ସରକାର ମାନିଲେ : ଢିଲା ସୁରକ୍ଷାର ସୁଯୋଗ ନେଇଥିଲେ ଆତଙ୍କବାଦୀ

ଶ୍ରୀନଗର ହସ୍ପିଟାଲରେ ଆତଙ୍କବାଦୀ ଆକ୍ରମଣ ମାମଲା
ନୂଆଦିଲ୍ଲୀ: ଲସ୍କର ଆତଙ୍କବାଦୀ ନାଭେଦ ଜାଟ୍ଟକୁ ପୁଲିସ କବ୍‌ଜାରୁ ଛଡ଼ାଇ ନେବାପାଇଁ ଗତକାଲି ଶ୍ରୀନଗର ଶ୍ରୀ ମହାରାଜା ହରି ସିଂହ ହସ୍ପିଟାଲରେ ହୋଇଥିବା ଆକ୍ରମଣ ପ୍ରସଙ୍ଗ ନେଇ ଆଜି ଜମ୍ମୁ କଶ୍ମୀର ବିଧାନସଭାରେ ପ୍ରବଳ ହଙ୍ଗାମା ହୋଇଛି। ଢିଲା ସୁରକ୍ଷା ବ୍ୟବସ୍ଥାର ସୁଯୋଗ ଉଠାଇ ୨ ଜଣ ଆତଙ୍କବାଦୀ ଯେଭଳି ଭାବେ ଆକ୍ରମଣ କରି ପାକ୍‌ ଆତଙ୍କବାଦୀ ନାଭେଦକୁ ଛଡ଼ାଇ ନେଲେ ଏବଂ ଏଥିରେ ୨ ଜଣ ପୁଲିସ କର୍ମୀଙ୍କ ଜୀବନ ଗଲା ସେଥିପାଇଁ ସରକାରଙ୍କୁ ବିରୋଧୀ ଦଳ ଦାୟୀ କରିଛନ୍ତି। ସୁରକ୍ଷା ବ୍ୟବସ୍ଥାରେ ଗୁରୁତର ତ୍ରୁଟି ରହିଥିଲା ବୋଲି ସରକାର ବିଧାନସଭାରେ ସ୍ୱୀକାର କରିଛନ୍ତି ଏବଂ ଏଭଳି ସଙ୍କଟ ଏଡ଼ାଇବା ପାଇଁ ଏଣିକି ସର୍ବାଧିକ ସତର୍କତା ଅବଲମ୍ବନ କରିବାକୁ ଗୁରୁତ୍ୱାରୋପ କରାଯାଇଛି । ତେବେ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଦାବି କରି ଏଥି ପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନ୍ୟାସନାଲ କନ୍‌ଫରେନ୍‌ସ ଦାବି କରିଛି।

ଅନେକ ସୁରକ୍ଷା କର୍ମୀ ଓ ସାଧାରଣ ନାଗରିକଙ୍କୁ ହତ୍ୟା ଅଭିଯୋଗରେ ଗିରଫ ହୋଇଥିବା ନାବିଦ୍‌ ଜାଟ୍‌ ଓରଫ୍‌ ଅବୁ ହନ୍‌ଜୁଲ୍ଲା ନାମକ ଲସ୍କର ଆତଙ୍କବାଦୀ ସହ ଅନ୍ୟ ୫ ଜଣ କଏଦୀଙ୍କୁ ଶ୍ରୀନଗରର ଶ୍ରୀ ମହାରାଜା ହରି ସିଂହ ହସ୍ପିଟାଲ୍‌କୁ ଚେକ୍‌ଅପ୍‌ ପାଇଁ ଗତକାଲି ନିଆଯାଇଛି। ଏହି ସମୟରେ ଲସ୍କର୍‌ର ୨ଜଣ ଆତଙ୍କବାଦୀ ଅତର୍କିତ ଆକ୍ରମଣ କରି ପୁଲିସଠାରୁ ବନ୍ଧୁକ ଛଡ଼ାଇ ଆଣିବା ସହ ସେମାନଙ୍କ ଉପରକୁ ଗୁଳିମାଡ଼ କରିଥିଲେ ଏବଂ ନାବିଦ୍‌କୁ ଖସାଇ ନେବାରେ ସକ୍ଷମ ହୋଇଥିଲେ। ଗୁଳିମାଡ଼ରେ ହେଡ୍‌ କନେଷ୍ଟବଳ ମୁସ୍ତାକ ଅହମ୍ମଦଙ୍କ ଏବଂ କନେଷ୍ଟବଳ ବାବର ଅହମ୍ମଦଙ୍କର ମୃତ୍ୟୁ ଘଟିଥିଲା। କେବଳ ଲସ୍କର୍‌ ଆତଙ୍କବାଦୀ ନାବିଦ୍‌କୁ ଖସାଇନେବା ପାଇଁ ଏହି ଯୋଜନାବଦ୍ଧ ଆକ୍ରମଣ ହୋଇଥିବା ବେଳେ ଆତଙ୍କବାଦୀ ଏଭଳି ରଣନୀତି ପ୍ରଥମ ବୋଲି କୁହାଯାଉଛି । ନାବିଦ୍‌ ଦକ୍ଷିଣ କଶ୍ମୀରରେ ୭ଟି ଆତଙ୍କବାଦୀ ଆକ୍ରମଣରେ ସେ ସାମିଲ୍‌ ଥିଲା। ୨୦୧୪ ମସିହା ଅଗଷ୍ଟ ୨୬ରେ ଦକ୍ଷିଣ କଶ୍ମୀରରୁ ତାକୁ ଗିରଫ କରାଯାଇଥିଲା।

ସମ୍ବନ୍ଧିତ ଖବର