ଦଳିତ ଚାପରେ ନଇଁଲେ ସରକାର

ଏସ୍‌ସି/ଏସ୍‌ଟି ନିର୍ଯାତନା ନିବାରଣ ଆଇନ

ନୂଆଦିଲ୍ଲୀ: ଏସ୍‌୍‌ସି/ଏସ୍‌୍‌ଟି ଆଇନରେ ଥିବା ପୁରୁଣା ବ୍ୟବସ୍ଥାକୁ ଯଥାରୀତି କାଏମ ରଖିବା ପାଇଁ ଆଜି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଏ ବାବଦରେ ସୁପ୍ରିମ୍‌ କୋର୍ଟ ମାର୍ଚ୍ଚ ୨୦ରେ ଦେଇଥିବା ରାୟକୁ ଅଚଳ କରିବା ପାଇଁ ସରକାର ଚଳିତ ମୌସୁମୀ ଅଧିବେଶନରେ ବିଲ୍‌ ଆଗତ କରିବେ। ଏ ବାବଦ ବିଲ୍‌କୁ ଆଜି କ୍ୟାବିନେଟ୍‌ ମଂଜୁରି ମିଳିଛି। ସୁପ୍ରିମ୍‌ କୋର୍ଟ ଅନୁସୂଚିତ ଜାତି-ଜନଜାତି ନିର୍ଯାତନା ନିବାରଣ ଆଇନରେ ଅଭିଯୁକ୍ତଙ୍କ ତତ୍କାଳ ଗିରଫଦାରୀ ଉପରେ ରୋକ୍‌ ଲଗାଇଥିଲେ। ଅଭିଯୋଗର ତଦନ୍ତ ଉପର ଅଧିକାରୀଙ୍କ ଦ୍ୱାରା ହେବାପରେ ହିଁ ଗିରଫ ନେଇ ନିଷ୍ପତ୍ତି ନିଆଯିବ ବୋଲି କୋର୍ଟ କହିଥିଲେ। ଏହାକୁ ନେଇ ଦେଶବ୍ୟାପୀ ଦଳିତ ସଂଗଠନଗୁଡ଼ିକ ଜୋର୍‌ଦାର ବିରୋଧ କରିଥିଲେ ଏବଂ ଆଗାମୀ ୯ ତାରିଖ ଦିନ ଭାରତ ବନ୍ଦ ଡାକରା ମଧ୍ୟ ଦିଆଯାଇଛି। ଏନ୍‌୍‌ଡିଏର ସହଯୋଗୀ ଦଳମାନେ ମଧ୍ୟ ଏହି ମାମଲାରେ କଡ଼ା ଆଭିମୁଖ୍ୟ ଗ୍ରହଣ କରି ସୁପ୍ରିମ୍‌ କୋର୍ଟ ରାୟକୁ ରଦ୍ଦ କରିବା ଦିଗରେ ସରକାର ପଦକ୍ଷେପ ନେବାକୁ ଦାବି କରିଥିଲେ। ଦଳିତ ସଂଗଠନର ର‍୍ୟାଲି ଓ ବନ୍ଦ ଡାକରାକୁ ରାମବିଳାସ ପାଶ୍ୱାନଙ୍କ ଏଲ୍‌୍‌ଜେପି ସମେତ ଅନ୍ୟ କେତେକ ଏନ୍‌୍‌ଡିଏ ସହଯୋଗୀ ଦଳ ସମର୍ଥନ କରିବା ପରେ ସରକାରଙ୍କ ଅଡ଼ୁଆ ବଢ଼ିଥିଲା। ଦଳିତ ଅସନ୍ତୋଷକୁ ପ୍ରଶମନ କରିବା ପାଇଁ କେନ୍ଦ୍ର କ୍ୟାବିନେଟ୍‌ ଆଜି ଏହି ବିଲ୍‌୍‌କୁ ମଂଜୁରି ଦେଇଥିବାରୁ ସଂସଦରେ ଏହା ପାରିତ ହେଲେ ସୁପ୍ରିମ୍‌ କୋର୍ଟଙ୍କ ରାୟ ସ୍ୱତଃ ଅଚଳ ହୋଇଯିବ।

ପୁରୁଣା ବ୍ୟବସ୍ଥା ଲାଗୁ ହେବ
ସଂସଦରେ ଆଗତ ହେବ ବିଲ୍‌

ସୁପ୍ରିମ୍‌୍‌ କୋର୍ଟ ଏସ୍‌୍‌ସି/ଏସ୍‌୍‌ଟି ଆଇନ ଉପରେ ୨୦ ମାର୍ଚ୍ଚର ନିଷ୍ପତ୍ତିକୁ ସଂପୂର୍ଣ୍ଣ ଯୁକ୍ତିଯୁକ୍ତ ଦର୍ଶାଇ କହିଥିଲେ ଯେ ସଂସଦ ମଧ୍ୟ ଉଚିତ ପ୍ରକ୍ରିୟା ନଥାଇ କୌଣସି ବ୍ୟକ୍ତିଙ୍କୁ ଗିରଫ କରିବା ପାଇଁ ଅନୁମତି ଦେଇପାରିବେ ନାହିଁ। ଅଭିଯୋଗର ପ୍ରଥମେ ଯାଞ୍ଚ ନକରି ନିର୍ଦ୍ଦୋଷ ଲୋକଙ୍କୁ ଗିରଫ କଲେ ଏହା ବ୍ୟକ୍ତି ସ୍ୱତନ୍ତ୍ରତା ଏବଂ ମୌଳିକ ଅଧିକାରର ବଡ଼ ଉଲ୍ଲଂଘନ ହେବ ବୋଲି ସୁପ୍ରିମ୍‌ କୋର୍ଟ କହିଥିଲେ। ତେବେ ଦଳିତ ସଂଗଠନଗୁଡ଼ିକର ପ୍ରବଳ ବିରୋଧ ଆଗରେ ଏବେ କେନ୍ଦ୍ର ସରକାର ମୁଣ୍ଡ ନୁଆଁଇଛନ୍ତି ଏବଂ ଏସ୍‌୍‌ସି/ଏସ୍‌୍‌ଟି ନିର୍ଯାତନା ଆଇନ ନେଇ ପୂର୍ବରୁ ଯେଉଁ ସ୍ଥିତି ରହିଥିଲା ତାହାକୁ ହିଁ କାଏମ ରଖାଯିବ ବୋଲି ନିଷ୍ପତ୍ତି ନେଇଛନ୍ତି।

ସମ୍ବନ୍ଧିତ ଖବର