ଉତ୍ତରପ୍ରଦେଶର ପର୍ଯ୍ୟଟନ ତାଲିକାରୁ ହଟିଲା ତାଜମହଲ

ଲକ୍ଷ୍ନୌ:  ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାର ଗଠନ କରିବା ପରେ ଉତ୍ତରପ୍ରଦେଶରେ ବହୁ ପରିବର୍ତ୍ତନ ଦେଖିବାକୁ ମିଳିଛି। ବହୁ ଯୋଜନା ଲାଗୁ ହେବା ସହ ଅନେକଗୁଡ଼ିଏକୁ ପରିବର୍ତ୍ତିତ କରାଯାଇଛି। ମାତ୍ର ଏପରି ଏକ ଖବର ଜାଣିବାକୁ ମିଳିଛି ଯାହା ବିଶ୍ୱାସ ନ ହେଲେ ବି ସତ। ଆଗ୍ରାରେ ଥିବା ତାଜ୍‌ମହଲ ପାଇଁ ଉତ୍ତରପ୍ରଦେଶ ପ୍ରସିଦ୍ଧ ଥିବା ବେଳେ ସେହି ତାଜମହଲକୁ ରାଜ୍ୟ ପର୍ଯ୍ୟଟନ ତାଲିକାରୁ ବାଦ୍ ଦିଅାଯାଇଛି। ଏହାର କାରଣ ଜଣାପଡ଼ିନାହିଁ। ତାଜ୍‌ମହଲ ପଛରେ ଲୁଚି ରହିଥିବା ମୋଗଲ୍ ସମ୍ରାଟ୍ ଶାହାଜାହାନ ଏବଂ ରାଣୀ ମମତାଜଙ୍କ ନିଚ୍ଛକ ପ୍ରେମ କାହାଣୀ କେବଳ ଭାରତୀୟ ନୁହେଁ ବରଂ ବହୁ ବଦେଶୀଙ୍କୁ ଆକୃଷ୍ଟ କରିଥାଏ। ଦିଲ୍ଲୀ ବୁଲିବାକୁ ଯାଇ କେହି ତାଜ୍‌ମହଲ ନ ଗଲେ ଯେପରି ପର୍ଯ୍ୟଟନ ଅଧୁରା ରହିଯାଏ! ମାତ୍ର ଉକ୍ତ ପ୍ରସିଦ୍ଧ ତାଜ୍‌ମହଲକୁ ପର୍ଯ୍ୟଟନ ତାଲିକାରୁ ଯୋଗୀ ସରକାର କାଟିଦେବା ନିଷ୍ପତ୍ତି ଲୋକଙ୍କୁ ଚକିତ କରିଛି।

ବିଶ୍ୱରେ ରହିଥିବା ସପ୍ତାଶ୍ଚର୍ଯ୍ୟ ମଧ୍ୟରୁ ଆଗ୍ରାର ତାଜ୍‌ମହଲ ଅନ୍ୟତମ। ଏହାକୁ ଲୋକେ ପ୍ରେମର ସ୍ମାରକୀ ଭାବେ ଜାଣନ୍ତି। ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ଉତ୍ତର ପ୍ରଦେଶର ପର୍ଯ୍ୟଟନ ବିଭାଗ ଏକ ପ୍ରଦର୍ଶନୀ ତାଲିକା ପ୍ରକାଶ କରିଥିଲା, ଯେଉଁଥିରେ ତାଜମହଲ ଦେଖିବାକୁ ମିଳିନଥିଲା। ଏହି ଖବର ଏବେ ଚାରିଆଡେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଉତ୍ତରପ୍ରଦେଶର ପର୍ଯ୍ୟଟନ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ତାଲିକାର ନାମ ଥିଲା ‘ଉତ୍ତରପ୍ରଦେଶ ପର୍ଯ୍ୟଟନ-ଅପାର ସମ୍ଭାବନାୟେ’। ସେଥିରେ ତାଜମହଲକୁ ବାଦ୍‌ ଦେଲା ପରେ ରାଜ୍ୟର ଅନ୍ୟ ସମସ୍ତ ପର୍ଯ୍ୟଟନସ୍ଥଳୀଗୁଡ଼ିକ ସ୍ଥାନ ପାଇଛି।

