ଜିଏସ୍‌ଟି କମିଲା : ଶସ୍ତା ହେବ ୨୯ ସାମଗ୍ରୀ, ୫୩ ସେବା

ନୂଆଦିଲ୍ଲୀ : ନୂଆଦିଲ୍ଲୀଠାରେ ଆଜି ଅନୁଷ୍ଠିତ ଜିଏସ୍‌ଟି ପରିଷଦ ବୈଠକରେ ୨୯ଟି ସାମଗ୍ରୀ ଓ ୫୩ ପ୍ରକାର ସେବା ଉପରେ ଟିକସକୁ ହ୍ରାସ କରାଯାଇଛି। ନୂଆ ଟିକସ ହାର ଆସନ୍ତା ୨୫ ତାରିଖରୁ କାର୍ଯ୍ୟକାରୀ ହେବ। ବୈଠକ ପରେ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି ଏହି ସୂଚନା ଦେଇଛନ୍ତି। ଜିଏସ୍‌ଟି ହ୍ରାସ ହୋଇଥିବା ସାମଗ୍ରୀ ଗୁଡ଼ିକ ମଧ୍ୟରେ ଅନେକ ହସ୍ତଶିଳ୍ପ ସାମଗ୍ରୀ ରହିଛି। ଏତଦ୍‌ବ୍ୟତୀତ କୃଷି ଓ ଜଳସେଚନରେ ବ୍ୟବହୃତ କେତେକ ସାମଗ୍ରୀର ଜିଏସ୍‌ଟି ହାରକୁ ମଧ୍ୟ ହ୍ରାସ କରାଯାଇଛି।

ଆସନ୍ତା ଫେବ୍ରୁଆରି ପହିଲାରେ କେନ୍ଦ୍ର ସରକାର ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିବେ। ବଜେଟ୍‌ରେ ପରୋକ୍ଷ ଟିକସ ଏପଟସେପଟ କରିବା ସମ୍ଭାବନା ନାହିଁ। ତେଣୁ ଆଜିର ଜିଏସ୍‌ଟି ପରିଷଦ ବୈଠକରେ ଅର୍ଥମନ୍ତ୍ରୀ ଟିକସଦାତାଙ୍କୁ କିଛିଟା ରିହାତି ପ୍ରଦାନ କରି ଖୁସି କରିବାକୁ ପ୍ରୟାସ କରିଛନ୍ତି।

ଆଜିର ବୈଠକରେ ମଧ୍ୟମ ଓ ବୃହତ୍‌ ଧରଣର ସେକେଣ୍ଡ ହ୍ୟାଣ୍ଡ୍‌ କାର ଓ ଏସ୍‌ୟୁଭିର ଜିଏସ୍‌ଟିକୁ ୨୮ ପ୍ରତିଶତରୁ ୧୮ ପ୍ରତିଶତକୁ ହ୍ରାସ କରାଯାଇଛି। ଏତଦ୍‌ବ୍ୟତୀତ ଅନ୍ୟ ବ୍ୟବହୃତ ଓ ପୁରୁଣା ମୋଟରଯାନର ଜିଏସ୍‌ଟିକୁ ୧୨ ପ୍ରତିଶତକୁ କମାଇ ଦିଆଯାଇଛି। ହୀରା ଓ ମୂଲ୍ୟବାନ ପ୍ରସ୍ତରର ଜିଏସଟି ୩ ପ୍ରତିଶତରୁ ୦.୨୫ ପ୍ରତିଶତକୁ କମାଇ ଦିଆଯାଇଛି। ସେହିଭଳି ବାୟୋଡିଜେଲର ଜିଏସ୍‌ଟିକୁ ୧୮ ପ୍ରତିଶତରୁ ୧୨ ପ୍ରତିଶତକୁ କମାଇ ଦିଆଯାଇଥିବା ବେଳେ ପରିବେଶ ଅନୁକୂଳ ଜୈବ ଇନ୍ଧନରେ ଲୋକଙ୍କୁ ପରିବହନ ଲାଗି ଚାଲୁଥିବା ବସ୍‌ର ଜିଏସ୍‌ଟିକୁ ୨୮ ପ୍ରତିଶତରୁ ୧୮ ପ୍ରତିଶତକୁ କମାଇ ଦିଆଯାଇଛି। ୨୦ ଲିଟର ବୋତଲ ଭର୍ତି ପାନୀୟ ଜଳ, ସାର ମାନର ଫସ୍‌ଫରିକ୍‌ ଏସିଡ୍‌, ଜୈବ ଡିଜେଲ, ସିଞ୍ଚନ ଜଳସେଚନ ବ୍ୟବସ୍ଥାରେ ବ୍ୟବହୃତ ସାମଗ୍ରୀର ଜିଏସ୍‌ଟିକୁ ୧୮ ପ୍ରତିଶତରୁ ୧୨ ପ୍ରତିଶତକୁ ହ୍ରାସ କରାଯାଇଛି।

