ରାସ୍ତାଘାଟରେ ବୁଲୁଥିବା ପାଗଳମାନଙ୍କୁ ମାଗଣାରେ ଚିକିତ୍ସା ସୁବିଧା ମିଳିବ

ନୂଆଦିଲ୍ଲୀ : ଏଣିକି ଆତ୍ମହତ୍ୟା ଉଦ୍ୟମ କଲେ ତାହା ଅପରାଧ ଭାବେ ଧରା ଯିବ ନାହିଁ । ଆହୁରି ମଧ୍ୟ ମାନସିକ ଭାବେ ଅସୁସ୍ଥ ପିଲାଙ୍କୁ ବିଦ୍ୟୁତ ଆଘାତ ଦିଆଯାଇପାରିବ ନାହିଁ । ସରକାରଙ୍କ ପକ୍ଷରୁ ନିକଟରେ ଅଧିସୂଚନା ଜାରି ହୋଇଥିବା ମାନସିକ ସ୍ୱାସ୍ଥ୍ୟସେବା ଆଇନ ୨୦୧୭ ରେ ଏହି ବ୍ୟବସ୍ଥା ରହିଛି । ଏହି ଆଇନଟି ବର୍ଷ କଳେ ପାଶ ହୋଇଥିଲେ ମଧ୍ୟ ଗତ ମେ ୨୯ରେ ଏହାର ବିଜ୍ଞପ୍ତି ପ୍ରକାଶ ପାଇଛି । ପୂର୍ବରୁ ଭାରତୀୟ ଦଣ୍ଡବିଧି ଆଇନର ଧାରା ୩୦୯ ଅନୁସାରେ ଆତ୍ମହତ୍ୟା ଉଦ୍ୟମ କଲେ ସଂପୃକ୍ତ ବ୍ୟକ୍ତି ବିରୋଧରେ ଆପରାଧିକ ମାମଲା ରୁଜ୍ଜୁ କରାଯାଇ ତାକୁ ଗିରଫ କରାଯାଉଥିଲା । କିନ୍ତୁ ଏବେ ଆତ୍ମହତ୍ୟା ଉଦ୍ୟମ କରୁଥିବା ବ୍ୟକ୍ତିକୁ ଗିରଫ କରାନଯାଇ ତାର ଚିକିତ୍ସା କରି ତାକୁ ମାନସିକ ଭାବେ ସକ୍ଷମ କରିବାକୁ ପଦକ୍ଷେପ ନିଆଯିବ ।

ଅନ୍ୟପକ୍ଷରେ ମାନସିକ ଭାବେ ଅସୁସ୍ଥ ପିଲାଙ୍କୁ ଚିକିତ୍ସା ପାଇଁ ବିଦ୍ୟୁତ ଆଘାତ ଦିଆଯାିପାରିବ ନାହିଁ । ଆହୁରି ମଧ୍ୟ ମାନସିକ ଅସୁସ୍ଥ ଥିବା ବିପିଏଲ ଶ୍ରେଣୀର ଲୋକମାନଙ୍କୁ ମାଗଣାରେ ଚିକିତ୍ସା ସୁବିଧା ଦିଆଯିବ । ଏପରିକି ବିପିଏଲ କାର୍ଡ ନଥିଲେ, ଗୃହହୀନ ବ୍ୟକ୍ତିମାନଙ୍କୁ ମଧ୍ୟ ମାଗଣା ଚିକିତ୍ସା ଦିଆଯିବ । ଏହାର ଅର୍ଥ ହେଉଛି ରାସ୍ତାଘାଟରେ ବୁଲୁଥିବା ମାନସିକ ଭାବେ ଅସୁସ୍ଥ ଅଚିହ୍ନା ବ୍ୟକ୍ତିମାନଙ୍କୁ ସରକାରଙ୍କ ତରଫରୁ ସରକାରୀ ଡାକ୍ତରଖାନାରେ ମାଗଣା ଚିକିତ୍ସା କରାଯିବ ।

ସମ୍ବନ୍ଧିତ ଖବର