ସରକାରଙ୍କ ବଡ଼ ନିଷ୍ପତ୍ତି : ୟୁଜିସି ବଦଳରେ ଗଠନ ହେବ ଭାରତୀୟ ଉଚ୍ଚଶିକ୍ଷା ଆୟୋଗ

ନୂଆଦିଲ୍ଲୀ : ନେହେରୁ ଯୁଗର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ବଦଳିବାକୁ ଯାଉଛି । ସରକାର ବିଶ୍ୱ ବିଦ୍ୟାଳୟ ଅନୁଦାନ ଆୟୋଗ ବା ୟୁଜିସି ବଦଳରେ ଏକ ଭାରତୀୟ ଉଚ୍ଚ ଶିକ୍ଷା ଆୟୋଗ ଗଠନ କରିବାକୁ ନୀତିଗତ ନିଷ୍ପତ୍ତି ନେଇଛନ୍ତି । ଏ ନେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ପ୍ରସ୍ତୁତ ଏକ ଚିଠା ବିଲ୍‌କୁ କେନ୍ଦ୍ର ସରକାରଙ୍କ ମଂଜୁରୀ ମିଳିଛି । ଏହି ଚିଠା ବିଲ ସଂପର୍କରେ ଜନସାଧାରଣ, ଶିକ୍ଷାବିତ, ଶିିକ୍ଷାନୁଷ୍ଠାନ ମାନଙ୍କ ମତାମତ ଲୋଡାଯାଇଛି । ୭ ଜୁଲାଇ ସୁଦ୍ଧା ଏହି ମତାମତ ମନ୍ତ୍ରାଳୟକୁ ଜଣାଇଦେବ । ଏହି ଚିଠା ବିଲରେ ଥିବା ପ୍ରସ୍ତାବ ଅନୁସାରେ ଉଚ୍ଚଶିକ୍ଷାନୁଷ୍ଠାନକୁ ଆର୍ଥିକ ଅନୁଦାନ ଦେବାର କ୍ଷମତା ପ୍ରସ୍ତାବିତ ଉଚ୍ଚ ଶିକ୍ଷା ଆୟୋଗ ପାଖରେ ନରହି ସରକାର (କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ) ପାଖରେ ରହିବ । ଉଚ୍ଚ ଶିକ୍ଷା ଆୟୋଗ କେବଳ ଶିକ୍ଷା ଓ ଗବେଷଣା ଉପରେ ଦୃଷ୍ଟିନିବଦ୍ଧ କରିବ । ଏହା ଦ୍ୱାରା ଦେଶରେ ଶିକ୍ଷା ଓ ଗବେଷଣା କ୍ଷେତ୍ରର ଉନ୍ନତି ହୋଇପାରିବ ବୋଲି ସରକାର ବିଚାର କରୁଛନ୍ତି । ଏହା ଦ୍ୱାରା ମଧ୍ୟ ଶିକ୍ଷାବ୍ୟବସ୍ଥା ଉପରେ ଇନ୍ସପେକ୍ଟର ରାଜ କମିବ । ବିଶିଷ୍ଟ ଶିକ୍ଷାବିତ ଓ ଗବେଷକମାନେ ଏହି ଉଚ୍ଚ ଶିକ୍ଷା ଆୟୋଗର ମୁଖ୍ୟ ରହିବେ । କେନ୍ଦ୍ରରେ ମୋଦି ସରକାର ଆସିବା ପରେ ୨୦୧୪ ଡିସେମ୍ବରରେ ଯୋଜନା ଆୟୋଗକୁ ହଟାଇ ତା ବଦଳରେ ନିତି ଆୟୋଗ ଗଠନ କରିଥିଲେ ।

ସମ୍ବନ୍ଧିତ ଖବର