ସୁପ୍ରିମ୍‌କୋର୍ଟ ବିଚାରପତି ନିିଯୁକ୍ତିକୁ ନେଇ ବିବାଦ

କଲେଜିୟମ ସୁପାରିସ ଫେରାଇଲେ ସରକାର, ଯୋଶେଫଙ୍କୁ ନିଯୁକ୍ତି ଦେବାକୁ ମନାକଲେ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ବିଚାରପତି ନିଯୁକ୍ତି ନେଇ ଏବେ ନୂଆ ବିବାଦ ସୃଷ୍ଟି ହୋଇଛି। କଲେଜିୟମ ସୁପାରିସକୁ ଗ୍ରହଣ କରି କେନ୍ଦ୍ର ସରକାର ବରିଷ୍ଠ ଆଇନଜୀବୀ ଇନ୍ଦୁ ମାଲହୋତ୍ରାଙ୍କୁ ସୁପ୍ରିମକୋର୍ଟ ବିଚାରପତି ଭାବେ ନିଯୁକ୍ତି ଦେଇଥିବା ବେଳେ ଉତ୍ତରାଖଣ୍ଡ ହାଇକୋର୍ଟ ମୁଖ୍ୟ ବିଚାରପତି କେ.ଏମ୍‌. ଯୋଶେଫଙ୍କ ନିଯୁକ୍ତି ସୁପାରିସକୁ ଗ୍ରହଣ କରିନାହାନ୍ତି। ଏବାବଦ କଲେଜିୟମ ସୁପାରିସକୁ କେନ୍ଦ୍ର ସରକାର ଫେରାଇ ଦେଇଛନ୍ତି। ବରିଷ୍ଠତା ଭିତ୍ତିରେ ଜଷ୍ଟିସ୍‌ ଯୋଶେଫଙ୍କ ଏହି ନିଯୁକ୍ତି ସୁପାରିସକୁ ପ୍ରତ୍ୟାଖ୍ୟାନ କରାଯାଇଛି ବୋଲି କେନ୍ଦ୍ର ସରକାର ମତ ଦେଇଛନ୍ତି। ସୁପ୍ରିମକୋର୍ଟ ଏହି ପ୍ରସଙ୍ଗରେ ଆଉଥରେ ବିଚାର କରିବାକୁ ସରକାର କହିଛନ୍ତି।

କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ କଂଗ୍ରେସ ଏବଂ ସୁପ୍ରିମକୋର୍ଟ ବାର ଆସୋସିଏସନ୍‌ ବିରୋଧ କରିଥିବା ବେଳେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ର କହିଛନ୍ତି ଯେ ଏଭଳି ସୁପାରିସ୍‌ ଫେରାଇବାକୁ କେନ୍ଦ୍ରର ଅଧିକାର ରହିଛି।

କେନ୍ଦ୍ର ସରକାରଙ୍କ କହିବା ମୁତାବକ, କଲେଜିୟମ ଜଷ୍ଟିିସ୍‌ ଯୋଶେଫଙ୍କ ନାମ ସୁପାରିସ କରିବା ପୂର୍ବରୁ ବରିଷ୍ଠତା ଓ ସ୍ଥାନୀୟ ପ୍ରତିନିଧିତ୍ୱକୁ ଗୁରୁତ୍ୱ ଦେଇନାହାନ୍ତି। ବରିଷ୍ଠତା ଆଧାରରେ ୬୬୯ ହାଇକୋର୍ଟ ବିଚାରପତିଙ୍କ ମଧ୍ୟରେ ଜଷ୍ଟିସ୍‌ ଯୋଶେଫଙ୍କ ସ୍ଥାନ ୪୨ରେ ଥିବାରୁ କେନ୍ଦ୍ର ସରକାର ଏହାକୁ ଖାରଜ କରିଥିବା ଦର୍ଶାଇଛନ୍ତି। ଏଭଳି ସ୍ଥିତିରେ କଲେଜିୟମ ସୁପାରିସକୁ ଗ୍ରହଣ କଲେ ଏହା ବରିଷ୍ଠ ବିଚାରପତିଙ୍କ ପ୍ରତି ଅନ୍ୟାୟ ହେବ ବୋଲି କେନ୍ଦ୍ର ସରକାର କହିଛନ୍ତି।

