ପ୍ରବାସୀ ଶ୍ରମିକଙ୍କୁ ଦ୍ୱିତୀୟ ଶ୍ରେଣୀ ନାଗରିକ ଭାବେ ଦେଖୁଛନ୍ତି ମୋଦି ସରକାର : ରାହୁଲ

ନୂଆଦିଲ୍ଲୀ: ପାସପୋର୍ଟକୁ ଠିକଣା ପ୍ରମାଣପତ୍ର ଭାବେ ବ୍ୟବହାର ବନ୍ଦ ନେଇ କେନ୍ଦ୍ର ସରକାର କରୁଥିବା ଯୋଜନାକୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ସମାଲୋଚନା କରିଛନ୍ତି । ମୋଦି ସରକାରଙ୍କ ଏହା ଏକ ପକ୍ଷପାତମୂଳକ ପଦକ୍ଷେପ । ସରକାର ପ୍ରବାସୀ ଶ୍ରମିକ ମାନଙ୍କୁ ଦ୍ୱିତୀୟ ଶ୍ରେଣୀ ନାଗରିକ ଭାବେ ଦେଖୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।

“ଏହି ପଦକ୍ଷେପ ପ୍ରମାଣିତ କରୁଛି ସେ ସରକାର ପ୍ରବାସୀ ଶ୍ରମିକମାନଙ୍କୁ ଦ୍ୱିତୀୟଶ୍ରେଣୀ ନାଗରିକଭାବେ ଦେଖୁଛନ୍ତି । ଏହା ଆଦୌ ଗ୍ରହଣୀୟ ନୁହେଁ । ଏହା ବିଜେପିର ପକ୍ଷପାତମୂଳକ ବ୍ୟହହାର” ରାହୁଲ କହିଛନ୍ତି ।

ସୂଚନାଯୋଗ୍ୟ ଯେ କିଛିଦିନ ତଳେ ବୈଦେଶିକ ମନ୍ତ୍ରାଳୟ ନେଇଥିବା ନିଷ୍ପତ୍ତି ଅନୁସାରେ ଏଣିକି ପାସପୋର୍ଟର ଶେଷ ପୃଷ୍ଠାରେ ଠିକଣା ଲେଖାରହିବ ନାହିଁ । ଏବେ ପ୍ରଚଳିତ ପାସପୋର୍ଟଗୁଡିକର ମଲାଟର ଠିକ୍‌ ପଛ ପୃଷ୍ଠାରେ ପାସ୍‌ପୋର୍ଟ ଧାରୀ ଭାରତୀୟ ନାଗରିକଙ୍କ ନାଁ ଓ ଫଟୋ ରହୁଛି ଓ ପାସପୋର୍ଟରେ ଶେଷ ପୃଷ୍ଠାରେ ଠିକଣା ଲେଖା ରହୁଛି । କିନ୍ତୁ ନୂଆ ଧରଣର ପାସପୋର୍ଟରେ ଶେଷପୃଷ୍ଠାରେ ଲୋକମାନଙ୍କର ଠିକଣା ଲେଖା ରହିବ ନାହିଁ ଓ ଏହା ଖାଲି ରହିବ । କାରଣ ପାସପୋର୍ଟରେ ବ୍ୟକ୍ତିର ଠିକଣା ଓ ଅନ୍ୟାନ୍ୟ ବ୍ୟକ୍ତିଗତ ତଥ୍ୟ ଦେବାର ଆଜିକାଲି କୌଣସି ଆବଶ୍ୟକତା ନାହିଁ । ପାସପୋର୍ଟରେ ଏବେ ବାରକୋର୍ଡ ରହୁଥିବାରୁ ବିଦେଶ ବିଭାଗ, ସୁରକ୍ଷା ଏଜେନ୍ସି ମାନେ ଏହି ବାରକୋର୍ଡ ରିଡ୍‌ କରି ଆବଶ୍ୟକ ତଥ୍ୟ ପାଇପାରୁଛନ୍ତି ।

ନାସିକଠାରେ ଥିବା ଇଣ୍ଡିଆନ ସିକ୍ୟୁରିଟି ପ୍ରେସ୍‌ (ଆଇଏସପି) ଠାରେ ଏହି ନୂଆ ଡିଜାଇନର ପାସପୋର୍ଟ ଛପା ହେବ । ନୂଆ ପାସପୋର୍ଟ ପ୍ରଚଳନ ପର୍ଯ୍ୟନ୍ତ ପ୍ରଚଳିତ ପାସପୋର୍ଟ ବୈଧ ରହିବ ।

ସମ୍ବନ୍ଧିତ ଖବର