ପ୍ରାକୃତିକ ଦୁର୍ବିପାକର ମୁକାବିଲା ଲାଗି ଇସ୍ରୋର ସହାୟତା ନିଆଯିବ

ନୂଆଦିଲ୍ଲୀ : ଦେଶରେ ପ୍ରାକୃତିକ ଦୁର୍ବିପାକର ମୁକାବିଲା ଲାଗି ସରକାର ଇସ୍ରୋର ସହାୟତ ନେବେ । ଏଥିଲାଗି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏବଂ ମହାକାଶ ବିଭାଗର ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ଏହି ବୁଝାମଣା ପତ୍ର ଅନୁସାରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସକାଶେ ଏକ ଅତ୍ୟାଧୁନିକ ସମନ୍ୱିତ କଣ୍ଟ୍ରୋଲ ରୁମ୍‌ ପ୍ରତିଷ୍ଠା କରିବାରେ ଇସ୍ରୋ ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବ । ଏହି କଣ୍ଟ୍ରୋଲ ରୁମ୍‌ ଆପାତକାଳନୀ ପରିସ୍ଥିତିରେ ବିଶେଷ ଭାବେ ସହାୟକ ହେବ । ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଯୁଗ୍ମ ସଚିବ ( ବିପର୍ଯ୍ୟୟ ପରିଚାଳନା) ଶ୍ରୀ ସଞ୍ଜୀବ କୁମାର ଜିନ୍ଦଲ ଏବଂ ଇସ୍ରୋର ଏନଆରଏସସି ପକ୍ଷରୁ ଉପ ନିର୍ଦ୍ଦେଶକ ଡ଼କ୍ଟର ପି ଭି ଏନ ରାଓ ଏହି ବୁଝାମଣା ପତ୍ରରେ ସ୍ୱାକ୍ଷର କରିଥିଲେ ।
ପ୍ରସ୍ତାବିତ ଆଇସିଆର – ଇଆର ପ୍ରତିଷ୍ଠା କରିବାରେ ଇସ୍ରୋ ସମସ୍ତ ପ୍ରକାର ବୈଷୟିକ ସହାୟତା ଯୋଗାଇଦେବ ଏବଂ ଏହି ସମନ୍ୱିତ କଣ୍ଟ୍ରୋଲ ରୁମ୍‌ ପ୍ରକଳ୍କ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟକାରୀ କରାଯିବ । ଆଗାମୀ ଦେଢ଼ ବର୍ଷ ମଧ୍ୟରେ ଏଭଳି କଣ୍ଟ୍ରୋଲ ରୁମ୍‌ ସ୍ଥାପନ କରାଯିବାର ଆଶା କରାଯାଉଛି ।
ବିପର୍ଯ୍ୟୟ ପରିଚାଳନା ଠାରୁ ଆରମ୍ଭ କରି ଆଭ୍ୟନ୍ତରୀଣ ନିରାପତ୍ତା କ୍ଷେତ୍ରରେ ପ୍ରସ୍ତାବିତ ଆଇସିଆର- ଇଆର ବହୁଆକାଂକ୍ଷିତ ଆବଶ୍ୟକତା ପୂରଣ କରିବ । ଏହି କେନ୍ଦ୍ର ରିଅଲ ଟାଇମ ଭିତ୍ତିରେ ସମସ୍ତ ପ୍ରକାର ଗୁରୁତ୍ୱପୂର୍ଣ୍ଣ ଆଭ୍ୟନ୍ତରୀଣ ନିରାପତ୍ତାଜନିତ ସୂଚନା ତଥା ବିପର୍ଯ୍ୟୟ ପରିଚାଳନା ସକାଶେ ତଥ୍ୟ ସଂଗ୍ରହ କରିବା ସହ ଏହାର ମନିଟରିଂ, ସ୍ଥାନୀୟ ସଚେତନତା, କମାଣ୍ଡ ଏବଂ ନିୟନ୍ତ୍ରଣ, ପ୍ରସ୍ତୁତି ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ସହାୟକ ହେବ । ତେଣୁ ଏଭଳି ଆପାତକାଳୀନ ପରିସ୍ଥିତିରେ ସମନ୍ୱିତ କଣ୍ଟ୍ରୋଲ ରୁମ୍‌ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟକୁ ଏଭଳି କାର୍ଯ୍ୟରେ ସହାୟକ ହୋଇପାରିବ ।

ସମ୍ବନ୍ଧିତ ଖବର