କଇଁଆ ମଞ୍ଜି ଗୁଣ୍ଡ, କୋନ୍‌ରେ ଥିବା ମେହେନ୍ଦି ପେଷ୍ଟ୍‍, ପ୍ରାଇଭେଟ୍‌ ବିତରକମାନେ ବଣ୍ଟନ କରୁଥିବା ଘରୋଇ ଏଲ୍‌ପିଜି ଉପରେ ଜିଏସ୍‌ଟିକୁ ୧୮ ପ୍ରତିଶତରୁ ୫ ପ୍ରତିଶତକୁ କମାଇ ଦିଆଯାଇଛି।

ଏତଦ୍‌ବ୍ୟତୀତ ଆର୍‌ଟିଆଇ ଆଇନ ଅଧୀନରେ ସୂଚନା ପ୍ରଦାନ କରାଯାଉଥିବା ସେବାକୁ ଜିଏସ୍‌ଟିମୁକ୍ତ କରାଯାଇଛି। ସରକାର, ସ୍ୱାୟତ୍ତ ଶାସନ ସଂସ୍ଥା, ସରକାରୀ କର୍ତୃପକ୍ଷ ଏବଂ ସରକାରୀ ସଂସ୍ଥାକୁ ଆଇନ ସେବା ପ୍ରଦାନ, ବିମାନ ଏବଂ ଜାହାଜରେ ଭାରତରୁ ବିଦେଶକୁ ସାମଗ୍ରୀ ପରିବହନକୁ ମଧ୍ୟ ଜିଏସ୍‌ଟିମୁକ୍ତ କରାଯାଇଛି। ସମସ୍ତ ଶିକ୍ଷାନୁଷ୍ଠାନକୁ ପ୍ରଦାନ କରାଯାଉଥିବା ନାମଲେଖା ବା ପରିଚାଳନା ସଂକ୍ରାନ୍ତ ସେବାକୁ ମଧ୍ୟ ଜିଏସ୍‌ଟିମୁକ୍ତ କରାଯାଇଛି। ପ୍ରବେଶିକା ପରୀକ୍ଷା ଗୁଡ଼ିକ ପାଇଁ ନିଆଯାଉଥିବା ପ୍ରବେଶିକା ଶୁଳ୍କ ଏବଂ ହାୟର ସେକେଣ୍ଡାରି ସ୍କୁଲ ପର୍ଯ୍ୟନ୍ତ ପିଲାଙ୍କୁ ପରିବହନ ସେବାକୁ ମଧ୍ୟ ଜିଏସ୍‌ଟି ପରିସର ବାହାରେ ରଖାଯାଇଛି।

ଥିମ୍‌ ପାର୍କ, ଓ୍ଵାଟର ପାର୍କ, ଜୟ ରାଇଡ୍‌, ମେରି-ଗୋ-ରାଉଣ୍ଡ୍‌, ଗୋ-କାର୍ଟିଂ ଏବଂ ବାଲେଟ୍‌ ଉପରୁ ଜିଏସ୍‌ଟି ହାରକୁ ୨୮ ପ୍ରତିଶତରୁ ୧୮ ପ୍ରତିଶତକୁ କମାଇ ଦିଆଯାଇଛି। ସର୍ବସାଧାରଣଙ୍କ ବର୍ଜ୍ୟବସ୍ତୁ ପରିଚାଳନା ଯୋଜନା ଉପରୁ ମଧ୍ୟ ଜିଏସ୍‌ଟି ହାର ୧୮ ପ୍ରତିଶତରୁ ୧୨ ପ୍ରତିଶତକୁ ହ୍ରାସ କରାଯାଇଛି।

ତେବେ ଜିଏସ୍‌ଟି ରିଟର୍ଣ୍ଣ ଫାଇଲିଂ ପ୍ରକ୍ରିୟାକୁ ସରଳ କରିବା ସମ୍ପର୍କରେ ଆଜିର ବୈଠକରେ ପରିଷଦ କୌଣସି ନିଷ୍ପତ୍ତି ନେଇପାରି ନାହିଁ। ଜିଏସ୍‌ଟି ବ୍ୟବସ୍ଥାରେ ଜିଏସ୍‌ଟି ରିଟର୍ଣ୍ଣ ୧, ରିଟର୍ଣ୍ଣ ୨ ଏବଂ ରିଟର୍ଣ୍ଣ ୩ ଆଦି ଏକାଧିକ ଫର୍ମ ରହିଛି। ତେଣୁ ଏସବୁକୁ ମିଶାଇ ଛୋଟ ଟିକସଦାତା ଓ କମ୍ପୋଜିସନ୍‌ ସ୍କିମ୍‌ରେ ଟିକସ ଦେଉଥିବା ବ୍ୟବସାୟୀ ଓ ଉଦ୍ୟୋଗୀମାନଙ୍କ ପାଇଁ ଗୋଟିଏ ସରଳ ଫର୍ମ ସରକାର ଆଣିବେ ବୋଲି ଆଶା ରଖାଯାଇଥିଲା। ତେବେ ଏହି ପ୍ରସଙ୍ଗ ଉପରେ ଆଲୋଚନା ଲାଗି ଆସନ୍ତା ୧୦ ଦିନ ମଧ୍ୟରେ ଭିଡିଓ କନ୍‌ଫେରେନ୍ସିଂ ମାଧ୍ୟମରେ ପରିଷଦର ବୈଠକ ହେବ ବୋଲି ଜଣାଯାଇଛି।

