ଖଣି ଜୋରିମାନା ପାଇଁ ଗାଇଡ୍‍ଲାଇନ୍‌

ମୁଖ୍ୟ ସଚିବଙ୍କୁ ପତ୍ର ଲେଖିଲେ ସିଇସି

ନୂଆଦିଲ୍ଲୀ : ବେଆଇନ୍‌ ଉତ୍ତୋଳନ ହୋଇ ଗଚ୍ଛିତ ଥିବା ଖଣିଜପଦାର୍ଥର ହିସାବ ପାଇଁ ଗାଇଡ୍‌ଲାଇନ୍‌ ପ୍ରସ୍ତୁତ କରିବା ସହିତ ଜୋରିମାନାର ପରିମାଣ ଧାର୍ଯ୍ୟ ଲାଗି କେନ୍ଦ୍ରୀୟ କ୍ଷମତା ସମ୍ପନ୍ନ କମିଟି (ସିଇସି) ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ପତ୍ର ଲେଖିଛନ୍ତି। ବେଆଇନ୍‌ ଖଣି ଖନନ ମାମଲାରେ ଅଗଷ୍ଟ ୨ ତାରିଖରେ ସୁପ୍ରିମକୋର୍ଟଙ୍କ ରାୟରେ ଜରିମାନା ପରିମାଣ ଧାର୍ଯ୍ୟ କରିବାରେ ଅସଙ୍ଗତି ଥିବା ନେଇ ଖଣି ଲିଜ୍‌ଧାରୀମାନେ ସୁପ୍ରିମକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପରେ ସିଇସିଙ୍କ ଦ୍ୱାରସ୍ଥ ହୋଇଥିିଲେ। ସିଇସି,ରାଜ୍ୟ ସରକାରଙ୍କ ଉପସ୍ଥିତିରେ ୧୩୭ଜଣ ଖଣି ଲିଜଧାରୀଙ୍କ ଶୁଣାଣି କରିଥିଲେ।

ରାଜ୍ୟର ମୁଖ୍ୟ ସଚିବଙ୍କୁ ଲେଖାଯାଇଥିବା ପତ୍ରରେ ସିଇସି କହିଛନ୍ତି ଯେ, ରାଜ୍ୟ ଖଣି ନିର୍ଦ୍ଦେଶକଙ୍କ ସରକାରୀ ରେକର୍ଡ ଯାଞ୍ଚ କରି କେତେ ଖଣିଜ ପଦାର୍ଥ ଗଚ୍ଛିତ ରହିଛି, ତାହା ଅନୁଧ୍ୟାନ କରାଯିବା ଦରକାର। ଅଧିକାଂଶ ଖଣି ଲିଜଧାରୀଙ୍କ ଆପତ୍ତିଥିଲା ଯେ, ଉତ୍ତୋଳନ ହୋଇଥିବା ଖଣିଜ ଦ୍ରବ୍ୟ ବିକ୍ରି ନ ହୋଇ ଗଚ୍ଛିତ ଥିବା ବେଳେ ସେମାନଙ୍କଠାରୁ ଜରିମାନା ଓ କ୍ଷତିପୂରଣ ବାବଦରେ ରାଜ୍ୟ ସରକାର ଡିମାଣ୍ଡ ନୋଟିସ୍‌ ପଠାଇଛନ୍ତି। ଯେଉଁଥିପାଇଁ ରାଜ୍ୟ ଖଣି ନିର୍ଦ୍ଦେଶକ କେତେ ଖଣିଜ ଗଚ୍ଛିତ ଅଛି, ତାହା ଅନୁଧ୍ୟାନ କରିବା ଦରକାର। ଆବଶ୍ୟକ ହେଲେ ଡିମାଣ୍ଡ ନୋଟିସ୍‌ରେ ପରିବର୍ତ୍ତନ କରାଯାଇ ଖଣି ଲିଜ୍‌ଧାରୀମାନଙ୍କ ପାଖକୁ ପଠାଯିବ ବୋଲି ସିଇସି କହିଛନ୍ତି।

ଡିସେମ୍ବର ୩୧ ସୁଦ୍ଧା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ କ୍ଷତିପୂରଣ ଓ ଜରିମାନା ରାଶି ଆଦାୟ କରିବେ ବୋଲି ସିଇସିି ମତବ୍ୟକ୍ତ କରିଛନ୍ତି। ଏତଦ୍‌ବ୍ୟତୀତ ବଳକା ଥିବା ଷ୍ଟକ୍‌ ଗୁଡିକର ଗ୍ରେଡ଼ ଯାଞ୍ଚ କରାଯାଇ ପରବର୍ତ୍ତୀ ସମୟରେ ଏହାର ଇ-ନିଲାମ କରାଯିବ ।ଏଥିରୁ ଉପାର୍ଜିତ ଅର୍ଥ ରାଜ୍ୟ ରାଜକୋଷକୁ ଯିବ। ରାଜ୍ୟ ସରକାର ସିଇସିଙ୍କୁ ପଦକ୍ଷେପ ନେବା ସମ୍ପର୍କରେ ଅବଗତ କରିବା ପାଇଁ ନିଲାମ ରିପୋର୍ଟ ପଠାଇବା ପାଇଁ କହିଛନ୍ତି। ସିଇସିଙ୍କ ବୈଠକରେ ଗତମାସ ୨୮ ଓ ୨୯ ତାରିଖରେ ଯୋଗଦେଇଥିବା କିଛି ଖଣିଲିଜଧାରୀଙ୍କ ଆପତ୍ତିକୁ ସିଇସି ଅଗ୍ରାହ୍ୟ କରିଦେଇଥିଲେ ।

ସମ୍ବନ୍ଧିତ ଖବର