ପୂର୍ବ ରାଫେଲ ଚୁକ୍ତି ତୁଳନାରେ ନୂଆ ଚୁକ୍ତି ସବୁଦୃଷ୍ଟିରୁ ଉତ୍ତମ : ପ୍ରତିରକ୍ଷା ମନ୍ତ୍ରାଳୟ

ନୂଆଦିଲ୍ଲୀ: ଫ୍ରାନ୍ସ ସହିତ ହୋଇଥିବା ରାଫେଲ ଚୁକ୍ତି ସଂପର୍କରେ ପ୍ରକାଶ କରିବାକୁ ବିରୋଧୀ ଦଳମାନେ କରିଥିବା ଦାବି ଅବାସ୍ତବ ବୋଲି କହିଛି ପ୍ରତିରକ୍ଷା ମନ୍ତ୍ରାଳୟ । ଫ୍ରାନ୍ସଠାରୁ ୩୬ଟି ରାଫେଲ ଯୁଦ୍ଧ ବିମାନର ଏକ ମୋଟାମୋଟି ମୂଲ୍ୟ ସଂସଦକୁ ପୂର୍ବରୁ ହିଁ ଜଣାଇଦିଆଯାଇଛି ବୋଲି ମନ୍ତ୍ରାଳୟ ଏକ ପ୍ରେସ ବିଜ୍ଞପ୍ତି ଜାରି କରି କହିଛି । ଏହି ଚୁକ୍ତି ପୂର୍ବ ସରକାରଙ୍କ ଦ୍ୱାରା କରାଯାଇଥିବା ଚୁକ୍ତିଠାରୁ ଭଲ ବୋଲି ମନ୍ତ୍ରାଳୟ କହିଛି ।

ପ୍ରତିରକ୍ଷା ମନ୍ତ୍ରାଳୟ କହିଛି ୟୁପିଏ ସରକାରଙ୍କ ଅମଳରେ ଭାରତ ଓ ଫ୍ରାନ୍ସ ମଧ୍ୟରେ ହୋଇଥିବା ଏକ ଦ୍ୱିପାକ୍ଷିକ ଚୁକ୍ତିରେ ଥିବା ଗୋପନୀୟ ପ୍ରାବଧାନଗୁଡ଼ିକୁ ହିଁ ସରକାର ପାଳନ କରୁଛନ୍ତି । ଏହି ଚୁକ୍ତି ସଂପର୍କରେ କେତେକ ଭିତ୍ତିହୀନ ଆରୋପ ଲଗାଯାଉଛି । ଜାତୀୟ ସୁରକ୍ଷା ପରି ଏକ ଗୁରୁତ୍ୱପୂର୍ଣ୍ଣ ମାମଲାକୁ ଜାଣିଶୁଣି ବିବାଦୀୟ କରାଯାଉଛି ।

ପୂର୍ବ ସରକାର ରାଫେଲ କମ୍ପାନି ସହ କରିଥିବା ଚୁକ୍ତି ତୁଳନାରେ ଫ୍ରାନ୍ସ ସରକାରଙ୍କ ସହ କରାଯାଇଥିବା ଚୁକ୍ତି ମୂଲ୍ୟ, ବୈଷୟିକ ଗୁଣାବଳୀ, ହସ୍ତାନ୍ତର, ରକ୍ଷଣାବେକ୍ଷଣ ଓ ତାଲିମ ଆଦି ସବୁ ଦୃଷ୍ଟିକୋଣରୁ ବେଶ ଉତ୍ତମ ରହିଛି । ବାୟୁସେନାର ଜରୁରୀ ଆବଶ୍ୟକତା ପୂରଣ ପାଇଁ ଏହି ଚୁକ୍ତି କରାଯାଇଥିଲା ବୋଲି ପ୍ରତିରକ୍ଷା ମନ୍ତ୍ରାଳୟ କହିଛି ।

ସମ୍ବନ୍ଧିତ ଖବର