୁରସ୍କାର ପାଇଛନ୍ତି ଏନଡିଆରଏଫ୍ ଅଷ୍ଟମ ବାଟାଲିଅନ । ବିପର୍ଯ୍ୟୟ ସମୟରେ ଉଲ୍ଲେଖନୀୟ କାର୍ଯ୍ୟ ଓ ସେବା ପାଇଁ ଏନଡିଆରଏଫର ଅଷ୍ଟମ ବାଟାଲିଅନକୁ ଏହି ସମ୍ମାନ ମିଳିଛି । ପୁରସ୍କାର ସ୍ୱରୁପ ଏକ ପ୍ରମାଣ ପତ୍ର ଏବଂ ୫୧ ଲକ୍ଷ ଟଙ୍କାର ଅର୍ଥ ରାଶି ପ୍ରଦାନ କରାଯିବ । ସେହିଭଳି ପ୍ରତି ବର୍ଷ ଜାନୁଆରୀ ୨୩ ତାରିଖ ଦିନ ନେତାଜୀ ଜୟନ୍ତୀ ପାଳନ ଅବସରରେ ଏହି ପୁରସ୍କାର ଘୋଷଣା କରାଯିବ ।

ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏବଂ ବିପର୍ଯ୍ୟୟ ପରବର୍ତୀ କାଳରେ ଦେଶର ବିଭିନ୍ନ ସ୍ଥାନରେ ଅନେକ ସଂସ୍ଥା ଓ ବ୍ୟକ୍ତିବିଶେଷ ସ୍ୱେଚ୍ଛାକୃତ ଭାବେ ନେପଥ୍ୟରେ ଅଶେଷ ଉଲ୍ଲେଖନୀୟ କାର୍ଯ୍ୟ କରିଥାନ୍ତି, ଯାହାକି ବିପର୍ଯ୍ୟୟ ପ୍ରଭାବିତ ଅଂଚଳ ତଥା ପ୍ରଭାବିତ ଲୋକମାନଙ୍କର ଦୁଃଖଦୁର୍ଦ୍ଦଶା ପ୍ରଶମନ କରିବାରେ ଅନେକ ମାତ୍ରାରେ ସହାୟକ ହୋଇଥାଏ । ଏଭଳି ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କ ନିଃସ୍ୱାର୍ଥପର ସେବା ଓ ସମାଜ ପ୍ରତି ଅନବଦ୍ୟ ଅବଦାନ ଅନେକ ସମୟରେ ଲୋକଲୋଚନକୁ ଆସିନଥାଏ କି ସ୍ୱୀକୃତ ହୋଇନଥାଏ । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନିଃସ୍ୱାର୍ଥପର ସେବା କରୁଥିବା ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କ ଲାଗି ରାଷ୍ଟ୍ରୀୟ ପୁରସ୍କାର ଗଠନ ସକାଶେ ପରାମର୍ଶ ଦେଇଥିଲେ ।

ବିପର୍ଯ୍ୟୟ ପରିଚାଳନା ଯଥା – ପ୍ରଶମନ, ପ୍ରତିରୋଧ, ପ୍ରାକ୍-ପ୍ରସ୍ତୃତି, ଉଦ୍ଧାର, ରିଲିଫ କାର୍ଯ୍ୟ, ତ୍ୱରିତ କାର୍ୟ୍ୟାନୁଷ୍ଠାନ, ପୀଡିତଙ୍କ ଥଇଥାନ, ବିପର୍ଯ୍ୟୟ ପୂର୍ବାନୁମାନ ସଂକ୍ରାନ୍ତ ଗବେଷଣା ଓ ନବସୃଜନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ସଂସ୍ଥା ଓ ନାଗରିକମାନେ ଏହି ପୁରସ୍କାର ଲାଗି ଯୋଗ୍ୟ ବିବେଚିତ ହେବେ । ଚଳିତ ୨୦୧୯ ମସିହାର ପ୍ରଥମ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆପଦା ପ୍ରବନ୍ଧନ ପୁରସ୍କାର ଲାଗି ୧୯ ଡିସେମ୍ବର ୨୦୧୮ରୁ ପ୍ରଚାର କାର୍ଯ୍ୟ ଚାଲିବା ସହ ନାମାଙ୍କନ ଦାଖଲ ପାଇଁ ଆହ୍ୱାନ କରାଯାଇଥିଲା । ନାମାଙ୍କନ ଦାଖଲର ଶେଷ ତାରିଖ ଥିଲା ୭ ଜାନୁଆରୀ ୨୦୧୯ । ଏହି ସମୟ ଭିତରେ ପୁରସ୍କାର ଲାଗି ବିପୁଳ ଆଗ୍ରହ ଓ ଉତ୍ସାହ ପରିଲକ୍ଷିତ ହେବା ସହ ୩୦୦ ନାମାଙ୍କନ ମିଳିଛି ।

ସମ୍ବନ୍ଧିତ ଖବର