ଜିସାଟ୍‌-୩୧ର ଉତ୍‌କ୍ଷେପଣ

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ)ର ୪୦ ତମ ଯୋଗାଯୋଗ ଉପଗ୍ରହ ‘ଜିସାଟ୍‌-୩୧’ର ଆଜି ସଫଳ ଉତ୍‌କ୍ଷେପଣ ହୋଇଛି। ଫ୍ରେଞ୍ଚ୍‌ ଗୁଏନାର ଉତକ୍ଷେପଣ କେନ୍ଦ୍ରରୁ ଆଜି ଭୋର୍‌ ୨ଟା ୩୧ ସମୟରେ ଏହି ଯୋଗାଯୋଗ ଉପଗ୍ରହକୁ ସଫଳ ଭାବେ ଉତ୍‌କ୍ଷେପଣ କରାଯାଇଛି। ଉତ୍‌କ୍ଷେପଣର ୪୨ ମିନିଟ୍‌ ପରେ ଏରିଆନେ ସ୍ପେସ୍‌ର ଏରିଆନେ-୫ ର‌କେଟ୍‌ କକ୍ଷପଥରେ ଜିସାଟ୍‌-୩୧କୁ ସଠିକ୍‌ ଭାବେ ଅବସ୍ଥାପିତ କରିଥିଲା। ୨,୫୩୬ କିଲୋଗ୍ରାମ୍‌ ବିଶିଷ୍ଟ ଏହି ଉପଗ୍ରହ ୧୫ ବର୍ଷ ପର୍ଯ୍ୟନ୍ତ ସେବା ଯୋଗାଇ ଦେବ। ଅକାମୀ ହେବାକୁ ଯାଉଥିବା ଉପଗ୍ରହ ଇନସାଟ୍‌-୪ସିଆର ସ୍ଥାନରେ ଏହି ଜିସାଟ୍‌-୩୧ ଉପଗ୍ରହ କାର୍ଯ୍ୟ କରିବ। ସତୀଶ ଧାୱନ ମହାକାଶ କେନ୍ଦ୍ର (ଏସ୍‌ଡିଏସ୍‌ସି)ର ନିର୍ଦ୍ଦେଶକ ଏସ୍‌ ପାଣ୍ଡିଆନ୍‌ ଆଜି ଏହି ଉପଗ୍ରହ ଉତ୍‌କ୍ଷେପଣ ଅବସରରେ ଇସ୍ରୋ ପକ୍ଷରୁ ‌ଫ୍ରେଞ୍ଚ୍‌ ଗୁଏନାରେ ଉପସ୍ଥିତ ରହି କହିଥିଲେ ଯେ ଜିସାଟ୍‌-୩୧ର ଉତ୍‌‌କ୍ଷେପଣରେ କୌଣସି ତ୍ରୁଟି ନାହିଁ। ଆସନ୍ତା ଜୁନ୍‌-ଜୁଲାଇରେ ଇସ୍ରୋର ଅନ୍ୟ ଏକ ଯୋଗାଯୋଗ ଉପଗ୍ରହ ଜିସାଟ୍‌-୩୦ର ମଧ୍ୟ ଉତ୍‌କ୍ଷେପଣ କରାଯିବ ବୋଲି ପାଣ୍ଡିଆନ୍‌ ସୂଚନା ଦେଇଛନ୍ତି। ତେବେ ଏରିଆନେ ଯାନ ଦ୍ବାରା ଆଜି ୨୩ ତମ ଭାରତୀୟ ଉପଗ୍ରହର ସଫଳ ଉତ୍‌କ୍ଷେପଣ ହୋଇଛି।

ସମ୍ବନ୍ଧିତ ଖବର