ଏତଦ୍‌ବ୍ୟତୀତ ଆସନ୍ତା ଫେବ୍ରୁଆରି ପହିଲାରୁ ରାଜ୍ୟ ରାଜ୍ୟ ଗୁଡ଼ିକ ମଧ୍ରରେ ମାଲ ପରିବହନ ପାଇଁ ଇ-େଓ୍ଵ ବିଲ୍‌ ଜରୁରୀ ହେବ। ଏ କ୍ଷେତ୍ରରେ ଇ-େଓ୍ଵ ବିଲ୍‌ ପ୍ରଚଳନ ପାଇଁ ୧୫ଟି ରାଜ୍ୟ ମଧ୍ୟ ରାଜି ହୋଇଥିବା ବିଷୟ ଜେଟ୍‌ଲି କହିଛନ୍ତି। ସମନ୍ଵିତ ଜିଏସ୍‌ଟି ବାବଦରେ ପ୍ରାୟ ୩୫ ହଜାର କୋଟି ଟଙ୍କା ଆଦାୟ ହୋଇଛି। ଏହାକୁ କେନ୍ଦ୍ର ଓ ରାଜ୍ୟଗୁଡ଼ିକରେ ଆବଣ୍ଟନ କରିବା ଲାଗି ଆଜିର ବୈଠକରେ ନିଷ୍ପତ୍ତି ନିଆଯାଇଛି।

ଜିଏସ୍‌ଟି ବ୍ୟବସ୍ଥାରେ ଆଦାୟ ହେଉଥିବା ଟିକସ ରାଶିକୁ ମଧ୍ୟ ପରିଷଦରେ ସମୀକ୍ଷା କରାଯାଇଥିଲା। କମ୍ପୋଜିସନ୍‌ ସ୍କିମ୍‌ରୁ ଆଦାୟ ହେଉଥିବା ଟିକସ ଉତ୍ସାହଜନକ ନୁହେଁ ବୋଲି ଅର୍ଥମନ୍ତ୍ରୀ କହିଥିଲେ। ଏ କ୍ଷେତ୍ରରେ ବ୍ୟବସାୟୀମାନେ କମ୍‌ ଘୋଷଣା କରୁଛନ୍ତି ପ୍ରତୀୟମାନ ହେଉଥିବା ସେ କହିଥିଲେ। ତେବେ ଆଜିର ବୈଠକରେ ପେଟ୍ରୋଲିୟମ ଉତ୍ପାଦ ଏବଂ ରିଅଲ ଇଷ୍ଟେଟକୁ ଜିଏସ୍‌ଟି ପରିସରକୁ ଆଣିବା ଲାଗି କୌଣସି ସହମତି ହୋଇପାରି ନାହିଁ। ଜିଏସ୍‌ଟି ପରିଷଦର ଆଗାମୀ ବୈଠକରେ ଏ ନେଇ ଆଲୋଚନା ହେବ ବୋଲି ଜଣାଯାଇଛି।

ଶସ୍ତା ସାମଗ୍ରୀ ଓ ସେବା

ହୀରା ଓ ମୂଲ୍ୟବାନ ପ୍ରସ୍ତର
ମଧ୍ୟମ ଓ ବୃହତ୍‌ ଧରଣର ସେକେଣ୍ଡ ହ୍ୟାଣ୍ଡ୍‌ କାର ଓ ଏସ୍‌ୟୁଭି
ବ୍ୟବହୃତ ଓ ପୁରୁଣା ମୋଟରଯାନ
ବାୟୋଡିଜେଲ
  ଜୈବ ଇନ୍ଧନରେ ପରିବହନ ଲାଗି ବ୍ୟବହୃତ ବସ୍‌
୨୦ ଲିଟର ବୋତଲ ଭର୍ତି ପାନୀୟ ଜଳ
ସାର ମାନର ଫସ୍‌ଫରିକ୍‌ ଏସିଡ୍‌
କଇଁଆ ମଞ୍ଜି ଗୁଣ୍ଡ
କୋନ୍‌ରେ ଥିବା ମେହେନ୍ଦି ପେଷ୍ଟ
ଥିମ୍‌ ପାର୍କ, ଓ୍ଵାଟର ପାର୍କ, ଜୟ ରାଇଡ୍‌, ମେରି-ଗୋ-ରାଉଣ୍ଡ୍‌, ଗୋ-କାର୍ଟିଂ ପ୍ରବେଶିକା ପରୀକ୍ଷା ଶୁଳ୍କ
ସ୍କୁଲ ପିଲାଙ୍କ ପରିବହନ ବସ୍‌ ସେବା

ସମ୍ବନ୍ଧିତ ଖବର