ରାଞ୍ଚି: ବିବାହର ଅଧିକାଂଶ ବିଧି ପୂରା ହୋଇ ସାରିଥାଏ। ବର-କନ୍ୟା ସାତ୍ ଫେରେଁ ନେଉଥାନ୍ତି। ହଠାତ୍ ବର ବେହୋସ ହୋଇ ବିବାହ ମଣ୍ଡପରେ ଟଳି ପଡ଼ିଲେ। ବରକୁ ହଠାତ ବେହୋସ ହେବା ସହ ମୁହଁରୁ ଛେପ ବାହାରୁଥିବାର ଦେଖି ଭୟଭୀତ ହୋଇଗଲେ କନ୍ୟା। ଭୟରେ ସେ ବିବାହ କରିବାକୁ ମନା କରିଦେଲେ। ଖାଲି ସେତିକି ନୁହେଁ, କନ୍ୟାର ସାନ ଭଉଣୀଙ୍କର ବାହାଘର ବରଙ୍କ କଜନ୍ ଭାଇ ସହ ହେବାକୁ ସ୍ଥିର ହୋଇଥିବା ବେଳେ କନ୍ୟା ତାହାକୁ ମଧ୍ୟ ରୋକି ଦେଇଥିବା ଜାଣିବାକୁ ମିଳିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ଝାରଖଣ୍ଡର ଚିରିଦିରି ଗ୍ରାମର ସ୍ୱର୍ଗତ ଶିବଲୋଚନ ସିଂହଙ୍କର ୨ ଝିଅ କାଜଲ ଓ ରାକ୍ଷୀଙ୍କର ବିବାହ ଶୁକ୍ରବାର ରାତିରେ ଆରମ୍ଭ ହୋଇଥିଲା। କାଜଲଙ୍କ ବିବାହ ହଜାରୀବାଗ୍ ଜିଲ୍ଲାର ମୁକୁରୁ ଗ୍ରାମର କେଳୁ ସିଂହଙ୍କ ପୁତ୍ର ଭୀମ ସିଂହଙ୍କ ସହ ସ୍ଥିର ହୋଇଥିଲା। ସେହିପରି ରାକ୍ଷୀଙ୍କ ବିବାହ ଭୀମଙ୍କ କଜନ ଭାଇ ହୋରିଲ୍ ସିଂହଙ୍କ ସହ ସ୍ଥିର ହୋଇଥିଲା।
ସ୍ଥାନୀୟ ଭଦ୍ରକାଳୀ ମନ୍ଦିରରେ ଦୁଇ ପକ୍ଷର ଲୋକେ ପହଞ୍ଚିବା ପରେ ବିବାହ ଆରମ୍ଭ ହୋଇଥିଲା। ବିବାହ ମଣ୍ଡପରେ ବିବାହ ଅନ୍ୟ ରୀତି ଶେଷ ହେବା ପରେ ବର-କନ୍ୟା ସାତ୍ ଫେରେ ନେବା ଆରମ୍ଭ କରିଥିଲେ। ସେହି ସମୟରେ ହଠାତ ଭୀମ ମୁର୍ଚ୍ଛା ହୋଇ ବେଦୀରେ ଠଳି ପଡ଼ିଥିଲେ। ତାଙ୍କ ମୁହଁରୁ ଛେପ ବାହାରୁଥିଲା। ଏପରି ଅବସ୍ଥା ଦେଖିବା ପରେ କନ୍ୟା ଭୟଙ୍କର ଭାବେ ଭୟଭୀତ ହୋଇ ଯାଇଥିଲେ। ବରର ଚେତା ଆସିବା ପରେ ବି ସେ ଆଉ ବିବାହ କରିବାକୁ ରାଜି ହେଲେ ନାହିଁ।
କନ୍ୟା ପକ୍ଷ ଲୋକ ବରର ବେମାର ବିଷୟରେ ଜାଣିବା ପରେ କନ୍ୟାର ନିଷ୍ପତ୍ତିକୁ ସମର୍ଥନ କରିବା ସହ ସାନ ଝିଅର ବିବାହକୁ ବି ଭାଙ୍ଗି ଦେଇଥିଲେ। ଏପରି ଘଟଣା ଘଟିବା ପରେ ଦୁଇ ପକ୍ଷ ମଧ୍ୟରେ ଗଣ୍ଡଗୋଳ ବି ଉପୁଜିଲା। ପରେ କନ୍ୟ ପକ୍ଷ ଲୋକ ଦୁଇ ଜଣ କନ୍ୟାଙ୍କୁ ଘରକୁ ନେଇଗଲେ।