କଲେଜିୟମ ସୁପାରିସକୁ ଫେରାଇବା ନେଇ ଉଭୟ ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତିଙ୍କ ସମର୍ଥନ ରହିଥିବା କେନ୍ଦ୍ର ସରକାର କହିଛନ୍ତି। ଅନ୍ୟପକ୍ଷରେ ଏହି ମାମଲାକୁ ନେଇ ରାଜନୈତିକ ବୟାନବାଜି ଆରମ୍ଭ ହୋଇଯାଇଛି । ୨୦୧୬ରେ କେନ୍ଦ୍ର ସରକାର ଉତ୍ତରାଖଣ୍ଡରେ ଜାରି କରିଥିବା ରାଷ୍ଟ୍ରପତି ଶାସନକୁ ଉତ୍ତରାଖଣ୍ଡ ହାଇକୋର୍ଟ ମୁଖ୍ୟ ବିଚାରପତି କେ.ଏମ. ଯୋଶେଫ ବେଆଇନ ଘୋଷଣା କରିଦେଇଥିଲେ। ତେଣୁ ସରକାର ଆକ୍ରୋଶମୂଳକ ଭାବେ ସୁପ୍ରିମକୋର୍ଟରେ ତାଙ୍କ ନିଯୁକ୍ତି ସୁପାରିସକୁ ଫେରାଇ ଦେଇଥିବା ନେଇ କଂଗ୍ରେସ ଅଭିଯୋଗ କରିଛି। ଉଲ୍ଲେଖଯୋଗ୍ୟ, ଗତ ଜାନୁଆରି ୧୦ ତାରିଖରେ ସୁପ୍ରିମକୋର୍ଟ କଲେଜିୟମ ବରିଷ୍ଠ ଆଇନ୍‌ଜୀବୀ ଇନ୍ଦୁ ମାଲହୋତ୍ରା ଓ ଉତ୍ତରାଖଣ୍ଡ ହାଇକୋର୍ଟ ମୁଖ୍ୟ ବିଚାରପତି କେ.ଏମ୍‌. ଯୋଶେଫଙ୍କୁ ସୁପ୍ରିମକୋର୍ଟ ବିଚାରପତି ଭାବେ ନିଯୁକ୍ତି ପାଇଁ ସୁପାରିସ କରିଥିଲେ।

ବରିଷ୍ଠ ଆଇନ୍‌ଜୀବୀ ଇନ୍ଦିରା ଜୟସିଂହ କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପକୁ ପକ୍ଷପାତ ନୀତି ବୋଲି କହିବା ସହ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରି ଇନ୍ଦୁ ମାଲହୋତ୍ରାଙ୍କ ନିଯୁକ୍ତି ଉପରେ ରୋକ୍‌ ଲଗାଇବାକୁ ଦାବି କରିଛନ୍ତି। ଯଦି ସରକାର ଆଇନଜୀବୀ ମାଲହୋତ୍ରାଙ୍କ ନିଯୁକ୍ତିଙ୍କୁ ସ୍ୱୀକାର କରୁଛନ୍ତି ତେବେ ଜଷ୍ଟିସ୍‌ ଯୋଶେଫଙ୍କ ନିଯୁକ୍ତିକୁ ମଧ୍ୟ ସ୍ୱୀକାର କରାଯାଉ ବୋଲି ସେ ଦାବି କରିଛନ୍ତି। କେନ୍ଦ୍ର ସରକାର ଜଣଙ୍କୁ ଗ୍ରହଣ କରି ଆଉ ଜଣଙ୍କ ନାମକୁ ଫେରାଇବା ଆଇନସଙ୍ଗତ ନୁହେଁ ବୋଲି ଜୟସିଂହ କହିଛନ୍ତି। ତେବେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ର, ଡି ଓ୍ଵାଇ ଚନ୍ଦ୍ରଚୁଡ ଏବଂ ଏ.ଏମ୍‌ ଖାନଓ୍ଵିଲକରଙ୍କ ଖଣ୍ଡପୀଠ ଏହି ମାମଲାର ବିଚାର କରି ଆଇନଜୀବୀ ଜୟସିଂହଙ୍କ ଆବେଦନକୁ ଖାରଜ କରିଛନ୍ତି। ଖଣ୍ଡପୀଠ ଏହି ମାମଲାରେ କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପକୁ ସ୍ୱାଭାବିକ ପ୍ରକ୍ରିୟା ଭାବେ ଗ୍ରହଣ କରିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍‌ ମିଶ୍ର କହିଛନ୍ତି ଯେ କଲେଜିୟମ ସୁପାରିସକୁ ଫେରାଇବାର ଅଧିକାର କେନ୍ଦ୍ର ସରକାରଙ୍କର ରହିଥିବାରୁ ସୁପ୍ରିମକୋର୍ଟ ଏନେଇ କୌଣସି ନିର୍ଦ୍ଦେଶ ଦେଇପାରିବେ ନାହିଁ। ତେବେ କଲେଜିୟମ ସୁପ୍ରିମକୋର୍ଟ ଓ କେନ୍ଦ୍ର ସରକାରଙ୍କ ଏଭଳି ନିଷ୍ପତ୍ତିକୁ ନାପସନ୍ଦ କରିଥିବା ଜଣାପଡ଼ିଛି। ସୁପ୍ରିମକୋର୍ଟ ବାର ଆସୋସିଏସନ୍‌ ମଧ୍ୟ ସରକାରୀ ପଦକ୍ଷେପକୁ ବିରୋଧ କରିବା ସହିତ ନ୍ୟାୟପାଳିକାରେ ଏହାକୁ ସରକାରୀ ହସ୍ତକ୍ଷେପ ବୋଲି ଦର୍ଶାଇଛନ୍ତି।

ସମ୍ବନ୍ଧିତ ଖବର