ଅଯୋଧ୍ୟାରେ ଯୋଗୀଙ୍କ ବିଶାଳ ରାମ ମୂର୍ତ୍ତି ପ୍ରକଳ୍ପକୁ ବିରୋଧ

ତାରିଖ ଘୋଷଣା ନହେଲେ ଆତ୍ମାହୁତି ଦେବି: ମହନ୍ତ ପରମହଂସ

ଲ‌କ୍ଷ୍ନୌ,: ଅଯୋଧ୍ୟାରେ ଏକ ବିଶାଳ ରାମ ମୂର୍ତ୍ତି ସ୍ଥାପନ କରିବାପାଇଁ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଘୋଷଣାକୁ କେତେକ ମହଲ ଦୃଢ଼ ବିରୋଧ କରିଛନ୍ତି। ବିବାଦୀୟ ସ୍ଥଳରେ ଥିବା ଅସ୍ଥାୟୀ ମନ୍ଦିରର ମୁଖ୍ୟ ପୁରୋହିତ ମହନ୍ତ ସତ୍ୟେନ୍ଦ୍ର ଦାସ ଯୋଗୀଙ୍କର ଏହି ରାମ ମୂର୍ତ୍ତି ପ୍ରକଳ୍ପକୁ ବିରୋଧ କରିଛନ୍ତି। ସେ କହିଛନ୍ତି ଭଗବାନ ରାମଙ୍କ ସ୍ଥାନ ମନ୍ଦିରରେ। ଖୋଲା ସ୍ଥାନରେ ଭଗବାନ ରାମଙ୍କ ମୂ୍ର୍ତ୍ତି ରଖିବାକୁ ଗ୍ରହଣ କରାଯାଇ ପାରିବ ନାହିଁ। ଗତ ୨୫ ବର୍ଷ ହେବ ଅସ୍ଥାୟୀ ରାମ ଜନ୍ମଭୂମି ମନ୍ଦିରରେ ପୂଜା କରି ଆସୁଥିବା ମହନ୍ତ ସତ୍ୟେନ୍ଦ୍ର କହିଛନ୍ତି ଯେ ଭଗବାନ ରାମଙ୍କ ମୂର୍ତ୍ତି ଏକ ରାଜନୈତିକ ମୂର୍ତ୍ତି ନୁହେଁ। ‌ଦେଶର ବିଭିନ୍ନ ସ୍ଥାନମାନଙ୍କରେ ଯେଭଳି ରାଜନେତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ହେଉଛି ଏବଂ ପରେ ସେ ଗୁଡ଼ିକୁ ଯେମିତି ଅବହେଳା କରାଯାଉଛି ସେଭଳି ଦଶା ଭଗବାନ ରାମଙ୍କର ନହେଉ। ମର୍ଯ୍ୟାଦା ପୁରୁ‌ଷୋତ୍ତମ ଶ୍ରୀ ରାମଙ୍କର ଦୁର୍ଦ୍ଦଶା ନକରିବାପାଇଁ ମୁଖ୍ୟ ପୁରୋହିତ ଅନୁରୋଧ କରିଛନ୍ତି। ଅଯୋଧ୍ୟାର ତିନିଟି ହିନ୍ଦୁ ସଂଗଠନ ମଧ୍ୟ ବର୍ତ୍ତମାନ ସ୍ଥିତିରେ ମୂର୍ତ୍ତି ଆବଶ୍ୟକ ନାହିଁ ବୋଲି କହିଛନ୍ତି। ଉଲ୍ଲେଖଯୋଗ୍ୟ ନିକଟରେ ୟୁପି ସରକାର ଅଯୋଧ୍ୟାରେ ଏକ ରାମ ମୂର୍ତ୍ତି ସ୍ଥାପନ ସଂକ୍ରାନ୍ତ ପ୍ରକଳ୍ପକୁ ମଂଜୁର କରିଥିବାବେଳେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଦୀପାବଳୀ ଦିନ ଏହି ପ୍ରକଳ୍ପର ଶିଳାନ୍ୟାସ କରି‌ବେ ବୋଲି ଜଣାପଡ଼ିଛି।

ଅଯୋଧ୍ୟା, : ଡିସେମ୍ବର ୫ ତାରିଖ ସୁଦ୍ଧା ରାମ ମନ୍ଦିର ନିର୍ମାଣ ପାଇଁ ତାରିଖ ଘୋଷଣା କର। ନଚେତ୍‌ ଡିସେମ୍ବର ୬ ତାରିଖରେ ମୁଁ ଆତ୍ମାହୁତି ଦେବି ବୋଲି ଆଜି ଅଯୋଧ୍ୟା ସ୍ଥିତ ଚାୱନି ମନ୍ଦିରର ମହନ୍ତ ସ୍ବାମୀ ପରମସଂହ ଦାସ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଆଜି ମହନ୍ତ ପରମହଂସ ଗୋଟିଏ ମାସ ସମୟ ଦେଇଛନ୍ତି। ଡିସେମ୍ବର ୫ ତାରିଖରେ ରାମ ମନ୍ଦିର ନିର୍ମାଣ ପାଇଁ ତାରିଖ ଘୋଷଣା ନକରାଗଲେ ‌ସେ ଡିସେମ୍ବର ୬ ତାରିଖରେ ଆତ୍ମାହୁତି ଦେବେ ବୋଲି ଧମକ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ଗତ ଅକ୍ଟୋବର ୬ ତାରିଖରେ ମହନ୍ତ ପରମହଂସ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ନେଇ ଆଇନ ପ୍ରଣୟନ ଦାବିରେ ଆମରଣ ଅନଶନରେ ବସିଥିଲେ। କିନ୍ତୁ ଅକ୍ଟୋବର ୯ ତାରିଖରେ ଯୋଗୀ ବୁଝାଶୁଝା କରିବାପରେ ସେ ଅନଶନ ଭାଙ୍ଗିଥିଲେ। ଯୋଗୀ ଆଦିତ୍ୟନାଥ ମଧ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ତାରିଖ ଘୋଷଣା କରିବେ ବୋଲି ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ ତାହା ସେ ପୂରଣ କରିନାହାନ୍ତି ବୋଲି ମହନ୍ତ ପରମହଂସ କହିଛନ୍ତି।

ସମ୍ବନ୍ଧିତ ଖବର