ଯୌତୁକରେ ଆପାଚେ ବଦଳରେ ପଲ୍‌ସର ବାଇକ ଦିଆଯିବାରୁ ବିବାହ ପାଇଁ ମନା କଲା ବର, ରାଗରେ ଏଭଳି ପଦକ୍ଷପ ନେଲେ କନ୍ୟାପକ୍ଷ

ଲକ୍ଷ୍ନୌ : ଲକ୍ଷ୍ନୌରେ ଏକ ବିବାହ ଉତ୍ସବରେ ଘଟିଥିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ବିବାହର ଠିକ୍‌ ପୂର୍ବରୁ ବାହାଘର ପାଇଁ ମନା କରିବାରୁ ବର ସମେତ ବରର ୪ଜଣ ସଂପର୍କୀୟଙ୍କୁ କନ୍ୟାପକ୍ଷ ଯେଉଁ ଦଣ୍ଡ ଦେଇଥିଲେ ତାହାକୁ ନେଇ ଏବେ ଲୋକମାନେ ଆଲୋଚନା କରିବା ଆରମ୍ଭ କରିଛନ୍ତି । ବରକୁ ଯୌତୁକରେ ଆପାଚେ ବାଇକ୍‌ ଦରକାର ଥିବା ବେଳେ କନ୍ୟାପକ୍ଷ ବରକୁ ଏକ ପଲ୍‌ସର ଗାଡ଼ି ଦେଇଥିଲେ । ଯାହାକୁ ଦେଖି ନିରାଶ ହେବା ସହ ବିବାହ କରିବାକୁ ମନା କରି ଦେଇଥିଲେ ବରପକ୍ଷ । କନ୍ୟାପକ୍ଷ ବୁଝାଇବାକୁ ଚେଷ୍ଟା କରିବାରୁ ବରପକ୍ଷ ଆପାଚେ ବାଇକ୍‌ ସହ ସୁନା ମଧ୍ୟ ମାଗିବା ଆରମ୍ଭ କରିଥିଲେ । ବରପକ୍ଷରୁ ବାରମ୍ବାର ବଢ଼ୁଥିବା ଯୌତୁକ ଦାବିକୁ ଦେଖି କନ୍ୟାପକ୍ଷ ବର ଏବଂ ତାଙ୍କ ସଂପର୍କୀୟଙ୍କୁ ବନ୍ଧକ ରଖିବା ସହ ବର ଏବଂ ତାଙ୍କ ୪ ସଂପର୍କୀୟଙ୍କୁ ଅଧା ଲଣ୍ଡା କରି ଦେଇଥିଲେ । ପରିସ୍ଥିତି ଗମ୍ଭୀର ହେବାରୁ ପୁଲିସ ଆସି ବରପକ୍ଷକୁ ମୁକୁଳାଇ ଇନ୍ଦିରା ନଗର ଥାନାକୁ ନେଇଥିବା ସୂଚନା ମିଳିଛି ।

ସୂଚନା ମୁତାବକ,୩ ମାସ ପୂର୍ବରୁ ଅବ୍‌ଦୁଲ କଲାମଙ୍କ ସହ ପୀଡ଼ିତାଙ୍କ ବିବାହ ସ୍ଥିର କରାଯାଇଥିଲା । ଏକ ମାସ ପୂର୍ବରୁ ନିର୍ବନ୍ଧ ହୋଇଥିବା ବେଳେ ଅକ୍ଟୋବର ୨୧ରେ ବିବାହ ତାରିଖ ସ୍ଥିର କରାଯାଇଥିଲା । ପୀଡ଼ିତାଙ୍କ ବାପା ଜଣେ ପରିବା ବିକାଳି ହୋଇଥିବାରୁ ତାଙ୍କ ପାଖରେ ଅଧିକ ଯୌତୁକ ଦେବା ପାଇଁ ଅର୍ଥ ନଥିଲା । ବିବାହ ଦିନ ଯୌତୁକରେ ଦିଆଯାଇଥିବା ଜିନିଷ ଦେଖି ଅବ୍‌ଦୁଲ ବିବାହ କରିବା ପାଇଁ ମନା କରି ଦେଇଥିଲେ । ଅଧିକ ଯୌତୁକ ପାଇଁ ଅର୍ଥ ନ ଥିବା କଥା କହିବା ପରେ ଅବ୍‌ଦୁଲ ବରଯାତ୍ରୀ ନେଇ ଫେରିବାକୁ ବାହାରିଥିଲେ । ଯାହାକୁ ଦେଖି କନ୍ୟାପକ୍ଷ ବର ଏବଂ ତାଙ୍କ ସଂପର୍କୀୟଙ୍କୁ ବନ୍ଦୀ କରି ନେଇଥିଲେ ।

ସମ୍ବନ୍ଧିତ ଖବର