ନୂଆଦିଲ୍ଲୀ : ଆସନ୍ତା ଫେବ୍ରୁଆରୀ ୧ ତାରିଖରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ ଆଗତ କରିବାକୁ ଯାଉଛନ୍ତି । ୨୦୧୯ ନିର୍ବାଚନ ପୂର୍ବରୁ ଏହା ହେବ କେନ୍ଦ୍ରରେ ଥିବା ମୋଦି ସରକାରଙ୍କ ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ । ଏଣୁ ଏଥର ଲୋକମାନଙ୍କୁ ବିଶେଷକରି ମଧ୍ୟବିତ୍ତ ଶ୍ରେଣୀକୁ ଆକୃଷ୍ଟ କରିବାକୁ କେତେକ ପଦକ୍ଷେପର ଘୋଷଣା କରିବାର ସମ୍ଭାବନା ରହିଛି । ବିଶେଷକରି, ବ୍ୟକ୍ତିଗତ ଆୟକର ଛାଡ ସୀମା ଉପରେ ସବୁ ମଧ୍ୟବିତ୍ତ ଶ୍ରେଣୀଙ୍କ ନଜର ଥାଏ । ମିଳିଥିବା ସୂଚନା ଅନୁଯାୟୀ କେନ୍ଦ୍ର ସରକାର ଆଗାମୀ ବଜେଟରେ ବ୍ୟକ୍ତିଗତ ଆୟକର ଛାଡ଼ ସୀମା ୨.୫ ଲକ୍ଷ (ଅଢେଇ ଲକ୍ଷ)ରୁ ବଢାଇ ୩ ଲକ୍ଷ ଟଙ୍କା କରିବାର ଯଥେଷ୍ଟ ସମ୍ଭାବନା ରହିଛି । ଏହା ଛଡ଼ା ଆୟକର ଟାକ୍ସ ସ୍ଲାବରେ ମଧ୍ୟ କେତେକ ପରିବର୍ତ୍ତନ ଆଣିବାର ସମ୍ଭାବନା ରହିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ଏସବୁ ପଦକ୍ଷେପ ଦ୍ୱାରା ମଧ୍ୟବିତ୍ତ ଶ୍ରେଣୀ ବିଶେଷକରି ବେତନଭୋଗୀ କର୍ମଚାରୀମାନଙ୍କୁ ସରକାର ଆକୃଷ୍ଟ କରିବାକୁ ଉଦ୍ୟମ କରିପାରନ୍ତି ବୋଲି ଜଣାପଡ଼ିଛି । ଗତ ବଜେଟରେ ଜେଟଲୀ ଆୟକର ଛାଡ଼ସୀମା ଅପରିବର୍ତ୍ତତ ରଖିଥିଲେ ମଧ୍ୟ ୨.୫ ଲକ୍ଷରୁ ୫ ଲକ୍ଷ ସ୍ଲାବ ମଧ୍ୟରେ ଆୟକର ହାରକୁ ୫ପ୍ରତିଶତକୁ ହ୍ରାସ କରିଥିଲେ । କିନ୍ତୁ ନୂଆ ବଜେଟ୍ରେ ଅନ୍ୟ ଆୟକର ସ୍ଲାବଗୁଡିକୁ ମଧ୍ୟ କମାଇବାର ସମ୍ଭାବନା ରହିଛି । ବିଶେଷକରି ୫ରୁ ୧୦ ଲକ୍ଷ ଟଙ୍କାର ସ୍ଲାବ ଉପରେ ଆୟକର ହାର ୧୦ ପ୍ରତିଶତକୁ ଓ ୧୦ରୁ ୨୦ ଲକ୍ଷ ମଧ୍ୟରେ ଆୟକର ହାର ୨୦ ପ୍ରତିଶତ ରଖିବାର ସମ୍ଭାବନା ରହିଛି ।