ପୁତ୍ରମାନଙ୍କ ପାଇଁ ଅଗ୍ନି ପରୀକ୍ଷା

ନୂଆଦିଲ୍ଲୀ: ଚଳିତ ସାଧାରଣ ନିର୍ବାଚନ ଅନେକ କାରଣରୁ ଗୂରୁତ୍ବପୂର୍ଣ୍ଣ ମନେ କରାଯାଉଛି। ତେବେ ସମସ୍ତଙ୍କ ନଜର ରହିଛି ନେତାମାନଙ୍କ ଉତ୍ତରାଧିକାରୀ ପୁତ୍ରମାନଙ୍କ ଉପରେ। ସେମାନଙ୍କ ମଧ୍ୟରେ ଅଛନ୍ତି ଅଖିଳେଶ ଯାଦବ, ତେଜସ୍ବୀ ଯାଦବ ଏବଂ ଏମ୍‌କେ ଷ୍ଟାଲିନ୍। ନିଜ ନିଜ ରାଜ୍ୟ ଛଡ଼ା ଜାତୀୟ ରାଜନୀତିରେ ଏମା‌ନେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ ବୋଲି କୁହାଯାଉଛି।
ତେବେ ୨୦୧୪ରେ ଫ୍ଲପ୍ ମାରିଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଉପରେ ରହିଛି ସମସ୍ତଙ୍କର ନଜର। ରାଜୀବ-ସୋନିଆ ଗାନ୍ଧୀଙ୍କ ପୁତ୍ର ରାହୁଲ ୨୦୧୭ରୁ ଦଳର ସଭାପତି ଦାୟିତ୍ବ ତୁଲାଉଛନ୍ତି। ତାଙ୍କ ନେତୃତ୍ବରେ ୨୦୧୪ ନିର୍ବାଚନ ଲଢ଼ିଥିବା କଂଗ୍ରେସକୁ ଶୋଚନୀୟ ପରାଜୟ ସମ୍ମୁଖୀନ ହେବାକୁ ପଡ଼ିଥିଲା। ୨୦୦୯ରେ ୨୦୬ ଆସନ ପାଇଥିବା କଂଗ୍ରେସର ଆସନ ସଂଖ୍ୟା ୨୦୧୪ରେ ୪୪କୁ ଖସି ଆସିଥିଲା। ଲୋକସଭାରେ ଏହାଥିଲା ଦଳର ସର୍ବକାଳୀନ କମ୍ ଆସନ। ତେବେ ଗତବର୍ଷ ହୋଇଥିବା ବିଧାନସଭା ନିର୍ବାଚନରେ କଂଗ୍ରେସ ମଧ୍ୟ ପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ବିଜୟୀ ହେବାପରେ ଜାତୀୟ ରାଜନୀତିରେ ରାହୁଲଙ୍କ ଦବ୍‌ଦବା ବଢ଼ିଛି। ଜାତୀୟ ସ୍ତରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପରେ ୪୮ ବର୍ଷୀୟ ରାହୁଲ ହେଉଛନ୍ତି ସର୍ବାଧିକ ‌େଲାକପ୍ରିୟ। ଚଳିତ ନିର୍ବାଚନରେ ସେ ତାଙ୍କ ଦଳକୁ କେଉଁ ସ୍ତରକୁ ନେଇ ପାରୁଛନ୍ତି ତାହା ତାଙ୍କର ନେତୃତ୍ବର ପ୍ରମାଣ ‌େଦବ।
ସେହିଭଳି ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ସଭାପତି ଅଖିଳେଶ ଯାଦବ ରାଜ୍ୟରେ ବିଜେପିକୁ କଡ଼ା ଟକ୍କର ଦେବାକୁ ଯାଉଥିବା କୁହାଯାଉଛି। ମୁଲାୟମ ସିଂହଙ୍କ ପୁଅ ୪୫ ବର୍ଷୀୟ ଅଖିଳେଶ ୨୦୧୨ରୁ ୨୦୧୭ ଯାଏଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲେ। ୨୦୧୭ ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଉପନିର୍ବାଚନରେ ଭଲ ପ୍ରଦର୍ଶନ କରିଥିଲେ। ଚଳିତ ଲୋକସଭା ନିର୍ବାଚନରେ ମାୟାବତୀଙ୍କ ବିଏସ୍‌ପି ସହ ମେଣ୍ଟ କରି ବିଜେପିର ମୁକାବିଲା କରୁଛନ୍ତି। କୁହାଯାଉଛି ତାଙ୍କ ମେଣ୍ଟର ସଫଳତା ଜାତୀୟ ରାଜନୀତିକୁ ପ୍ରଭାବିତ କରିବ। ୟୁପିରେ ଅଧିକ ଆସନ ଜିତିଲେ ଯାଇ ବିଜେପି ପାଇଁ କେନ୍ଦ୍ରରେ ସରକାର ଗଠନ ସହଜ‌ ହେବ। ତେବେ ଅଖିଳେଶଙ୍କ ମେଣ୍ଟ ବିଜେପି ରାସ୍ତାରେ କଣ୍ଟା ହୋଇପାରେ ବୋଲି କୁହାଯାଉଛି।
ବିହାରରେ ଆରଜେଡି ମୁଖ୍ୟ ଲାଲୁ ଯାଦବଙ୍କ ପୁଅ ତେଜସ୍ବୀ ଯାଦବ ମଧ୍ୟ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ କଡ଼ା ଟକ୍କର ଦେଉଛନ୍ତି। ଲାଲୁ ଜେଲ ଯିବା ପରେ ‌େସ ପାର୍ଟିକୁ ସମ୍ଭାଳିଛନ୍ତି। ୨୦୧୫ରୁ ୨୦୧୭ ପର୍ଯ୍ୟନ୍ତ ଉପମୁଖ୍ୟମନ୍ତ୍ରୀ ଥିବା ୩୩ ବର୍ଷୀୟ ତେଜସ୍ବୀ ଏବେ ବି‌େରାଧୀ ଦଳର ନେତା ଅଛନ୍ତି। ରାଜ୍ୟରେ କଂଗ୍ରେସ ଓ ଅନ୍ୟ କିଛି ଦଳଙ୍କ ସହ ମିଶି ସେ ମହାମେଣ୍ଟ ଗଠନ କରିଛନ୍ତି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ବାଧୀନ ବିଜେପି-ଜେଡିୟୁ ମେଣ୍ଟର ମୁକାବିଲା କରୁଛି ତେଜସ୍ବୀଙ୍କ ନେତୃତ୍ବାଧୀନ ମହାମେଣ୍ଟ। ନିର୍ବାଚନ ମଇଦାନରେ ଲାଲୁଙ୍କ ଅନୁପସ୍ଥିତିରେ ତେଜସ୍ବୀ ମହାମେଣ୍ଟକୁ କିପରି ନେତୃତ୍ବ ଦେଉଛନ୍ତି ତାହା ଉପରେ ସମସ୍ତଙ୍କର ନଜର ରହିଛି।
ତାମିଲନାଡ଼ୁରେ ଡିଏମ୍‌କେ ନେତା କରୁଣାନିଧିଙ୍କ ପୁଅ ଏମ୍‌କେ ଷ୍ଟାଲିନଙ୍କ ପାଇଁ ଏହି ନିର୍ବାଚନ ହେଉଛି ପ୍ରଥମ ପରୀକ୍ଷା। ୨୦୧୮ରେ କରୁଣାନିଧିଙ୍କ ପରଲୋକ ପରେ ଡିଏମକେ ପ୍ରଥମ ଥର ଲାଗି ଷ୍ଟାଲିନଙ୍କ ନେତୃତ୍ବରେ ନିର୍ବାଚନ ଲଢ଼ିବାକୁ ଯାଉଛି। ସେ କଂ‌ଗ୍ରେସ ସହ ମେଣ୍ଟ କରି ଆନ୍ନାଡିଏମକେ-ବିଜେପି ମେଣ୍ଟର ମୁକାବିଲା କରୁଛନ୍ତି। ରାଜ୍ୟରେ ତାଙ୍କ ଦଳ ଅଧିକ ଆସନ ପାଇବ ବୋଲି କୁହାଯାଉଛି।
ଜମ୍ମୁ-କଶ୍ମୀର‌େର ନେସନାଲ‌ କ‌ନଫେରେନ୍ସ ନେତା ଫାରୁକ ଅବଦୁଲ୍ଲାଙ୍କ ପୁଅ ଓମାର ଅବଦୁଲ୍ଲା ଏବଂ ପିଡିପିର ମୁଫତି ମହମ୍ମଦ ସୟିଦଙ୍କ ଝିଅ ମେହବୁବା ମୁଫତିଙ୍କ ଉପରେ ମଧ୍ୟ ନଜର ରହିଛି। ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲେ। ସେମାନଙ୍କ ନେତୃତ୍ବକୁ ରାଜ୍ୟବାସୀ କିଭଳି ଗ୍ରହଣ କରୁଛନ୍ତି ତାହା ଏହି ନିର୍ବାଚନରୁ ଜଣାପଡ଼ିବ।

ସମ୍ବନ୍ଧିତ ଖବର