ଏହି କଥା ଚର୍ଚ୍ଚା ପାଲଟିବା ପରେ ତାଜମହଲର ଏକ ଚିତ୍ର ପର୍ଯ୍ୟଟନ ତାଲିକାରେ ଖୁବ୍‌ ଶୀଘ୍ର ସ୍ଥାନ ପାଇବ ବୋଲି ଯୋଗୀ ଆଦିତ୍ୟନାଥ ପ୍ରକାଶ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଚଳିତବର୍ଷ ଜୁନ୍‌ ମାସରେ ଯୋଗୀ ଆଦିତ୍ୟନାଥ କହିଥିଲେ ଯେ ‘ରାମାୟଣ ଏବଂ ଗୀତା ଭାରତୀୟ ସଂସ୍କୃତିକୁ ବୁଝାଏ। ତାଜମହଲ ଭାରତୀୟ ସଂସ୍କୃତିର ପ୍ରତୀକ ନୁହେଁ।’

ଏପରିକି ଯୋଗୀ ସରକାରଙ୍କର ୨୦୧୭-୧୮ ମସିହାର ପ୍ରଥମ ରାଜ୍ୟ ବଜେଟ୍‌ରେ ‘ହମାରି ସଂସ୍କୃତିକ୍  ବିରାସତ୍‌’(ଆଓ୍ଵାର୍‌ କଲ୍‌ଚର୍‌ ହେରିଟେଜ୍‌)ରେ ମଧ୍ୟ ତାଜମହଲ ସ୍ଥାନ ପାଇ ନଥିଲା।

ଉତ୍ତରପ୍ରଦେଶର ପର୍ଯ୍ୟଟନସ୍ଥଳୀ ତାଲିକାରେ ପର୍ଯ୍ୟଟନ ମନ୍ତ୍ରୀ ରିତା ବହୁଗୁଣା ଜୋଶୀଙ୍କ ସମେତ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ‘ଗଙ୍ଗା ଆରତୀ ଉତ୍ସବ’ରେ ଯୋଗ ଦେଇଥିବା ସମୟର ଫଟୋ ସ୍ଥାନିତ କରାଯାଇଛି। ଏଥିରେ ବାରଣାସୀରେ ହେଉଥିବା ଗଙ୍ଗା ଉତ୍ସବ ସଂପର୍କରେ ବିସ୍ତାରିତ ଭାବେ ବର୍ଣ୍ଣନା କରାଯାଇଛି। ଏହା ସହିତ ଗୋରଖପୁରର ଗୋରଖନାଥ ପୀଠ, ମଥୁରା-ବୃନ୍ଦାବନ, ଅଯୋଧ୍ୟା ପରି ୟୁପିରେ ଥିବା ଧାର୍ମିକ ସ୍ଥାନଗୁଡ଼ିକୁ ଗୁରୁତ୍ୱ ଦିଆଯାଇଛି।

ତେବେ, ଯୋଗୀଙ୍କର ଏପରି ନଚ୍ଛକ ଧାର୍ମିକ ଭାବନା ରାଜ୍ୟର ପର୍ଯ୍ୟଟନସ୍ଥଳୀ ଓ ସଂସ୍କୃତି ଉପରେ ପ୍ରଭାବ ପକାଉଛି ନିଶ୍ଚୟ। ଶହ ଶହ ବର୍ଷ ଧରି ଲୋକପ୍ରିୟ ରହିଥିବା ତାଜମହଲକୁ ଯୋଗୀଙ୍କ ଅଣଦେଖା ବେଶ ଚର୍ଚ୍ଚା ପାଲଟିଛି। ଯୋଗୀଙ୍କର ଏପରି ନିଷ୍ପତ୍ତିଗୁଡ଼ିକ ହେତୁ ସେ ପୂର୍ବରୁ ମଧ୍ୟ ବହୁବାର ସମାଲୋଚନାର ପାତ୍ର ହୋଇଛନ୍ତି। ଜଣେ ମୁଖ୍ୟମନ୍ତ୍ରୀ ଭାବେ ସେ ରାଜ୍ୟର ପ୍ରତିିଟି ଐତିହ୍ୟ ଓ ପରମ୍ପରାକୁ ଗୁରୁତ୍ୱ ଦେବା ପରିବର୍ତ୍ତେ ଏକଚାଟିଆ ନିଷ୍ପତ୍ତି ନେଉଥିବାରୁ ଅନେକ ସମୟରେ ଲୋକଙ୍କ ସମାଲୋଚନାର ପାତ୍ର ସାଜୁଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।

ସମ୍ବନ୍ଧିତ ଖବର