ମୋଦି ସରକାରଙ୍କ ନୂଆ ସ୍କିମ, ପ୍ରତି ପରିବାରକୁ ଶସ୍ତାରେ ମିଳିବ ୨ କିଲୋ ଡାଲି

ନୂଆଦିଲ୍ଲୀ : ଟଙ୍କିକିଆ ଚାଉଳ ସ୍କିମକୁ ନେଇ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଟଣାଉଟରା ଚାଲିଛି । ରାଜ୍ୟ କହୁଛି ମୁଁ ଦେଉଛି, କେନ୍ଦ୍ର କହୁଛି ମୁଁ ଦେଉଛି ।  କେତେକ ରାଜ୍ୟ ସରକାର ନିଜସ୍ୱ ସ୍କିମ ଆରମ୍ଭ କରିବାକୁ ଘୋଷଣା କଲେଣି । ଆଗକୁ ନିର୍ବାଚନ ଥିବାରୁ କେନ୍ଦ୍ରର ମୋଦି ସରକାର ମଧ୍ୟ ପଛକୁ ହଟିବାକୁ ଚାହୁଁନାହାନ୍ତି । ଏଥିପାଇଁ ଏକ ଡାଲି ସ୍କିମ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି କେନ୍ଦ୍ର ସରକାର । ଏହି ସ୍କିମ ଅନୁସାରେ କଣ୍ଟ୍ରୋଲ ଦୋକାନ ମାଧ୍ୟମରେ ପରିବାର ପିଛା ମାସକୁ ଦୁଇ କିଲୋଗ୍ରାମ ଡାଲି ( ହରଡ, ମୁଗ ବା ଚଣା) ବଣ୍ଟନ କରାଯିବ । ପ୍ରଥମ ପର୍ଯ୍ୟାୟରେ ଦେଶର ୨୦୦ଟି ଜିଲ୍ଲାରେ ପ୍ରାୟ ୭୦ ନିୟୁତ ପରିବାରକୁ କଣ୍ଟ୍ରୋଲ ଦୋକାନ ମାଧ୍ୟମରେ ଡାଲି ଦିଆଯିବ । ଏହି ଡାଲି ବଜାର ଦରର ଅଧା ମୂଲ୍ୟରେ ଦିଆଯିବ । ଅର୍ଥାତ ପ୍ରାୟ ୩୦ରୁ ୩୫ ଟଙ୍କା ମୂଲ୍ୟରେ ଡାଲି ଦିଆଯିବ । ଗତ ୨ ବର୍ଷ ହେଲା ଦେଶରେ ଡାଲି ଉତ୍ପାଦନ ଭଲ ହୋଇଛି । ସେଥିପାଇଁ ସରକାର ଚାଷୀଙ୍କଠାରୁ କିଣିଥିବା ପ୍ରାୟ ୪.୫ ନିୟୁତ ଟନ ଡାଲି ଏବେ ଗୋଦାମରେ ଭରି ରହିଛି । ଆଗକୁ ନୂଆ ଉତ୍ପାଦନ ଆସିବାକୁ ଥିବାରୁ ସରକାର ଏବେ ଗୋଦାମରେ ଥିବା ଡାଲିକୁ ବିକିବାକୁ ଚାହୁଁଛନ୍ତି । ଗତ ୨ ବର୍ଷରେ ସରକାର ଚାଷୀଙ୍କଠାରୁ ପ୍ରାୟ ୩୦ ହଜାର କୋଟି ଟଙ୍କାର ଡାଲି କିଣିଥିଲେ, ମାତ୍ର ଶସ୍ତା ଦରରେ ଲୋକମାନଙ୍କୁ ବଣ୍ଟନ କରାଯିବା ଦ୍ୱାରା ସରକାରଙ୍କର ପ୍ରାୟ ୮ ହଜାର କୋଟି କ୍ଷତି ହେବ ।

ସମ୍ବନ୍ଧିତ ଖବର