ଚୀନକୁ ସଂପୂର୍ଣ୍ଣ ଭରଷା କରୁନାହାନ୍ତି ମୋଦି, ସୀମାରେ ଆଉ ୯୬ଟି ବର୍ଡର ଆଉଟପୋଷ୍ଟ ନିର୍ମାଣ ପାଇଁ ନିଷ୍ପତ୍ତି

ନୂଆଦିଲ୍ଲୀ : ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଭୁଲକୁ ପୁଣି ଥରେ ଦୋହରେଇବାକୁ ଚାହୁଁନାହାନ୍ତି ଏବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନେହେରୁଙ୍କ ଅମଳରେ ଚୀନ ସହିତ ଦୃଢ ସମ୍ପର୍କ ପାଇଁ ହିନ୍ଦୀ-ଚୀନ ଭାଇ ଭାଇ ଡାକରା ଦିଆଯାଇଥିଲା । କିନ୍ତୁ ପଛରୁ ଛୁରୀ ମାରିଥିଲା ଚୀନ । ୧୯୬୨ରେ ଭାରତ ଉପରେ ଆକ୍ରମଣ କରିଥିଲା ଚୀନ । ଏବେ ମୋଦି ସଂପର୍କ ସୁଧାରିବା ପାଇଁ ଚୀନ ଯାଇଛନ୍ତି । କିନ୍ତୁ ଚୀନର ପୁରୁଣା ଦୋଷଗୁଡ଼ିକୁ ଭଲଭାବରେ ମନେ ରଖିଛନ୍ତି । ଏଥିପାଇଁ ଚୀନକୁ ଲାଗିଥିବା ସୀମାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ା କଡ଼ି କରିବାକୁ କେନ୍ଦ୍ର ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି । ଏହି ଯୋଜନା ମୁତାବକ ଚୀନକୁ ଲାଗିଥିବା ୩୪୮୮ କିଲୋମିଟର ଲମ୍ବା ସୀମାରେ ୯୬ ଟି ନୂଆ ଇଣ୍ଡୋ-ତିବ୍ଦତିଆନ ବର୍ଡର ପୁଲିସ୍‌ ଆଉଟପୋଷ୍ଟ ନିର୍ମାଣକୁ ମଂଜୁରୀ ଦେଇଛନ୍ତି । ଏବେ ଏହି ସୀମାରେ ମୋଟ ୧୭୬ଟି ଆଉଟପୋଷ୍ଟ ରହିଛି । ଏହି ୯୬ଟି ଆଉଟପୋଷ୍ଟ ହେବାପରେ ମୋଟ ଆଉଟପୋଷ୍ଟ ସଂଖ୍ୟା ୨୭୨ରେ ପହଞ୍ଚିବ । ଅର୍ଥାତ୍‌ ପ୍ରତି ୧୨ କିଲୋମିଟରରେ ଗୋଟିଏ ଆଉଟ ପୋଷ୍ଟ । ଏହା ଦ୍ୱାରା ଚୀନ ସୀମା ଉପରେ ଅଧିକ ସତର୍କ ଦୃଷ୍ଟି ରଖାଯାଇପାରିବ । ଚୀନ ସେନା ନିୟମିତଭାବରେ ଅନୁପ୍ରବେଶ କରୁଥିବାରୁ ତାହାକୁ ଅଟକାଇ ହେବ । ଏ ଅଂଚଳରେ ତାପମାତ୍ରା କମ ରହୁଥିବାରୁ ଏହି ଆଉଟପୋଷ୍ଟ ଗୁଡ଼ିକ ଏପରି ନିର୍ମାଣ କରାଯିବ ଯଦ୍ୱାରା ତାହା ଥଣ୍ଡାକୁ ନିୟନ୍ତ୍ରଣ କରିପାରିବ । କେବଳ ଏତିକି ନୁହେଁ ଇଣ୍ଡୋ ତିବ୍ଦତିଆନ ବର୍ଡର ପୁଲିସର ଆଉ ୯ଟି ନୂଆ ବାଟାଲିୟନ ( ମୋଟ ୯୦୦୦ ଜବାନ) ଗଠନ ପାଇଁ ସରକାର ମଂଜୁରୀ ଦେଇଛନ୍ତି ।

ସମ୍ବନ୍ଧିତ ଖବର