୪-ଜି ସେବା ନଥିବାରୁ ବିଏସଏନଏଲ ପ୍ରତିଯୋଗିତାରେ ତିଷ୍ଠିପାରୁନାହିଁ : ଟେଲିକମ ମନ୍ତ୍ରୀ

ନୂଆଦିଲ୍ଲୀ : ରାଷ୍ଟ୍ରାୟତ ଟେଲିକମ ଉଦ୍ୟୋଗ ବିଏସଏନଏଲ ଓ ଏମଟିଏନଏଲ ଏବେ ପ୍ରବଳ କ୍ଷତି ସହୁଛନ୍ତି । କମ୍ପାନି ଦେବାଳିଆ ସ୍ଥିତିରେ । କର୍ମଚାରୀଙ୍କ ଦରମା ଦେବାକୁ ଅର୍ଥ ନାହିଁ । ଏହାକୁ ନେଇ ସବୁଆଡେ ଚର୍ଚ୍ଚା ହେବା ପରେ ଆଜି ମୁହଁ ଖୋଲିଛନ୍ତି କେନ୍ଦ୍ର ଟେଲିକମ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ।
ଲୋକସଭାରେ ଆଜି ଏକ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି ଯେ ବିଭିନ୍ନ କାରଣରୁ ବିଏସଏନଏଲ ଘରୋଇ କମ୍ପାନିମାନଙ୍କ ସହ ପ୍ରତିଯୋଗିତାରେ ତିଷ୍ଠି ପାରୁନାହିଁ । ସେଗୁଡିକ ମଧ୍ୟରେ ରହିଛି ୪ଜି ସେବାର ଅନୁପସ୍ଥିତି, ଉଚ୍ଚ କର୍ମଚାରୀ ଖର୍ଚ୍ଚ ଓ ଟେଲିକମ ବଜାରରେ ତଣ୍ଟିକଟା ପ୍ରତିଯୋଗିତା । ତେବେ ଉଭୟ କମ୍ପାନିର ପୁନରୁଦ୍ଧାର ପାଇଁ ସରକାର କେତେକ ଯୋଜନା ପ୍ରସ୍ତୁତ କରୁଛନ୍ତି । ଉଭୟ କମ୍ପାନିଙ୍କ କିପରି ସୁଧାର ହୋଇପାରିବ ସେ ସଂପର୍କରେ ରିପୋର୍ଟ ପ୍ରସ୍ତୁତି ପାଇଁ ଆଇଆଇଏମ ଅହମଦାବାଦ ଓ ଡେଲଏଟକୁ କୁହାଯାଇଛି । ସେମାନଙ୍କ ରିପୋର୍ଟ ମିଳିବା ପରେ ସରକାର ଏ ସଂପର୍କରେ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର